ବୁଡ଼ିବାକୁ ବସିଲାଣି କରଡ଼ାପାଳର ‘ଘୁମୁରା ନାଚ’

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ପ୍ରଚଳିତ କେତେକ ଲୋକନୃତ୍ୟ ବୁଡ଼ିବାକୁ ବସିଲାଣି। ସରକାରୀ ପ୍ରୋତ୍ସାହନ ଅଭାବ, ନୃତ୍ୟଶିଳ୍ପୀଙ୍କ ଅନାଗ୍ରହ ପ୍ରମୁଖ କାରଣ ହୋଇଛି। ଏଭଳି ଏକ ଶିଳ୍ପୀ ଗାଁ ଗଁପୁର ପଞ୍ଚାୟତ କରଡ଼ାପାଳର ‘ଘୁମୁରା ନାଚ’ ମଧ୍ୟ ଦୁର୍ଦିନ ଦେଇ ଗତି କରୁଛି।

କରଡ଼ାପାଳରେ ପ୍ରାୟ ୫୦ଟି ଆଦିବାସୀ ଶବର ସଂପ୍ରଦାୟର ପରିବାର ବସବାସ କରିଆସୁଛନ୍ତି। ପର ଘରେ ମୂଲମଜୁରି ଏବଂ ଭାଗଚାଷ କରି ଏମାନେ ପରିବାର ପ୍ରତିପୋଷଣ କରୁଛନ୍ତି। କାମଧନ୍ଦାରୁ ଫୁରସତ ପାଇଲେ ଗାଁ କୋଠଘରେ ଏକତ୍ରିତ ହୋଇ ଗାୟନବାୟନ କରନ୍ତି। ଗାୟକ ଗୀତ ବୋଲନ୍ତି। ଅନ୍ୟମାନେ ଘୁମର ବାଜାର ତାଳେତାଳେ ପାଳିଧରି ନାଚନ୍ତି। ସେହି ନାଚର ନାଁ ହେଉଛି ଘୁମୁରା ନାଚ।

ପ୍ରତିବର୍ଷ ବିଶେଷତଃ ଗହ୍ମାପୂର୍ଣ୍ଣମୀ ଦିନ ଠାରୁ ଇଷ୍ଟଦେବଙ୍କୁ ପୂଜାର୍ଚ୍ଚନା ପରେ ୯ ଦିନ ବ୍ୟାପୀ ପାଖଆଖ ଗାଁ ଗାଁ ବୁଲି ଆଦିବାସୀ ଘୁମୁରା ନୃତ୍ୟ ଦଳ ଏହି ନୃତ୍ୟ ପରିବେଷଣ କରିଥାନ୍ତି। ଏହି ଦଳରେ ୧୨ ରୁ ୧୫ ଜଣ ସାମିଲ ହୋଇଥାନ୍ତି। ନୃତ୍ୟ ସମୟରେ ଆଦିବାସୀମାନେ ପାରମ୍ପରିକ ଆଦିବାସୀ ବେଶରେ ନିଜକୁ ସଜ୍ଜିତ କରିଥାନ୍ତି। ମୁଣ୍ତରେ ବିଭିନ୍ନ ରଙ୍ଗ ବେରଙ୍ଗର ପକ୍ଷୀ ପର ସହ ବିଭିନ୍ନ ଡାଳପତ୍ର ଖୋସିଥାନ୍ତି। ବେକରେ ମାଳି ପାଦରେ ଘୁଙ୍ଗୁର ଓ ଆଦିବାସୀ ବସ୍ତ୍ର ପରିଧାନ କରିଥାନ୍ତି। ମୁଖ୍ୟ ଗାୟକ ଲୋକ ଗୀତ ଗାଇବା ବେଳେ ସାଥୀମାନେ ଘୁମର ବାଜାର ତାଳେତାଳେ ଗାଁ ଦାଣ୍ତରେ ନୃତ୍ୟ ପରିବେଷଣ କରିଥାନ୍ତି।

