ଘୁ.ଉଦୟଗିରି: ମହନୀୟତା ଓ ମାନବିକତାର ନିଦର୍ଶନ ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ ବିଡିଓ ବିଜୟ କୁମାର ପ୍ରଧାନ। ଗତକାଲି ରାତିରେ ରାସ୍ତାରେ ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା ୨ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଘୁ.ଉଦୟଗିରି ଡାକ୍ତରଖାନା ଆଣି ଚିକିତ୍ସା କରାଇଛନ୍ତି। ଖାଲି ଏତିକି ନୁହେଁ, ନିଜେ ଉପସ୍ଥିତ ରହି ଚିକିତ୍ସା ତଦାରଖ କରିବା ସହ ଗୁରୁତର ଯୁବକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ।

Advertisment

ସୂଚନାନୁସାରେ, ଗତକାଲି ରାତିରେ ଘୁ.ଉଦୟଗିରି ବ୍ଲକ୍ ବିଡିଓ ବିଜୟ କୁମାର ପ୍ରଧାନ ଘୁ.ଉଦୟଗିରି ବ୍ଲକ୍ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବଡ଼ଦିନ ପାଳନ ପ୍ରସ୍ତୁତି ତଦାରଖ କରି ଫେରୁଥିଲେ। ଏ ସମୟରେ ନିଲୁଙ୍ଗିଆ ଚର୍ଚ୍ଚ ନିକଟରେ ରଟିଙ୍ଗିଆ ପଞ୍ଚାୟତ ଧାଙ୍ଗଡ଼ାମାହା ଗ୍ରାମର ଚିତ୍ତରଞ୍ଜନ ପ୍ରଧାନ (୨୫) ଓ ଅସିତ୍ ପ୍ରଧାନ (୧୮) ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଉଭୟ ଯାକାମାହାରୁ ଭଉଣୀ ଘରୁ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ହାଡ଼ଥରା ଶୀତରେ ରାସ୍ତା ଉପରେ ପଡ଼ି ରହିଥିଲେ।
ବିଡିଓ ପ୍ରଧାନ ଏହା ଦେଖି ଗାଡ଼ିକୁ ଅଟକାଇ ସଂଗେ ସଂଗେ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ। କିନ୍ତୁ ସେବା ଉପଲବ୍ଧ ନାହିଁ ଜବାବ ମିଳିଥିଲା। ସେପଟେ ଆମ୍ବୁଲାନ୍ସ୍ ସହ ଯୋଗାଯୋଗ କରିଥିଲେ ବି ଆସି ନଥିଲା। ବିଡିଓ ନିଜ ଗାଡ଼ିରେ ଦୁଇ ଆହତଙ୍କୁ ଉଦ୍ଧାର କରି ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ନିଜେ ଉପସ୍ଥିତ ରହି ଚିକିତ୍ସା କରାଇବା ସହ ଗୁରୁତର ଅସିତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। ସେହିପରି ନିଜ ଗାଡ଼ି ପଠାଇ ଗୁରୁତରଙ୍କ ପରିବାରକୁ ଖବର ଦେବା ସହ ଆତ୍ମୀୟଙ୍କୁ ଆଣିଥିଲେ। ବିଡିଓ ପ୍ରଧାନଙ୍କ ଏହି ମହନୀୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।