ରାଉରକେଲା : ପୁଲ୍ ‘ବି’ରେ ନିଜର ଶେଷ ମ୍ୟାଚ୍କୁ ସହଜରେ ଜିତିନେଇଛି ବେଲ୍ଜିୟମ। ପ୍ରତିପକ୍ଷ ଜାପାନକୁ ସଂପୂର୍ଣ୍ଣ ଏକତରଫା ଭାବେ ୭-୧ ଗୋଲ୍ରେ ପରାସ୍ତ କରି ସର୍ବାଧିକ ୭ ପଏଣ୍ଟ୍ ସହ ପୁଲ୍ ଶୀର୍ଷ ସ୍ଥାନ ଦଖଲ କରିଛି। ଏହାସହ ବେଲଜିୟମ କ୍ବାର୍ଟର ଫାଇନାଲ ପ୍ରବେଶ କରିଛି। ଅପରପକ୍ଷରେ ଜର୍ମାନି ନିଜ ଶେଷ ଲିଗ୍ ମ୍ୟାଚ୍ରେ ଜାପାନକୁ ବଡ଼ ୭-୨ ଗୋଲ୍ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। କିନ୍ତୁ ବେଲଜିୟମ ଗୋଲ୍ ବ୍ୟବଧାନରେ ଆଗରେ ରହିବାରୁ ଜର୍ମାନି ପଏଣ୍ଟ୍ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି।
ବେଲଜିୟମ ଓ ଜାପାନ ମ୍ୟାଚ୍ରୁ ଯାହା ଆଶା କରାଯାଉଥିଲା; ତାହା ହିଁ ଘଟିଛି। ଶକ୍ତିଶାଳୀ ବେଲଜିୟମ ମ୍ୟାଚ୍ ଆରମ୍ଭରୁ ଆକ୍ରମଣାତ୍ମକ ମନୋଭାବ ଆପଣେଇଥିଲେ। ତେବେ ମ୍ୟାଚ୍ର ପ୍ରଥମ କ୍ବାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ବେଲଜିୟମ କିନ୍ତୁ ଆକ୍ରମଣକୁ ଶାଣିତ କରିଥିଲା। ୧୮ତମ ମିନିଟ୍ରେ ସେଡ୍ରିକ୍ ଚାର୍ଲିଅର୍ଙ୍କ ଷ୍ଟିକ୍ରୁ ପ୍ରଥମ ଗୋଲ୍ ଆସିଥିଲା। ଏହାପରେ ଟମ୍ ବୁମ୍ଙ୍କ ଲଗାତାର ୫ଟି (୨୨, ୨୭, ୨୮, ୫୧, ୫୬ ମିନିଟ୍) ଗୋଲ୍ ଓ ସେବାସ୍ତିଆନ ଡୋକିଅର (୫୨ ମିନିଟ୍)ଙ୍କ ଗୋଟିଏ ଗୋଲ୍ ବଳରେ ଦଳ ମୋଟ୍ ୭ଟି ଗୋଲ୍ ସ୍କୋର୍ କରିଥିଲା। ମ୍ୟାଚ୍ର ୪୬ତମ ମିନିଟ୍ରେ ଜାପାନର କେଣ୍ଟାରୋ ଫୁକୁଡ଼ା ମାତ୍ର ଗୋଟିଏ ଗୋଲ୍ ଶୁଝିବାରେ ସଫଳ ହୋଇଥିଲେ। ଟମ୍ ବୁମ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ସେହିଭଳି ଶେଷ ମ୍ୟାଚ୍ରେ ଜର୍ମାନି ୭-୨ ଗୋଲ୍ରେ କୋରିଆକୁ ପରାସ୍ତ କରିଥିଲା। ଏହାଫଳରେ ଗ୍ରୁପ୍ର ଦ୍ବିତୀୟ ସ୍ଥାନରେ ରହି ଜର୍ମାନି ଆସନ୍ତା ୨୩ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା କ୍ରସ୍ଓଭର ମ୍ୟାଚ୍ରେ ଫ୍ରାନ୍ସକୁ ଭେଟିବ। ଶୁକ୍ରବାର ଜର୍ମାନିର ନିକଲାସ ୱେଲେନଙ୍କ ହ୍ୟାଟ୍ରିକ୍ ଗୋଲ୍ (୨, ୧୭, ୪୧ ମିନିଟ୍) ସାଙ୍ଗକୁ ଗଞ୍ଜାଲୋ ପେଲେଟ୍ (୪୩), ଜଷ୍ଟିସ୍ ୱିଗେଣ୍ଡ୍ (୫୧), ମ୍ୟାଟ୍ସ ଗ୍ରାମ୍ବସ୍କ (୫୩) ଓ ମୋର୍ଟିଜ୍ ଲୁଡ୍ୱିଗ (୫୩)ଙ୍କ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଜବାବରେ କୋରିଆ ମାତ୍ର ଦୁଇଟି ଗୋଲ୍ ଶୁଝି ପାରିଥିଲା। ଜୋଙ୍ଗହ୍ୟୁନ ଜାଙ୍ଗ୍ (୧୫ ଓ ୬୦ ମିନିଟ୍) ଉଭୟ ଗୋଲ୍ କରିଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ନିକଲାସ ୱେଲେନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।