ବାଟ ଓଗାଳୁଛି ଭୂତ! ଭୟଭୀତ ରାମ୍ବୁ ଗ୍ରାମବାସୀ, ରାତିରେ ଯାତାୟାତ ବନ୍ଦ 

ରାୟଗଡ଼ା,: ବାଟ ଓଗାଳୁଛି ଭୂତ! ଗାଁ ରାସ୍ତାରେ ଘୁରି ବୁଲିବା ସହ ଲୋକଙ୍କୁ ଦେଖିବା କ୍ଷଣି ରାସ୍ତା ଉପରେ ଠିଆ ହୋଇ ରହୁଛି। ବିଜ୍ଞାନ ଯୁଗରେ କଥାଟି କାନକୁ ସତ ମନେ ହେଉ ନଥିଲେ ମଧ୍ୟ ପ୍ରେତାତ୍ମାକୁ ନେଇ ବିଷମକଟକ ବ୍ଲକ୍ ରାମ୍ବୁ ଗାଁରେ ଖେଳିଯାଇଛି ଭୟର ବାତାବରଣ। ଦୁଇ ଯୁବକ ପ୍ରେତାତ୍ମାକୁ ଦେଖିବା ପରଦିନଠୁ ରାତିରେ ଗାଁ ରାସ୍ତାରେ ଯାତାୟାତ ବନ୍ଦ ହୋଇ ପଡିଛି। ଜରୁରୀ କାମ କିମ୍ବା ଆବଶ୍ୟକ ପଡ଼ିଲେ ଦଳଗତ ହୋଇ ଲୋକେ ଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ବିଷକଟକ ବ୍ଲକର ରାମ୍ବୁ ଗାଁ। ବିଷମକଟକ-କୁମ୍ଭାରଢ଼ାମୁଣି ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରୁ ଗାଁର ଦୂରତା ୨ କିମି। ଗତ ୨୪ ତାରିଖରେ ଗାଁର ଦୁଇ ଯୁବକ ଅନାଦି ରାଲିକା, ଚିନା ରାଲିକା କୌଣସି କାମରେ ବାଇକ ଯୋଗେ ବିଷମକଟକ ବଜାରକୁ ଆସିଥିଲେ। କାମ ସାରି ରାତି ୯ଟାରେ ଗାଁକୁ ଫେରୁଥିବା ସମୟରେ ଆଙ୍କୁଲପଦର ଛକରେ ଥିବା ପୋଖରୀ ନିକଟରେ ଜଣେ ଯୁବତୀ ଠିଆ ହୋଇଥିବା ଦେଖିଥିଲେ। ଯୁବତୀ ଜଣଙ୍କ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ବାଇକ ଲାଇଟ୍ ଦେଖି ପୋଖରୀକୁ ଲାଗିଥିବା ଏକ ମହୁଲ ଗଛ ନିକଟକୁ ପଳାଇଥିଲା।

ରାତିରେ ଯୁବତୀ ଜଣଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖିବା ପରେ ଅନାଦି, ଚିନା ନିଜ ମୋବାଇଲରେ ଫଟୋ ଉତ୍ତୋଳନ କରିଥିଲେ। ଫଟୋ ଉଠାଇବା ସମୟରେ ଯୁବତୀ ଜଣଙ୍କ ଗଛ ଉହାଡରେ ଲୁଚିଯିବା ସହ ବାରମ୍ବାର ଅନାଦି ଓ ଚିନାକୁ ଦେଖିଥିଲା। ଭୟଭୀତ ନ ହୋଇ ଦୁଇ ସାଙ୍ଗ ବାଇକକୁ ଆଗକୁ ନେବା ପରେ ସଙ୍ଗେ ସଙ୍ଗେ ପ୍ରେତାତ୍ମା କୁଆଡେ ଉଭେଇ ଯାଇଥିଲା। ଭୟରେ ଦୁଇ ସାଙ୍ଗ ଘଟଣାସ୍ଥଳରୁ ପଳାଇ ଆସି ଗ୍ରାମବାସୀଙ୍କୁ ସମସ୍ତ କଥା କହିବା ସହ ମୋବାଇଲରେ ଉଠାଇଥିବା ଫଟୋ ଦେଖାଇଥିଲେ।

ଉଠିଥିବା ଫଟୋରେ ଯୁବତୀ ଜଣଙ୍କ ପ୍ରେତାତ୍ମା ସଦୃଶ୍ୟ ଦେଖାଯାଉଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ଏହା ପୂର୍ବରୁ ମଧ୍ୟ ଉକ୍ତ ସ୍ଥାନରେ ଏମିତି ପ୍ରେତାତ୍ମାର ଝଳକ ଦେଖିବାକୁ ମିଳିଛି ବୋଲି କହିଛନ୍ତି ଗ୍ରାମବାସୀ। ଅନ୍ୟପକ୍ଷରେ ଆଙ୍କୁଲପଦର ଛକରେ ଥିବା ପୋଖରୀରେ ବୁଡ଼ି କିଛି ଯୁବତୀ/ଯୁବକ ମୃତ୍ୟୁବରଣ କରିଥିବାରୁ ସେମାନଙ୍କ ପ୍ରେତାତ୍ମା ଏହି ଅଞ୍ଚଳରେ ଘୁରି ବୁଲୁଛି ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଗତ ୨୪ ତାରିଖ ପରଠୁ ଗ୍ରାମବାସୀ ସଂଧ୍ୟା ହେବା କ୍ଷଣି ଏହି ରାସ୍ତାରେ ଯାତାୟାତ କରିବା ପାଇଁ ଭୟ କରୁଛନ୍ତି। ଅନାଦି ଓ ଚିନା ଉଠାଇଥିବା ପ୍ରେତାତ୍ମାର ଫଟୋ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ପରେ ପ୍ରେତାତ୍ମାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ହେତୁବାଦୀଙ୍କ ମତରେ ଭୂତ, ପ୍ରେତ ବୋଲି ଦୁନିଆରେ କିଛି ନାହିଁ।

ସମ୍ବନ୍ଧିତ ଖବର