ରାଜନଗର: ସାର୍କ ଭଳି ଦେଖାଯାଉଥିବା ‘ଜିଆଣ୍ଟ୍‌ ଗିଟାର୍‌’ ମାଛ କଲିକତା ଚାଲାଣ ବେଳେ ବନବିଭାଗ ଜବତ କରିଛି। ଚାଲାଣ ହେଉଥିବା ଗାଡ଼ି ସହ ମାଛ ଓ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଏହି ଜାତୀୟ ମାଛ ବିରଳ ପ୍ରଜାତିର। ହେଲେ, ଏହାକୁ ଧରିବାରେ କୌଣସି କଟକଣା ନ ଥିବାରୁ ନୋଟିସ ଦେଇ ଡ୍ରାଇଭର ଓ ଗାଡିକୁ ବନବିଭାଗ ଛାଡି ଦେଇଛି। ତେବେ ଏହି ମାଛର ସଂରକ୍ଷଣ ପାଇଁ ବିଭିନ୍ନ ସ୍ତରରୁ ଦାବି ଉଠିଛି। ଗତକାଲି ସଂଧ୍ୟାରେ ରେଣୁକା ଟ୍ରାନ୍ସପୋର୍ଟର ଗାଡ଼ିରେ ସାନବଡ଼ଗୋପାଳପୁର ଘାଟରୋଡରେ କଲିକତା ଯିବାକୁ ମାଛ ଲୋଡ୍‌ ହେଉଥିଲା। ଏହି ସମୟରେ ସ୍ଥାନୀୟ ମତ୍ସ୍ୟଜୀବୀ ବିରାଟକାୟ ମାଛ କଟା ହୋଇ ପ୍ୟାକିଂ ହୋଇଥିବା ଦେଖି ସ୍ଥାନୀୟ ବନବିଭାଗକୁ ଖବର ଦେଇଥିଲେ। ରାଜନଗର ରେଂଜ୍‌ର ଫରେଷ୍ଟଗାର୍ଡ ତ୍ରିଦୀପ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମାଛ ଓ ଗାଡିକୁ ବନବିଭାଗ କାର୍ଯ୍ୟାଳୟକୁ ନେଇଥିଲେ। ସାଢେ ୪ ଫୁଟ ଲମ୍ବ ଓ ୨୫ କେଜି ଓଜନର ‘ଜିଆଣ୍ଟ୍‌ ଗିଟାର୍‌’ ମାଛକୁ ଦୁଇ ଖଣ୍ତ କରି ମାଛ ପେଟିରେ ପ୍ୟାକିଂ କରାଯାଇଥିଲା। ଏହାର ଫଟୋ ଉଠାଇ ତନଖି କରାଯିବା ପରେ ଏହା ‘ଜିଆଣ୍ଟ୍‌ ଗିଟାର୍‌’ ମାଛ ବୋଲି ଜଣାପଡିଥିଲା।

Advertisment

ଏହାପରେ ନୋଟିସ ଦେଇ ଗାଡି ଓ ଡ୍ରାଇଭରକୁ ଛାଡି ଦିଆଯାଇଛି। ସୂଚନାଯୋଗ୍ୟ ଯେ, ‘ଜିଆଣ୍ଟ୍‌ ଗିଟାର୍‌’ ମାଛ ସାରା ପୃଥିବୀରେ ୬ ପ୍ରଜାତିର ଦେଖାଯା’ନ୍ତି। ବଂଗୋପସାଗରରେ ଏହି ମାଛ ଦେଖାଯା’ନ୍ତି। ପୃଥିବୀର ବିଭିନ୍ନ ଦେଶରେ ଏହି ମାଛର ଚମଡାରେ ବେଆ‌ଇନ ଭାବେ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ବିଶେଷକରି ବାଲାଂଦେଶରେ ଏହି ମାଛର ସଂରକ୍ଷଣ ଉପରେ ଅନୁଧ୍ୟାନ କରାଯାଉଛି। ଏହି ମାଛ ଆଇୟୁସିଏନ ତାଲିକାର କ୍ରିଟିକାଲ ଇଣ୍ଡେନ ଗ୍ରୁପ୍‌ରେ ରହିଛି। ଏହାକୁ ଧରିବାରେ କୌଣସି କଟକଣା ନଥିଲେ ମଧ୍ୟ ଏହି ବିରଳ ପ୍ରଜାତିର ମାଛ ଜାଲରେ ପଡିଲେ ଚାଲାଣ ପୂର୍ବରୁ ବନବିଭାଗକୁ ଜଣାଇବାକୁ ସମସ୍ତ ମତ୍ସ୍ୟଜିବୀମାନଙ୍କୁ ପୂର୍ବରୁ ସୂଚନା ଦିଆଯିବା ସହ ସଚେତନ କରାଯାଇଥିଲା। ଏହାସତ୍ବେ ମଧ୍ୟ ମତ୍ସ୍ୟଜୀବୀମାନେ ଏହି ମାଛ କେଉଁ ଶ୍ରେଣୀର ଓ ଏହାକୁ ଧରାଯିବାରେ କଟକଣା ରହିଛି ନାଁ ନାହିଁ ନ ଜାଣି ମଧ୍ୟ ଏହାକୁ ଧରିବା ପରେ ନ ଜଣାଇ ଚାଲାଣ କରୁଛନ୍ତି। ଏହି ମାଛର ସଂରକ୍ଷଣ ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ପରିବେଶବିତମାନେ ଦାବି କରିଛନ୍ତି। ଉଲ୍ଲେଖଥାଉ କି, ୭ ମାସ ତଳେ ସାନବଡ଼ଗୋପାଳପୁର ପଂଚାୟତର ଗର୍ଜନପୁର ରାସ୍ତାରେ ଥିବା ଏକ ମାଛଅର୍ତରୁ ଦୁଇଟି ସାଙ୍କୁଚ ଜବତ କରାଯାଇଥିଲା। ଜବତ ସାଙ୍କୁଚ ତଫସିଲ-୧ ଶ୍ରେଣୀଭୁକ୍ତର ହିମାନଟୁରାଏସପି ପ୍ରଜାତିର ଥିଲା। ଏହି ଶ୍ରେଣୀର ସାଙ୍କୁଚକୁ ଧରିବା, ରଖିବା ଓ ବିକ୍ରି କରିବା ଦଣ୍ତନୀୟ ଅପରାଧ। ଏହାସତ୍ତ୍ବେ କେତେକ ମାଛ ଅର୍ତ ଏହି ସାଙ୍କୁଚକୁ କିଣି ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯିବା ପରେ ଏହି ପ୍ରଜାତିର ସାଙ୍କୁଚ ଧରାଯିବା ଓ ଚାଲାଣ ହ୍ରାସ ପାଇଛି।