ଯାଜପୁର ସଦର: ଆଜି ଅପରାହ୍ନରେ ଯାଜପୁର ସଦର ଥାନା ଅନ୍ତର୍ଗତ ଖଇରାବାଦ ପଂଚାୟତ କଳିନ୍ଦ୍ରାବାଦ୍ ଗ୍ରାମରେ ରୋଷେଇ ବେଳେ ଅଘଟଣ ଘଟିଛି। ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ ୧୫ ବର୍ଷିୟ ଯୁବତୀ ରହିଛନ୍ତି। ଆହତ ମାନେ ହେଲେ ମହେନ୍ଦ୍ର କୁମାର ସାହୁ(୭୦), ଅଳକାମଣୀ ସାହୁ(୬୫), ସବିତା ସାହୁ(୧୩), ଅଖଜୀ ସାହୁ(୩୫) ଓ ରାଜୁ ସାହୁ (୩୫)।
ସୂଚନାଯୋଗ୍ୟ, ଆଜି ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ପାଇପ ମୋଡି ହୋଇଯାଇଥିଲା। ଏହି ପାଇପକୁ ଠିକ୍ କରୁଥିବା ସମୟରେ କୌଣସି କାରଣବଶତଃ ହଠାତ ଟାଙ୍କିରୁ ପାଇପ ଅଲଗା ହୋଇଯାଇଥିଲା । ଫଳରେ ଟାଙ୍କିରୁ ଗ୍ୟାସ ବାହାରିବାକୁ ଲାଗିଥିଲା। କିଛି ସମୟରେ ପରେ ଏହି ଗ୍ୟାସ ଟାଙ୍କିଟି ହଠାତ ଫାଟି ଯାଇଥିଲା। ଫଳରେ ଘରେ ଥିବା ୫ ଜଣ ସଦସ୍ୟ ଏହି ବିସ୍ଫୋରଣର ଶିକାର ହୋଇଥିଲେ। ପାଖ ପଡ଼ିଶା ଘଟଣା ସମ୍ପର୍କରେ ଜାଣି ଯାଜପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଥିଲେ। ପରେ ଆମ୍ବୁଲାନସ ଯୋଗେ ଆହତମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ପରିବାର ପକ୍ଷରୁ ସେମାନଙ୍କୁ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।