ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡକୁ ନେଇ ଘୁମୁସର ଜିଲ୍ଲା ଗଠନ ପାଇଁ ପୁଣି ଆନ୍ଦୋଳନର ସ୍ବର ଉଠିଛି। ଏଥିପାଇଁ ବିଭିନ୍ନ ବର୍ଗର ଲୋକ ଏକାଠି ହୋଇ ସ୍ବର ଶାଣିତ କରିଛନ୍ତି। କାରଣ ଦୀର୍ଘ ୩୦ ବର୍ଷ ହେଲା ଏହି ଦାବି ଉପସ୍ଥପାପିତ ହୋଇଥିବା ବେଳେ ସରକାର ଏହାକୁ ବିଚାରରେ ନେଉନାହାନ୍ତି। ଜିଲ୍ଲା ଗଠନ କେବଳ ଚିଠି ନିଆଦିଆରେ ସୀମିତ ରହିଛି। ଏଭଳି ପରିସ୍ଥିତିରେ ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ଼କୁ ନେବା ଲାଗି ଭଞ୍ଜନଗର ଓକିଲ ସଂଘ ଅଣ୍ଟା ଭିଡ଼ିଛି। ଏଥିପାଇଁ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ କୋର୍ଟ ପରିସର ସୁବର୍ଣ୍ଣ ଜୟନ୍ତୀ ପାଠାଗାରରେ ଏକ ବୈଠକ ବସିଥିଲା। ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରିବାକୁ ସମସ୍ତଙ୍କ ବିଚାରବିମର୍ଶ ନିଆଯାଇଥିଲା। ସଭାପତି ସନ୍ତୋଷ ନାୟକଙ୍କ ପୌରହିତ୍ୟରେ ଉପଖଣ୍ଡ ଅଧୀନ ବିଭିନ୍ନ ବ୍ଲକ୍ରୁ ବହୁ ବୁଦ୍ଧିଜୀବୀ, ସଙ୍ଗଠକ, ଆଇନଜୀବୀ ଓ ଶିକ୍ଷାବିତ୍ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବ୍ରିଟିସ୍ ଶାସନ ଅମଳରେ ମାଡ୍ରାସ୍ ପ୍ରେସିଡେନ୍ସି ଅଧୀନରେ ଥିବା ଗଞ୍ଜାମ ଜିଲ୍ଲାରେ ସବୁଠାରୁ ବଡ଼ ଭୂଖଣ୍ଡ ଭାବେ ଘୁମୁସର ତାଲୁକା ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲା। ସଂପ୍ରତି ଜିଲ୍ଲାରେ ଭଞ୍ଜନଗର ସମେତ ଛତ୍ରପୁର ଓ ବ୍ରହ୍ମପୁର ତିନିଟି ସଦରମହକୁମା ରହିଛି। ଭଞ୍ଜନଗର ଅଧୀନରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡ଼ା, ଶେରଗଡ଼, ଧରାକୋଟ, ଆସିକା ଓ ବୁଗୁଡ଼ା ବ୍ଲକ୍ ରହିଛି। ଉପଖଣ୍ଡ ଆଖପାଖର ଆଉ ଦୁଇଟି ବ୍ଲକ୍କୁ ନେଇ ଘୁମୁସର ଜିଲ୍ଲା ଗଠନ ପାଇଁ ଦୀର୍ଘ ୩୦ ବର୍ଷ ହେଲା ବିଭିନ୍ନ ମାଧ୍ୟମରେ ଦାବି ଉପସ୍ଥାପନ ହେଉଛି। ଜିଲ୍ଲା ବିଭାଜିତ ସମୟରେ ଘୁମୁସର ଜିଲ୍ଲା ଗଠନ ନେଇ ପ୍ରସ୍ତାବ ଉଠିଥିଲା। କିନ୍ତୁ ଆଜି ସୁଦ୍ଧା ତାହା କାର୍ଯ୍ୟକାରୀ ନହେବା ପରିତାପର ବିଷୟ ବୋଲି ଆଲୋଚକମାନେ କହିଥିଲେ। ସେହିପରି କବିସୂର୍ଯ୍ୟନଗରର ସୂଚନା ଅଧିକାର କର୍ମୀ ବି.ଶଙ୍କର ପାତ୍ର ରାଜ୍ୟ ସରକାରଙ୍କ ଠାରୁ ଜିଲ୍ଲା ଗଠନ ନେଇ ରହିଥିବା ପ୍ରସ୍ତାବ ସଂର୍ପକରେ ହସ୍ତଗତ ହୋଇଥିବା ତଥ୍ୟ ଉପସ୍ଥାପନ କରିଥିଲେ।
ରାଜନୀତିରୁ ଊର୍ଦ୍ଧ୍ବରେ ରହି ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ୍ ହୋଇ ଦାବି ଉପସ୍ଥାପନ ସହ ଆନ୍ଦୋଳନକୁ ସହରାଞ୍ଚଳରେ ସୀମିତ ନରଖି ତୃଣମୂଳସ୍ତରକୁ ନେବାକୁ ଆହ୍ବାନ୍ ଦିଆଯାଇଥିଲା। ଏହାସହ ଆଗାମୀ ଦିନରେ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିବା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ଓ ବିଭିନ୍ନ ସମୟରେ ଶୋଭାଯାତ୍ରା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଏକ କାର୍ଯ୍ୟାଳୟ ଖୋଲିବାକୁ ସ୍ଥିର ହୋଇଛି।
ବରିଷ୍ଠ ଆଇନଜୀବୀ ରବି ଦାସ,ଏମ୍.ତାଜ୍ ଆଦେନୀ, ସନ୍ତୋଷ କୁମାର ତିଆଡ଼ି, ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକ, ବଣିକ ସଂଘ ସମ୍ପାଦକ ସୁଶାନ୍ତ ମହାପାତ୍ର, ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ପ୍ରେସ୍ କ୍ଲବ୍ ସଭାପତି ଲୋକନାଥ କର, ରୀତାରାଣୀ ମହାପାତ୍ର, ବି.ପ୍ରକାଶ ଚନ୍ଦ୍ର ପାତ୍ର, ଅଭିମନ୍ୟୁ ପଟ୍ଟନାୟକ ଓ ବୁଗୁଡ଼ା ଓକିଲ ସଂଘ ସମ୍ପାଦକ ଆର୍ତ୍ତବନ୍ଧୁ ଖାଡଙ୍ଗାଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମ୍ପାଦକ ଅମରେଶ ମହାପାତ୍ର, ଧୀରେନ୍ ସ୍ବାଇଁ, ଚନ୍ଦ୍ରମଣି ମହାପାତ୍ର ଓ ଗିରିଜା ଶଙ୍କର ଭୂୟାଁଙ୍କ ସମେତ ବହୁ ଆଇନଜୀବୀ ସହଯୋଗ କରିଥିଲେ।