ସମ୍ବଲପୁର: ଜଳପ୍ରବାହ କମିବା ପରେ ଦୁଇଟି ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୧୪ ଗେଟ୍ ବନ୍ଦ କରାଯାଇଛି। ପୂର୍ବରୁ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଥିବା ‌ବେଳେ ଆଜି ମାତ୍ର ୬ଟି ଗେଟ୍‌ ଖୋଲା ରହିଛି। ଗତକାଲି ରାତି ୯ଟାରେ ଜଳଭଣ୍ଡାରର ଜଳସ୍ତର ୬୧୭.୧୭ ଫୁଟ୍‌କୁ ଖସିଛି। ଏହି ସମୟରେ ଜଳଭଣ୍ଡାରକୁ ୧,୨୫,୨୩୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧,୩୨,୨୯୮ କ୍ୟୁସେକ୍ ନିଷ୍କାସିତ ହେଉଥିଲା।

Advertisment

ଏଥିରୁ ପାୱାର ଚାନେଲ ଦେଇ ୩୭,୧୨୦ କ୍ୟୁସେକ୍ ଓ ୬ଟି ଗେଟ୍‌ ଦେଇ ୯୨,୬୬୪ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। ବରଗଡ଼ କେନାଲରେ ୧୬୯୫ କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୫୦୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍‌ ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକୁ ୨୫୧ କ୍ୟୁସେକ୍ ପାଣି ଯୋଗାଇ ଦିଆଯାଉଛି। ମହାନଦୀରେ ପର୍ଥଲାଠାରେ ୩୮,୪୫୨ କ୍ୟୁସେକ୍, ଖଇରମାଲରେ ୪,୩୦,୦୦୦ କ୍ୟୁସେକ୍, ବରମୂଳଠାରେ ୪,୪୦,୦୦୦ କ୍ୟୁସେକ୍ ଓ ମୁଣ୍ଡଳୀଠାରେ ୪,୬୯,୨୨୧ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା।