୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଗ୍ୟାସ୍‌ ‌ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଲୋକେ ଭୟଭୀତ

ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଆମୋନିଆ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର। ପାରାଦୀପରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଭିମୁଖେ ଯାଉଥବା ବେଳେ ଗଂଜାମ ଥାନା ଅନ୍ତର୍ଗତ ପୁଇଁତଳା-ହୁମା ମଧ୍ୟବର୍ତ୍ତୀ ସ୍ଥାନରେ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ୧୬ ନମ୍ବର ଜାତୀୟ ରାଜପଥରେ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଆମୋନିଆ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କରର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ଗ୍ୟାସ୍‌ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା। ରିପୋର୍ଟ ଲେଖାଯିବା ବେଳେକୁ ଜିଲ୍ଲା ପ୍ରଶାସନ କି ପୁଲିସ ପହଂଚି ନାହିଁ। ଗ୍ୟାସ୍‌ ଟ୍ୟାଙ୍କରକୁ ଉଦ୍ଧାର କରିବା ପାଇଁ ଆହୁରି ବହୁ ସମୟ ଲାଗିପାରେ ବୋଲି ପୂର୍ବାନୁମାନ କରାଯାଉଛି। କ୍ଷୟକ୍ଷତି ନେଇ କୌଣସି ସୂଚନା ନଥିବା ବେଳେ ଜାତୀୟ ରାଜପଥ ଦେଇ ଯାଉଥିବା ଲୋକେ ଭୟ ଆଶଙ୍କା କରୁଛନ୍ତି।

ସୂଚନାଯୋଗ୍ୟ, ଗତ ଜାନୁଆରି ୧୩ ତାରିଖରେ ଗଂଜାମ ଜିଲ୍ଲା ଛତ୍ରପୁର ଦେଇଯାଇଥିବା ଏହି ୧୬ନମ୍ବର ଜାତୀୟ ରାଜପଥରେ ଗ୍ୟାସ୍‌ ଟ୍ୟାଙ୍କର ଓଲଟିଥିଲା। ହୁମୁରି ତାମ୍ପରାଠାରେ ଏହି ଦୁର୍ଘଟଣା ଘଟିଥିଲା। ସେଦିନ ଘନ କୁହୁଡ଼ି ପାଇଁ ଏଭଳି ଘଟିଥିବା କହିଥିଲେ ସାମାନ୍ୟ ଆହତ ହୋଇଥିବା ଟ୍ୟାଙ୍କର ଚାଳକ। ଏହି ଦୁର୍ଘଟଣା‌ ପରେ ୧୬ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ବରୁ ଗାଡ଼ି ଚଳାଚଳକୁ ବନ୍ଦ ରଖିଥିଲା ପୁଲିସ। ଛତ୍ରପୁର ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସରବରାହକୁ ବନ୍ଦ ରଖାଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ସମେତ ଛତ୍ରପୁର ଉପଜିଲ୍ଲାପାଳ, ତହସିଲଦାର, ଅତିରିକ୍ତ ଏସପି, ପରିବହନ ବିଭାଗ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ।

ପୂର୍ବରୁ ୨୦୧୬, ଜାନୁଆରି ୧୮ରେ ୧୬ନମ୍ବର ଜାତୀୟ ରାଜପଥରେ ଥିବା ଛତ୍ରପୁର କଲେଜ ଛକ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟିବାରୁ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପାଇଁ ୨୪ଘଣ୍ଟା ପର୍ଯ୍ୟନ୍ତ ଛତ୍ରପୁର ସହରକୁ ବନ୍ଦ ରଖାଯିବା ସହ ବିଦ୍ୟୁତ ସରବରାହକୁ ବନ୍ଦ କରାଯାଇଥିଲା।

ସମ୍ବନ୍ଧିତ ଖବର