ଘୁ ଉଦୟଗିରିରେ ବଡ଼ ଦିନ ପାଇଁ ବଡ଼ ପ୍ରସ୍ତୁତି, ପୁଲିସ ପକ୍ଷରୁ ନାକା, ୫ ପ୍ଲାଟୁନ୍ ଫୋର୍ସ ମୁତୟନ

ଘୁ.ଉଦୟଗିରି: ଆସନ୍ତାକାଲି ବଡ଼ଦିନ। ଚଳିତବର୍ଷ ନିରାଡ଼ମ୍ବର ସହକାରେ କୋଭିଡ୍ କଟକଣା ଭିତରେ ବଡ଼ଦିନ ପାଳନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ଏହି କ୍ରମରେ ଘୁ.ଉଦୟଗିରି ସହର ଓ ଉପକଣ୍ଠ ଅଞ୍ଚଳରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସାନ ଚର୍ଚ୍ଚରେ ୨୦ ଓ ବଡ଼ ଚର୍ଚ୍ଚରେ ୫୦ ଜଣଙ୍କ ଉପସ୍ଥିତିରେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଏହି ସ୍ବତନ୍ତ୍ର ଦିନ ପାଳିତ ହେବ। ଏଥିପାଇଁ ସାନିଟାଇଜର୍ ବ୍ୟବହାର ଓ ସାମାଜିକ ଦୂରତ୍ବ ଅବଲମ୍ବନକୁ ବାଧ୍ୟତାମୂଳକ କରାଯାଇଛି।

ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଥାନାଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି। ପାଞ୍ଚ ଜଣ ଅଫିସର୍‌ଙ୍କ ସମେତ ଏକ ପ୍ଲାଟୁନ୍ ଫୋର୍ସ ଓ ଓଏସ୍‌ଏପି ଅଷ୍ଟମ ବାଟାଲିଅନ୍ ଯବାନ ମୁତୟନ ହୋଇଛନ୍ତି। ସହରରେ ଆଜିଠୁ ନାକା ଆରମ୍ଭ ହୋଇଥିବା ବେଳେ ସମସ୍ତ ଯାନବାହନର କାଗଜପତ୍ର ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ବିନା ହେଲମେଟ୍ ଓ ମାସ୍କଧାରୀଙ୍କ ଠାରୁ ଜରିମାନା ଆଦାୟ ‌ହେଉଛି।

ସେହିପରି ପ୍ରତି ଚର୍ଚ୍ଚରେ ପୁଲିସ ମୁତୟନ ରହିବେ। ସମସ୍ତ ଚର୍ଚ୍ଚକୁ ଗୃହରକ୍ଷୀ ଓ ଓଏସଏପି ଯବାନଙ୍କୁ ପଠାଇ ଦିଆଯିବ ବୋଲି ଥାନାଧିକାରୀ କହିଛନ୍ତି। ଏଥିପାଇଁ ଥାନା ଇଲାକାକୁ ତିନିଟି ସେକ୍ଟରରେ ବିଭକ୍ତ କରାଯାଇଛି। ତିନିଟି ସେକ୍ଟରରେ ଜଣେ ଜଣେ ଅଫିସରଙ୍କ ‌ସମେତ ଫୋର୍ସ ମୁତୟନ ହେବେ। ୩ଟି ପାଟ୍ରୋଲିଂ ଗାଡ଼ି ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଶାନ୍ତିଶୃଙ୍ଖଳାର ସହ ବଡ଼ଦିନ ଯେମିତି ପାଳନ ହେବ ଏଦିଗରେ ସମସ୍ତ ପଦ‌କ୍ଷେପ ଗ୍ରହଣ କରାଯାଉଛି।
ଅନ୍ୟପକ୍ଷରେ ବିଡିଓ ବିଜୟ ପ୍ରଧାନ ବ୍ଲକ୍ ଇଲାକାରେ ଥିବା ସମସ୍ତ ଚର୍ଚ୍ଚ ଓ ପ୍ରାର୍ଥନା ଗୃହ ବୁଲି ପ୍ରସ୍ତୁତି ତଦାରଖ କରିଛନ୍ତି। କୋଭିଡ୍ କଟକଣା ଭିତରେ ଯେଭଳି ପର୍ବ ପାଳନ ହେବ ଏହା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ବିଡିଓ କହିଛନ୍ତି। ଅନ୍ୟପକ୍ଷରେ କରୋନା କଟକଣା ଯୋଗୁଁ ପୂର୍ବ ବର୍ଷ ଭଳି ଏଥର ଚର୍ଚ୍ଚ ଗୁଡ଼ିକରେ ଆଲୋକମାଳା ଓ ସାଜସଜ୍ଜା ଦେଖିବାକୁ ମିଳୁନି।

ସମ୍ବନ୍ଧିତ ଖବର