କିଶନନଗର ଗ୍ୟାସ୍‌ ଲିକ୍‌କୁ ପୂରିବ ତିନିମାସ

କାରଣ ଦର୍ଶାଅ ନୋଟିସ୍‌ରେ ସୀମିତ କାର୍ଯ୍ୟାନୁଷ୍ଠାନ!

କିଶନନଗର: କିଶନନଗର ଶୀତଳଭଣ୍ଡାର ଗ୍ୟାସ୍‌ ଲିକ୍‌ ଘଟଣାକୁ ଇତିମଧ୍ୟରେ ୩ମାସ ପୂରିବାକୁ ବସିଲାଣି। ହେଲେ‌, ୧୩୩ ଧାରାରେ ମାମଲା ରୁଜୁ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବା ଜଣାପଡ଼ିଛି। କେବଳ ଶୀତଳ ଭଣ୍ଡାର କର୍ତ୍ତୃପକ୍ଷଙ୍କୁ ପ୍ରଶାସନ ପକ୍ଷରୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବାରୁ ଅଞ୍ଚଳରେ ଅସନ୍ତୋଷ ବଢ଼ୁଥିବା ପରିଲକ୍ଷିତ ହୋଇଛି। ସେହିପରି ପୀଡ଼ିତ ଲୋକେ ପରିବାରର ସୁରକ୍ଷା ନେଇ ଚିନ୍ତାରେ ପଡ଼ିଛନ୍ତି। ପ୍ରକାଶଥାଉ କି, ଗତ ମାର୍ଚ୍ଚ ମାସ ୧୮ ତାରିଖ ରାତିରେ ବିଶ୍ୱାଳପଡ଼ାସ୍ଥିତ ମଣ୍ଟେଶ୍ୱରୀ ଶୀତଳ ଭଣ୍ଡାରରୁ ବିଷାକ୍ତ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଏହାକୁ ଆୟତ୍ତ କରିବା ପାଇଁ ୫ଟି ଦମକଳ ଗାଡ଼ିକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ବିଷାକ୍ତ ଗ୍ୟାସ୍‌ର ପ୍ରଭାବ ମଣିଷ, ଗୃହପାଳିତ ପଶୁ, ଫସଲ ଓ ପରିବେଶ ଉପରେ ପଡ଼ିଥିଲା। ବିଷାକ୍ତ ଗ୍ୟାସ୍‌ର ପ୍ରତିକ୍ରିୟା ତଥା  ଶୀତଳ ଭଣ୍ଡାରରେ ବାରମ୍ବାର ଏଭଳି ଅଘଟଣ ଆଖପାଖ ଅଞ୍ଚଳର ଲୋକଙ୍କୁ ଆତଙ୍କିତ କରିଦେଇଥିଲା।

କିଶନନଗର ତହସିଲଦାର ସୁଚେତା ମହାପାତ୍ର ଓ ତତ୍କାଳୀନ କିଶନନଗର ଥାନା ଆଇଆଇସି ବାମଦେବ ସ୍ବାଇଁ ଗ୍ୟାସ୍‌ ଲିକ୍‌ ଘଟଣାର ମିଳିତ ତଦନ୍ତ କରିଥିଲେ। ଜନବସତି ମଧ୍ୟରେ ରହି ସ୍ଥାନୀୟ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ଏହି ଶୀତଳ ଭଣ୍ଡାର ବିରୋଧରେ ତୁରନ୍ତ ୧୩୩ ଧାରାରେ ମାମଲା ରୁଜୁ କରିବାକୁ ଏହି ତଦନ୍ତ ରିପୋର୍ଟ (ଚିଠି ନଂ-୮୭୨/୩୧ା୩ା୨୦୨୧)ରେ ସୁପାରିସ କରାଯାଇଥିଲା। ଏଥିସହ ଗ୍ୟାସ୍‌ ଲିକ୍‌ ପରେ ଶୀତଳ ଭଣ୍ଡାର ମାଲିକ ତହସିଲଦାରଙ୍କ ଫୋନ ନ ଉଠାଇବା, ତଦନ୍ତ ଦିନ ଅନୁପସ୍ଥିତ ରହିବା ଓ ଗ୍ୟାସ୍‌ ପ୍ରଭାବିତଙ୍କ ପ୍ରତି ତାଙ୍କର  କୌଣସି ସହାନୁଭୂତି ନ ଥିବା ଆଦି ଦର୍ଶାଯାଇଥିଲା। ଅପରପକ୍ଷରେ ଗ୍ୟାସ୍‌ ଲିକ୍‌ ପରେ ଜୀବନ ଓ ଜୀବିକା ପ୍ରତି ବିପଦ ସୃଷ୍ଟି କରିଥିବା ଶୀତଳ ଭଣ୍ଡାରକୁ ଜନବସତିରୁ ସ୍ଥାନାନ୍ତର କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରି ପୀଡ଼ିତ ଲୋକେ କିଶନନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥଲେ। ସେତେବେଳେ କଟକ ଉପଜିଲ୍ଲାପାଳ ପ୍ରତାପ କୁମାର ବେଉରା ଶୀତଳ ଭଣ୍ଡାର ବିରୋଧରେ ୧୩୩ ଧାରାରେ ମାମଲା ରୁଜୁ କରାଯିବ ବୋଲି କହିଥିଲେ।

ଏହି ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। କେବଳ ଶୀତଳ ଭଣ୍ଡାର କର୍ତ୍ତୃପକ୍ଷଙ୍କୁ ପ୍ରଶାସନ କେବଳ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିବା ଜଣାପଡ଼ିଛି। ଏଠାରୁ ବାରମ୍ବାର ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା, ଏହାକୁ ରୋକିବାରେ କର୍ତ୍ତୃପକ୍ଷ ବିଫଳ ହେବା, ବିଷାକ୍ତ ଗ୍ୟାସର ପ୍ରତିକୂଳ ପ୍ରଭାବ ମଣିଷ, ପଶୁ, ଫସଲ ଓ ପରିବେଶ ଉପରେ ପଡ଼ିବା ପରି ସମ୍ବେଦନଶୀଳ ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଏହି ଶୀତଳ ଭଣ୍ଡାର ବିରୋଧରେ ତୁରନ୍ତ ୧୩୩ଧାରାରେ ମାମଲା ରୁଜୁ କରିବାକୁ ଗ୍ୟାସ୍‌ ପୀଡ଼ିତମାନେ ଦାବି କରିଛନ୍ତି। ଏ ସଂପର୍କରେ ଉପଜିଲ୍ଲାପାଳ ପ୍ରତାପ କୁମାର ବେଉରାଙ୍କୁ ପଚାରିବାରୁ ବର୍ତ୍ତମାନ କୋର୍ଟ ଛୁଟି ଥିବାରୁ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହୋଇଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର