ଯୁକ୍ତଦୁଇ କଳାରେ ଜିଲ୍ଲା ଟପ୍ପର ହେ‌ଲେ ଅଟୋ ଚାଳକଙ୍କ ଝିଅ ଗାୟତ୍ରୀ

ଜୟପୁର: ନିଜର ଲକ୍ଷ୍ୟ, ଦୃଢ଼ ଇଛା ଶକ୍ତି ରହିଲେ ଯେତେ ଅଭାବ ଓ ଅସୁବିଧା ରହିଲେ ମଧ୍ୟ ସଫଳ ହୋଇ ପାରିବ ଏହାକୁ ପ୍ରମାଣିତ କରି ଦେଖାଛନ୍ତି ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତଦୁଇ ଛାତ୍ରୀ କେ.ଗାୟତ୍ରୀ। ବାପା ଅଟୋଚାଳକ ହୋଇଥିଲେ ହେଁ ଝିଅ କେ.ଗାୟତ୍ରୀ ନିଜ ଅଧ୍ୟବସାୟ ଫଳରେ ଯୁକ୍ତଦୁଇ କଳାରେ ୫୨୭ମାର୍କ ଆଣି ଜିଲ୍ଲାରେ ହୋଇଛନ୍ତି ଟପ୍ପର। ଯୁକ୍ତତିନି ରାଜନିତୀ ବିଜ୍ଞାନ ସମ୍ମାନରେ ପଢ଼ିବା ସହ ୟୁପିଏସସି ପରୀକ୍ଷା ଦେବେ ଭାଗ୍ୟ ଯଦି ସାଥ ଦେବ ଏବଂ ଭଲ ରେଙ୍କ ମିଳିଲେ ଆଇଏଏସ୍ କିମ୍ବା ଆଇପିଏସ୍ ହୋଇ ଦେଶ ମାତୃକାର ସେବା କରିବା ଲକ୍ଷ୍ୟ ରଖିଛନ୍ତି ଗାୟତ୍ରୀ। ଜୟପୁର ବ୍ଲକର ନିପଟ ମପସଲ ଗାଁ ବଡ଼ପଡ଼ାରେ ଗାୟତ୍ରୀଙ୍କ ଘର। ବାପା କେ.ଗୋବିନ୍ଦ ରାଓ ଜଣେ ଅଟୋଚାଳକ। ମା’ କେ. ପଦ୍ମାବତୀ ଗୃହିଣୀ। ଘରେ ୫ମରେ ପଢ଼ୁଥିବା ସାନ ଭଉଣୀ। ବାପା ଗୋବିନ୍ଦା ଅଟୋ ଚଳାଇ ଯାହା ରୋଜଗାର କରନ୍ତି ସେଥିରେ, ପରିବାର ଚଳାଇବା ସହ ପିଲାଙ୍କୁ ପାଠ ପଢାନ୍ତି। ଆଉ ବାପାଙ୍କ ପରିଶ୍ରମର ମୂଲ ବୁଝି ଶିକ୍ଷାକ୍ଷେତ୍ରରେ ନିଜର ଅଧ୍ୟବସାୟ ଜାରି ରଖନ୍ତି ଝିଅ କେ.ଗାୟତ୍ରୀ। ଯାହା ତାଙ୍କୁ ଆଜି ସାରା ଅଞ୍ଚଳରେ ଚର୍ଚ୍ଚିତ କରିଛି।

Sambad

ବଡ଼ପଡାରୁ ଜୟପୁର ବସରେ ଯିବା ଆସିବା କରି ଘରକୁ ଯାଇ ପାଠ ପଢ଼ୁଥିଲେ ଗାୟତ୍ରୀ। ବିନା ଟ୍ୟୁସନରେ ଶ୍ରେଣୀରେ ଯାହା ଅଧ୍ୟାପକ ମାନେ ପଢ଼ାଉଥିଲେ ମନଧ୍ୟାନରେ ଶୁଣୁଥିଲେ ଗାୟତ୍ରୀ। ଠିକ୍ ଭାବେ ଶ୍ରେଣୀରେ ପଢ଼ାଉଥିବା ପାଠକୁ ଠିପି ଘରକୁ ଯିବା ପରେ ବି ବିଶ୍ରାମ ନ ନେଇ ସେ ଦିନକୁ ୫ରୁ ୬ଘଣ୍ଟା ସେ ପଢ଼ା ପଢ଼ି କରୁଥିଲେ। ପରିଶ୍ରମ ଆଗରେ ହାର ମାନିଛି ଅଭାବ ଅସୁବିଧା। ଆଉ ପୂରା ଜିଲ୍ଲାରେ ଏକ ନମ୍ବର ସ୍ଥାନରେ ରହି ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ। ସ୍ଥାନୀୟ ବଡ଼ପଡାରେ ଥିବା ସ୍କୁଲରେ ୮ମ ପର୍ଯ୍ୟନ୍ତ ପଢ଼ିବା ପରେ ହରଡାପୁଟସ୍ଥ ବାଳିକା ସେବାଶ୍ରମ ବିଦ୍ୟାଳୟରେ ଦିବ୍ୟାଧ୍ୟାୟୀ ଛାତ୍ରୀ ଭାବେ ପଢ଼ିଥିଲେ। ମାଟ୍ରିକରେ ୬୬ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ। ସମ୍ପ୍ରତି ଛାତ୍ରଛାତ୍ରୀ ମାନେ କୋଚିଂ, ଟ୍ୟୁସନ୍ ଓ ୟୁଟୁବ୍ ଉପରେ ନିର୍ଭର ରହି ଆସୁଥିବା ବେଳେ ସେ କିନ୍ତୁ ନିଜର ଲକ୍ଷ୍ୟ, ଦୃଢ଼ ଇଛା ଶକ୍ତି ପାଇଁ ନିଜେ ପାଠ ପଢ଼ି ସଫଳ ହୋଇଛନ୍ତି। ନିଶ୍ଚିତ ରୁପେ ଗାଁର ଝିଅ ଗାୟତ୍ରୀ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣାର ଉତ୍ସ।

ସମ୍ବନ୍ଧିତ ଖବର