ବିଶେଷ କରି ଫସଲ ଅମଳ ପରେ ଖୁସି ମନରେ ମକର ସଂକ୍ରାନ୍ତିରେ ଏହି ନୃତ୍ୟ ପରିବେଷଣ କରିଥାନ୍ତି। ବିବାହ, ବ୍ରତ, ନାମକରଣ, ଭସାଣ ଉତ୍ସବ ସହ ବଡ ବଡ ମହୋତ୍ସବରେ ମଧ୍ୟ ସେମାନେ ନୃତ୍ୟ ପରିବେଷଣ କରି ଶହ ଶହ ଲୋକଙ୍କ ମନୋରଂଜନର ଖୋରାକ ଯୋଗାଇ ଆସିଥାନ୍ତି। ସେଥିରେ ଯାହା ପାରିଶ୍ରମିକ ମିଳେ ସେଥିରେ ସେମାନଙ୍କ ପେଟପାଟଣା ଚଳି ନଥାଏ। କେବଳ ନୃତ୍ୟ ତାଙ୍କର ନିଶା ଯୋଗୁଁ ସେ ଏହି କୌଳିକ ପେସାକୁ ଆପଣାଇ କାହିଁ କେଉଁକାଳରୁ ଏହି ଲୋକନୃତ୍ୟକୁ ପିଢି ପରେ ପିଢି ବଞ୍ଚାଇ ରଖିଛନ୍ତି।

ଅନେକ ଘୁମୁରା କଳାକରଙ୍କ ଏବେ ସ୍ବର୍ଗବାସ ହେବା ସହ ଅନେକ ବୟସର ଅପରାହ୍ଣରେ। ଏମାନେ ଦୂରଦର୍ଶନ, ଆକାଶବାଣୀ ସହ ଆନନ୍ଦପୁର ଲୋକ ମହୋତ୍ସବ, ଘଟଗାଁ ଚଇତି ପର୍ବ ଏବଂ ଜିଲ୍ଲା ବାହାରର ଅନେକ ସ୍ଥାନରେ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ଏହି ନୃତ୍ୟକୁ ବଞ୍ଚାଇ ରଖିଥିବା ଆଦିବାସୀଙ୍କ ଆର୍ଥିକ ସ୍ଥିତି ଅତି ଦୟନୀୟ। ତଥାପି ନିଜ ଭିତରେ ଥିବା ଦୃଢ ଇଚ୍ଛାଶକ୍ତି ଓ ଅଦ୍ୟମ ଉତ୍ସାହ ଯୋଗୁଁ ସେ ଏହି ଲୋକ କଳାକୁ ବଞ୍ଚାଇ ରଖି ଲୋକମାନଙ୍କର ମନୋରଂଜନ କରିଆସୁଛନ୍ତି।

ସରକାରଙ୍କ ତରଫରୁ ବାଦ୍ୟଯନ୍ତ୍ର କିମ୍ବା ଆନୁଷଙ୍ଗିକ ସାଜସରଞ୍ଜାମ କିମ୍ବା କୋଠ ଘର ପାଇଁ କିଛି ଆର୍ଥିକ ସହଯୋଗ ଦିଆଯାଇନାହିଁ। ସରକାରୀ ସାହାଯ୍ୟ ଭାବେ କେବଳ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ବାବଦରେ ମାସକୁ ମାତ୍ର ୧୨ ଶହ ଟଙ୍କା ଲେଖାଏଁ ମିଳୁଛି। ସେପଟେ ସରକାରୀ ପ୍ରୋତ୍ସହନ ଅଭାବରୁ ଏବେକାର ଯୁବପିଢି ଏହି ଲୋକକଳା ପ୍ରତି ବିମୁଖ ହେଉଛନ୍ତି ବୋଲି ବର୍ଷିଆନ କଳାକାର ବନମାଳୀ ସାମଲ, ଧ୍ରୁବଚରଣ ନାଏକ, ଧବଳି ସାମଲ, ଟଙ୍କଧର ସାମଲ, ସନାତନ ସାମଲ, ବାସୁଦେବ ନାଏକ, ଅଜୟ ନାଏକ, ବିଦ୍ୟାଧର ପରିଡ଼ା, ଶରତଚନ୍ଦ୍ର ଖଟୁଆ, ଶୁକଦେବ ନାଏକ, ମାୟାଧର ମହାରଣା, କ୍ଷମାକର ବିହାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର