ଜୟପୁର: ସାଇକେଲରେ ଜୟପୁରରୁ ଦୁଇଟି ଜ୍ୟୋର୍ତିଲିଙ୍ଗ ଦର୍ଶନରେ ବାହାରିଛନ୍ତି ୬୦ ବର୍ଷୀୟ ବୃଦ୍ଧ ଘାସିରାମ ପଣ୍ଡା। ଗତ ୩ତାରିଖ ଦିନ ସେ ଜୟପୁରରୁ ବାହାରିଛନ୍ତି। ସ୍ବାମୀ ଆୟାପ୍ପା ବ୍ରତ ଧରିବା ସହ ଘାସିରାମ ଖାଲି ପାଦରେ ନିଜର ସାଧାରଣ ସାଇକେଲରେ ଚଳାଇ ବାହାରିଛନ୍ତି। ପ୍ରଥମେ ସେ ଦକ୍ଷିଣଭାରତର ଶ୍ରୀଶୌଳମ୍ ଯାଇ ମଲ୍ଲିକାର୍ଜୁନଙ୍କ ଦର୍ଶନ କରିବା ପରେ ସେଠାରୁ ଉତ୍ତର ଭାରତର ବନାରସରେ ଥିବା କାଶୀବିଶ୍ବନାଥଙ୍କ ଦର୍ଶନ କରିବା ଲକ୍ଷ୍ୟ ରଖିଛନ୍ତି। ପ୍ରତ୍ୟେକ ଦିନ ୧୦୦କିଲୋମିଟର ସାଇକେଲ ଚଳାଇ ଚଳାଇ ରାସ୍ତା ଅତିକ୍ରମ କରିବା ଲକ୍ଷ୍ୟ ରଖିଛନ୍ତି। ରାସ୍ତାରେ ପଡୁଥିବା ମନ୍ଦିର, ମଠ ଆଦିରେ ରାତ୍ରଯାପନ କରିବା ସହ ଭୋରରୁ ରାତ୍ର ପର୍ଯ୍ୟନ୍ତ ପୁଣି ସାଇକେଲ ଚଳାଇ ଯାଉଛନ୍ତି ଘାସିରାମ। ସେ ବ୍ରତଧାରୀ ହୋଇଥିବାରୁ ରାସ୍ତାରେ ଥିବା ମନ୍ଦିର ଓ ମଠ ଗୁଡିକରେ ପ୍ରସାଦ ସେବନ କରୁଥିବା କହିଛନ୍ତି।

Advertisment

ସେଭଳି ସେ ଅତିକ୍ରମ କରିବା ସମୟରେ ରାସ୍ତାରେ ପଡୁଥିବା ବିଭିନ୍ନ ବଡ଼ ଓ ଛୋଟ, ଖ୍ୟାତି ସଂପନ୍ନ ମନ୍ଦିରଗୁଡିକରେ ବି ଭଗବାନ, ଦେବୀ, ଦେବତା ଆଦିଙ୍କର ଦର୍ଶନ କରି ସାନିଧ୍ୟ ଲାଭ କରି ଆଗକୁ ଆଗକୁ ବଢ଼ି ବଢ଼ି ଯାଉଥିବା କହିଛନ୍ତି ଘାସିରାମ । ଏଥି ପୂର୍ବରୁ ସେ ସମଗ୍ର ଓଡିଶାର ସବୁ ପ୍ରମୁଖ ଦେବାଦେବୀ ପୀଠ ଗୁଡିକୁ ଏଭଳି ସାଇକେଲରେ ଯାଇ ଦର୍ଶନ କରି ଫେରିଥିବା କହିଛନ୍ତି ଘାସିରାମ। ସାଇକେଲରେ ଯାତ୍ରା କରିବା ଦ୍ବାରା ସ୍ବାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୁଷଣ ମୁକ୍ତ ବି ହେଉଥିବା କହିଛନ୍ତି ଘାସିରାମ। ଘାସିରାମ ନିତିଦିନିଆ ଜୀବନଯାପନ ବେଳେ ବି ସାଇକେଲରେ ହିଁ ବୁଲନ୍ତି। ବଜାରକୁ ଯିବାଠାରୁ ଆରମ୍ଭ କରି ଜିଲ୍ଲା ମଧ୍ୟରେ ବି ଯେଉଁ ସ୍ଥାନକୁ ଗଲେ ବି ସାଇକେଲରେ ଯାଇଥାଆନ୍ତି।