ଜୟପୁର ଘାଟିରେ ଓଲଟିଲା ଗ୍ୟାସ ଟ୍ୟାଙ୍କର: ଡ୍ରାଇଭର ମୃତ, ଦିନ ତମାମ୍ ବନ୍ଦ ରହିଲା ଯାତାୟତ

ଜୟପୁର,: ଜୟପୁର ସଦରଥାନା ଅନ୍ତର୍ଗତ ଜୟପୁର-‌କୋରାପୁଟ ଘାଟି ରାସ୍ତାରେ ଆଜି ପୂର୍ବାହ୍ନରେ ଗୋଟିଏ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ କୋରାପୁଟ ଓଡ୍ରାଫ୍ ଟିମ୍ ଓ ୨ଟି ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି। ମୃତଦେହକୁ କୋରାପୁଟ ମେଡିକାଲର ଶବଗୃହରେ ରଖାଯାଇଛି। ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବା ନେଇ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ସୂଚନା ଦେଇଛନ୍ତି।

ପୁଲିସ କହିବାନୁଯାୟୀ, ବିଶାଖାପାଟଣାରୁ ଏଚ୍‌ପି ଗ୍ୟାସ୍ ନେଇ ଟ୍ୟାଙ୍କର (ଏପି ୧୫ ୱାଇ ୩୪୮୮)ଟି ରାୟପୁର ଅଭିମୁଖେ ଯାଉଥିଲା। ୨୬ ନମ୍ବର ଜାତୀୟ ରାଜପଥର ଜୟପୁର-କୋରାପୁଟ ଘାଟିର ଏକ ବଙ୍କେଇ ସ୍ଥାନରେ ଗୋଟିଏ ବାଲି ବୋଝେଇ ଟ୍ରକଟି ଖରାପ ହୋଇ ପଡିଥିଲା। ସେହି ଟ୍ରକକୁ ଅତିକ୍ରମ କରି ଟ୍ୟାଙ୍କରଟି ଯିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା।

ଟ୍ୟାଙ୍କରଟି ପ୍ରଥମେ ତଳକୁ ଖସିପଡିଥିବା ବେଳେ ସମ୍ପୂର୍ଣ୍ଣ ଗାଡିଟିକୁ ତଳକୁ ଟାଣି ନେଇଥିଲା। ସେହି ସମୟରେ ଗାଡିଟି ପଥରରେ ପିଟି ହୋଇଯିବାରୁ ଡ୍ରାଇଭରଙ୍କ  ଘଟଣାସ୍ଥଳରେ ମୃ୍ତ୍ୟୁ ହୋଇଥିଲା। ଡ୍ରାଇଭର ଜଣକ ବିହାର ରାଜ୍ୟ ପାଟନା ଅଞ୍ଚଳର ବୋଲି ଜଣାପଡିଛି। ଘଟଣାସ୍ଥଳରେ ‌କୋରାପୁଟ ଜିଲ୍ଲାପାଳ ଅବଦଲ୍ ଏମ୍ ଅଖତର, ଏସ୍‌ପି ବରୁଣ ଗୁଣ୍ଠପାଲି, ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସୟ, ଏସ୍‌ଡିପିଓ ଅରୂପ ଅଭିଶେଖ ବେହେରା, କୋରାପୁଟ ଏସ୍‌ଡିପିଓ ଗୁଣନିଧି ମଲ୍ଲିକ, ଓଏସ୍‌ଏପି ତୃତୀୟ ବାଟାଲିଆନ୍ କମାଣ୍ଡେଣ୍ଟ୍ ପିକେ ଦାସ, ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ, ତହସିଲଦାର ଟୁଲିଆମ୍ମା ପ୍ରଧାନ ଓ ଅତିରିକ୍ତ ତହସିଲଦାର ଅଶ୍ବିନୀ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ।

ଓଡ୍ରାଫ୍ ଡେପୁଟି ସୁବେଦାର ସୁଜିତ୍ କୁମାର ହୋତା ଓ ସହକାରୀ ଅଗ୍ନିଶମ ଅଧିକାରୀ କୁନୁ ନାୟକଙ୍କ ନେତୃତ୍ବରେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ୍ ତଳେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଏହି ଟ୍ୟାଙ୍କରରେ ପାଖାପାଖି ୧୫ଟନରୁ ଅଧିକାର ଗ୍ୟାସ ରହିଥିବା ଜଣାପଡିଛି। ଟ୍ୟାଙ୍କରେ ଗ୍ୟାସ ରହିଥିବାରୁ ସୁରକ୍ଷିତ ଭାବେ ମୃତଦେହ ବାହାର କରିବାକୁ ପାଖାପାଖି ୩ ଘଣ୍ଟା ସମୟ ଲାଗିଥିଲା।

ମୃତ ଦେହକୁ ଉଦ୍ଧାର କରାଯାଇଥିବା ବ‌େଳେ ଘଟଣାସ୍ଥଳକୁ ରାୟଗଡା ବଟଲିଙ୍ଗ୍ ପ୍ଲାଣ୍ଟରୁ ସେଫ୍ଟି ଟିମ୍ ଆସୁଥିବା ବେଳେ ଗ୍ୟାସ୍ ଲିକେଜ୍ ବିଷୟରେ ଅନୁଧ୍ୟାନ କରିବେ। ଏଥିସହ ବିଶାଖାପାଟଣା ଏଚ୍‌ପି ଟର୍ମିନାଲରୁ ଏକ ସ୍ବତନ୍ତ୍ର ଟିମ୍ ଆସୁଛନ୍ତି। ସେମାନ‌େ ଆସିବା ପରେ ଏହି ଟ୍ୟାଙ୍କରୁ କ୍ରେନ ସାହାଯ୍ୟରେ ଉଠାଯିବ କିମ୍ବା ଏଆରଭି ମେସିନ୍ ଦ୍ବାରା ଗ୍ୟାସକୁ ଅନ୍ୟ ଏକ ଟ୍ୟାଙ୍କିକୁ ସ୍ଥାନାନ୍ତର କରାଯିବ। ଏନେଇ ଜୟପୁର ସଦରଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର