ରାୟଗଡ଼ା : କରୋନାରେ ବାପା, ମାଆ ଆରପାରିକୁ ଚାଲିଯିବା ପରେ ଅସହାୟ ହୋଇ ପଡ଼ିଥିବା ଦୁଇ ଯାଁଳା ଭଉଣୀଙ୍କ ଦାୟିତ୍ବ ନେବାକୁ ତତ୍ପରତା ପ୍ରକାଶ କରିଛି ଗୁଣପୁରସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟ। ଦୁଇ ଭଉଣୀ ଯେଉଁଠି ପଢ଼ିବାକୁ ଚାହିଁବେ ସେଠି ପଢ଼ାଯିବ ବୋଲି କହିଛନ୍ତି ଜିଆଇଇଟିର ଅଧ୍ୟକ୍ଷ ଡ. ସତ୍ୟ ପ୍ରକାଶ ପଣ୍ଡା।
ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ତୁଲାଇବାକୁ ଜିଆଇଇଟି ପ୍ରସ୍ତୁତ ଅଛି। ଡ. ପଣ୍ଡାଙ୍କ ଏହି ବାର୍ତ୍ତା ସମାଜକୁ ଏକ ସକରାତ୍ମକ ବାର୍ତ୍ତା ଦେଇଥିବା ବେଳେ ଦୁଇ ଯାଁଳା ଭଉଣୀଙ୍କ ପାଇଁ ଆର୍ଶବାଦ ସଦୃଶ୍ୟ ହୋଇଛି।
କରୋନା ମହାମାରୀର ଦ୍ବିତୀୟ ଲହରୀ ରାୟଗଡ଼ା ଜିଲ୍ଲାରେ ଅଧିକ ଘାତକ ସାବ୍ୟସ୍ତ ହୋଇଛି। ବହୁ ପରିବାରର ମୁରବିଙ୍କ ସମେତ କିଛି ପରିବାରର ସମସ୍ତ ସଦସ୍ୟ କରୋନାରେ ମୃତ୍ୟୁବରଣ କରିବାର ନଜିର ରହିଛି। ପ୍ରତିଦିନ ମୃତ୍ୟୁ ଖବର ଜିଲ୍ଲାବାସୀଙ୍କୁ ଚକିତ କରୁଥିବା ବେଳେ ପଦ୍ମପୁର ବ୍ଲକ ଗୋଡ଼ିଆବନ୍ଧ ଗ୍ରାମର ଘଟଣା ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଗ୍ରାମର ଗିରିଶ ସୁନାମୁଦି ଗରିବ ଶ୍ରେଣୀର ହୋଇଥିବାରୁ ପତ୍ନୀ ଓ ପିଲାଙ୍କୁ ନେଇ ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରିଥିଲେ। କରୋନା ଲାଗି ଲକଡାଉନ୍ ହେବା ପରେ ସପରିବାର ଟ୍ରେନରେ ଫେରୁଥିବା ସମୟରେ ଅସୁସ୍ଥ ହୋଇ ରାୟଗଡ଼ା ଷ୍ଟେସନରେ ଆଖି ବୁଜିଥିଲେ ଗିରିଶ। ପରେ ପରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ମାଆ ଜ୍ୟୋତିଙ୍କ ମୃତ୍ୟୁ ହୋଇଥିଲା। ବାପା, ମାଆଙ୍କ ମୃତ୍ୟୁ ପରେ ୧୧ ବର୍ଷିୟା ଯାଁଳା ଭଉଣୀ ମାମୁ ଘରେ ରହୁଥିବା ବେଳେ ପ୍ରଶାସନିକ ସହାୟତା ପାଇଁ ନିବେଦନ କରିଥିଲେ।
/sambad/media/post_attachments/wp-content/uploads/2021/06/RGD_GIET-Study-2-300x300.jpg)
ଏ ସଂପର୍କିତ ଖବର ଆଜି ଗଣମାଧ୍ୟମରେ ପ୍ରକାଶ ପରେ ଦୁଇ ଯାଁଳା ଭଉଣୀଙ୍କ ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ଜିଆଇଇଟି ଅଧ୍ୟକ୍ଷ ସତ୍ୟ ପଣ୍ଡା। ଦୁଇ ଯାଁଳା ଭଉଣୀ କଣ ପାଠ ପଢ଼ିଛନ୍ତି ସେ ସଂପର୍କରେ ଆଲୋଚନା କରାଯାଇ ପଦକ୍ଷେପ ନେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଇଚ୍ଛା ମୁତାବକ ସେମାନେ ଚାହିଁଲେ ଓଡ଼ିଆ କିମ୍ବା ଇଂରାଜୀ ମିଡିୟମରେ ପଢ଼ି ପାରିବେ। ଯାହାର ସମସ୍ତ ଖର୍ଚ୍ଚ ଜିଆଇଇଟି ବହନ କରିବ। ବର୍ତ୍ତମାନ ଦୁଇ ଯାଁଳା ଭଉଣୀ ଗୁଣପୁରରୁ ୧୨ କିମି ଦୂର ଡମ୍ବସରାରେ ମାମୁଁ ଉତ୍ତମ ଚୌଧୁରୀଙ୍କ ଘରେ ରହୁଛନ୍ତି।
ସୂଚନାଯୋଗ୍ୟ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଉଚ୍ଚଶିକ୍ଷାର ବିକାଶ ଦିଗରେ ଜିଆଇଇଟି ଅଧ୍ୟକ୍ଷ ଡ. ପଣ୍ଡାଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ତାଙ୍କ ଦ୍ବାରା ପ୍ରତିଷ୍ଠିତ ଜିଆଇଇଟି ଯାନ୍ତ୍ରିକ ଓ ବୈଷୟିକ ବିଦ୍ୟାଳୟ ଆଜି ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିବା ବେଳେ ଏହି ଅନୁଷ୍ଠାନରୁ ପାସ୍ କରିଥିବା ବହୁ ଶିକ୍ଷିତ ଯୁବକ/ଯୁବତୀ ଦେଶ ବିଦେଶର ବିଭିନ୍ନ କଂପାନିରେ କାର୍ୟ୍ୟରତ ଅଛନ୍ତି। ସେହିପରି ଗୁଣପୁରର ବିକାଶ ଦିଗରେ ମଧ୍ୟରେ ଡ. ପଣ୍ଡାଙ୍କ ଅବଦାନକୁ ଏଡାଇ ହେବନି। ଗୁଣପୁରକୁ ରେଳପଥ ସଂଯୋଗ, ବିଶାଖାପାଟଣା, ଓଡ଼ିଶାର ପୁରୀ, ଭୁବନେଶ୍ବର, ରାଉରକେଲା ଭଳି ସହରରୁ ରେଳ ଚଳାଚଳ ଦିଗରେ ଡ. ପଣ୍ଡାଙ୍କ ଅବଦାନ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/RGD_GIET-Study-1.jpg)