ତପନଙ୍କୁ ଅକର୍ମଣ୍ୟ ସଜେଇ ଦେଲା ସରକାରୀ ଡାକ୍ତରଖାନା!

ଭତ୍ତା ଖଣ୍ଡିଏ ଧରାଇ ଦେଇ ହାତ ଝାଡ଼ି ଦେଇଛି ପ୍ରଶାସନ

ଘୁ.ଉଦୟଗିରି : ସରକାରୀ ଡାକ୍ତରଖାନାର ଅବହେଳା ପାଇଁ ସାରା ଜୀବନ ପାଇଁ ଅକର୍ମଣ୍ୟ ହୋଇଗଲେ ତପନ। ଡାକ୍ତରଙ୍କ ବେପରୁଆ ଚିକିତ୍ସା ତାଙ୍କୁ ଆଜି ଶଯ୍ୟାଶାୟୀ କରାଇଦେଇଛି। ଗୋଟିଏ ପଟେ ଉତ୍ତମ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଅନ୍ୟପଟେ ସହାୟତା ଭାବେ ପ୍ରଶାସନ କେବଳ ଏକ ଭିନ୍ନକ୍ଷମ ଭତ୍ତାଟିଏ ଧରାଇ ଦେଇ ଚୁପ୍ ବସିଯାଇଛି।
ଘରର ଜଣେ ମାତ୍ର ରୋଜଗାରିଆ ଥିବା ତପନ ଶଯ୍ୟାଶାୟୀ ହେବା ପରେ ଏବେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ଦୁଇ ଓଳା ଖାଇବା ଗଣ୍ଡାକ ପାଇଁ ସଂଘର୍ଷ କରିବାକୁ ପଡ଼ୁଥିବା ବେଳେ ଘର ଖଣ୍ଡିଏ ନଥିବାରୁ ଭଙ୍ଗା ଦଦରା ଚାଳ ଘରେ ଏବେ ଦିନ କାଟିବାକୁ ପଡ଼ୁଛି।

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ ତଲାରିମାହା ପଞ୍ଚାୟତ ପ୍ରଧାନପଡ଼ା ଗ୍ରାମର ତପନ କହଁର (୫୩)। ସେ ଜଣେ ଆଦିବାସୀ ଓ ପରିବାର କହିଲେ ସ୍ତ୍ରୀ, ପୁଅ ଓ ବୋହୂ। ଦିନ ମଜୁରିଆ ଭାବେ କାମ କରି ପ୍ରତିପୋଷଣ କରୁଥିଲେ। ହେଲେ ୨୦୦୩ ମସିହାରେ ତପନ ହଠାତ୍ ଦୁର୍ଭାଗ୍ୟବଶତଃ ନିଆଁରେ ପୋଡ଼ି ହୋଇଯାଇଥିଲେ।

ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ପାଇଁ ତାଙ୍କର ହାତ ଓ ଗୋଡ଼ ଅଚଳ ହୋଇଯାଇଥିଲା। ଫଳରେ ସେ ସଠିକ୍ ଭାବେ ଚଳପ୍ରଚଳ କରି ପାରି ନଥିଲେ।

ଗରିବ ଶ୍ରେଣୀର ହୋଇଥିବାରୁ ଆର୍ଥିକ ସମସ୍ୟା ପାଇଁ ଉତ୍ତମ ଚିକିତ୍ସା କରାଇ ପାରି ନଥିଲେ। ଏଥିପାଇଁ ସରକାରୀ ବାବୁ ଓ ପ୍ରାଶାସିନକ ଅଧିକାରୀଙ୍କୁ ଗୁହାରି କରିଥିଲେ ହେଁ କୌଣସି ଫଳ ମିଳି ପାରି ନଥିଲା। ସହାୟତା ଭାବେ ପ୍ରଶାସନ ୨୦୧୦ ମସିହାରେ କେବଳ ଏକ ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରି ନିରବ ବସିଗଲା।

ବର୍ତ୍ତମାନ ତପନ ଦୀର୍ଘ ୧୭ ବର୍ଷ ହେବ ଭଙ୍ଗା ଦଦରା ଚାଳଘରରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ହେଲେ ଆବାସ ଯୋଜନାଟିଏ ତାଙ୍କ ପାଇଁ ସାତସପନ ପାଲଟିଛି। ଭିନ୍ନକ୍ଷମ ଭତ୍ତା ଆକାରରେ ମାସିକ ୭୦୦ ଟଙ୍କା ମିଳୁଥିଲେ ହେଁ, ଏହି ମହରଗ ଯୁଗରେ ସେହି ଟଙ୍କାରେ ନିଜେ ଔଷଧ ଖାଇବା ସହ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ୁଛି।

ଅନ୍ୟପକ୍ଷରେ ଏବେବି ତାଙ୍କର ଉତ୍ତମ ଚିକିତ୍ସା କରାଗଲେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ପାରିବେ ବୋଲି ପରିବାର ଲୋକ ଆଶା ରଖିଛନ୍ତି। ତାଙ୍କ ନାମରେ ବିପିଏଲ୍ କାର୍ଡ଼ ରହିଥିବା ବେଳେ ସ୍ବାସ୍ଥ୍ୟବୀମା ମାଧ୍ୟମରେ ତାଙ୍କୁ ମାଗଣାରେ ଚିକିତ୍ସା କରାଯାଉ ବୋଲି ପରିବାର ଲୋକ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଏନେଇ ସ୍ଥାନୀୟ ଗଟାମାହା ଗ୍ରାମର ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କାରଣ ତପନଙ୍କ ଦୁଇ ହାତ ସଂକ୍ରମିତ ହୋଇ ନଷ୍ଟ ହେବାକୁ ବସିଥିବାରୁ ସେ ଆଉ ଚଲାବୁଲା କରି ପାରୁନାହାନ୍ତି।

ସମ୍ବନ୍ଧିତ ଖବର