ରୋଷେଇ ସମୟରେ ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ, ସ୍ୱାମୀ-ସ୍ତ୍ରୀ ଆହତ

ନବରଙ୍ଗପୁର: ରୋଷେଇ ସମୟରେ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟଣା ଘଟିଛି। ଏଥିରେ ପରିବାରର ନଗଦ ୩୦ ହଜାର ଟଙ୍କା ସହ ବହୁ ଜିନିଷପତ୍ର ପୋଡ଼ି ଛାରଖାର ହୋଇଯାଇଛି। ଜିନିଷ ପତ୍ର ଉଦ୍ଧାର କରିବାକୁ ଯାଇ ସ୍ୱାମୀ ଓ ସ୍ତ୍ରୀ ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ନୂଆଗୁଡା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।

ସୂଚନା ଅନୁସାରେ ନୂଆଗୁଡ଼ା ଗ୍ରାମର ଘନଶ୍ୟାମ ବିଷୋୟୀଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳୀ ବିଷୋୟୀ ଗ୍ୟାସରେ ରୋଷେଇ କରିବା ସମୟରେ ହଠାତ୍‌ ଗ୍ୟାସ ଲିକ୍‌ ହୋଇ ନିଆଁ ଘର ସାରା ବ୍ୟାପିଥିଲା। ଦେଖୁ ଦେଖୁ ଏହି ନିଆଁ ଘନଶ୍ୟାମଙ୍କ ୨ ବଖରା ବିଶିଷ୍ଟ ଘରେ ନିଆଁ ଲାଗିଯାଇଥିଲା। ମା’ କମଳା ଘର ଭିତରେ କାମ କରୁଥିିଲେ। ଘନଶ୍ୟାମ ପ୍ରଥମେ ମା’ଙ୍କୁ ଘର ଭିତରୁ ଉଦ୍ଧାର କରି ବାହାରକୁ ନେଇ ଆସିଥିଲେ। ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଘରରୁ ଜିନିଷ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଉଭୟ ଘନଶ୍ୟାମ ଓ ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳୀଙ୍କ ହାତ, ଗୋଡ ଓ ମୁହଁ  ନିଆଁ ସଂସ୍ପର୍ଶରେ ଆସି ପୋଡ଼ି ଯାଇଥିଲା ଏବଂ ସେମାନେ ଆହତ ହୋଇଥିଲେ।

ଖବର ପାଇ ପାପଡାହାଣ୍ଡିରୁ ଅଗ୍ନିଶମ ବିଭାଗ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲା। ମାତ୍ର ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳକୁ ପିନ୍ଧା ଲୁଗାକୁ ଛାଡି ଘରର ସମସ୍ତ ଆସବା ପତ୍ର ପୋଡିଯାଇଥିଲା। ଘରର ଆଜବେଷ୍ଟ ଛାତ ବି ପୋଡିଯାଇଛି। ଏହି ଅଗ୍ନିକାଣ୍ଡ ରେ ଘନଶ୍ୟାମଙ୍କ ଘରେ ଥିବା ଖଟ, ଟିଭି, ଆଲମିରା, ବ୍ୟାଙ୍କ ପାସବୁକ, ରାସନ କାର୍ଡ, ଧାନ, ଚାଉଳ ଓ ବ୍ୟବସାୟ କରି ସଂଚୟ କରି ରଖିଥିବା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବି ପୋଡିଯାଇଛି। ୧୦୮ ଆମ୍ବୁଲାନସ ଯୋଗେ ଉଭୟ ଘନଶ୍ୟାମ ଓ ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳୀଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର