କିଶନନଗର: ରଙ୍ଗ୍‌ ନମ୍ବରରୁ ପ୍ରେମ ଆଉ ତା’ପରେ ପ୍ରତାରଣା। ପ୍ରେମିକାଙ୍କୁ ଜଣେ ବନ୍ଧୁଙ୍କ ଘରେ ଛାଡ଼ି ପ୍ରେମିକ ଫେରାର୍‌ ହୋଇ ଯାଇଛନ୍ତି। ନିରାଶ ହୋଇ ପ୍ରେମିକାଜଣକ ପୁଲିସରେ ଅଭିଯୋଗ କରିବା ସହ ପତ୍ନୀର ମାନ୍ୟତା ଦାବି କରି ଆଜି ସନ୍ଧ୍ୟାରେ ପ୍ରେମିକ ଘରେ ପହଞ୍ଚିଥିବା ଜଣାପଡ଼ିଛି। ଅଭିଯୋଗ ମୁତାବକ, ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଟାଇଁସି ଗ୍ରାମର ସୁବାସିନୀ ଦେହୁରୀ ନାମକ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ସହ ଅନୁଗୁଳ ଠାକୁରଗଡ଼ ଥାନା ବରମ ଗ୍ରାମର ବିଦ୍ୟାଧର ମାଝୀଙ୍କ ପୁଅ ଭରତ ମାଝୀଙ୍କର ଫୋନ୍‌ରେ ସମ୍ପର୍କ ହୋଇଥିଲା। ରଙ୍ଗ୍‌ ନମ୍ବର୍‌ କଲ୍‌ରୁ ଆରମ୍ଭ ହୋଇଥିବା ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ସୁବାସିନୀ ବିବାହିତା ଓ ତାଙ୍କର ଏକ ଶିଶୁକନ୍ୟା ରହିଥିବା ଜାଣିବା ପରେ ବି ଭରତ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସୁବାସିନୀ ଏଥିରେ ଅରାଜି ହେବାରୁ ଭରତ କୁଆଡ଼େ ଆତ୍ମହତ୍ୟା ଧମକ ଦେଇଥିଲେ। ପରେ ଗତ ଜାନୁଆରି ୪ତାରିଖ ଦିନ ଭରତ ସୁବାସିନୀଙ୍କୁ ଝାରସୁଗୁଡ଼ା ନେଇ ଏକ ମନ୍ଦିରରେ ବିବାହ କରିଥିଲେ। ଏହାପରେ ଦୁହେଁ ସ୍ୱାମୀ-ସ୍ତ୍ରୀ ଭାବେ ରହିଥିଲେ। ବିଭିନ୍ନ ସ୍ଥାନରେ ଘରଭଡ଼ା ନେଇ ଭରତ ସୁବାସିନୀଙ୍କୁ ରଖୁଥିଲେ। ହେଲେ ତାଙ୍କୁ ନିଜ ଘରକୁ ନେଉ ନଥିଲେ।

Advertisment

ତାଙ୍କୁ ଘରକୁ ନେବାକୁ ସୁବାସିନୀ ବାରମ୍ବାର କହୁଥିଲେ ମଧ୍ୟ ଭରତ ତାଙ୍କୁ ଘରକୁ ନେଉନଥିଲେ। ସାହି ଲୋକେ ଜରିମାନା କରିବେ, ଭୋଜିଭାତ ମାଗିବେ, ଯେଉଁଥିରେ ୫୦ କି ୬୦ ହଜାର ଟଙ୍କା ଲାଗିବ। ଏତେ ଟଙ୍କା କେଉଁଠୁ ଆଣିବି ବୋଲି କହି ସୁବାସିନୀଙ୍କୁ ଚୁପ୍‌ କରି ଦେଉଥିଲେ। ଇତିମଧ୍ୟରେ ସୁବାସିନୀ ଗର୍ଭବତୀ ହୋଇଥିଲେ। ଭରତ ମେଡିସିନ୍‌ ଦେଇ ତାଙ୍କ ଗର୍ଭପାତ କରି ଦେଉଥିଲେ। ଭରତ ୩ ଥର ଏହିପରି ଗର୍ଭପାତ କରାଇଥିବା ସୁବାସିନୀ କହିଛନ୍ତି। ଗତ ୧ତାରିଖ ଦିନ ଭରତ ସୁବାସିନୀଙ୍କୁ ନେଇ କିଶନନଗର ଥାନା ନାରଦା ଗୌଡ଼ ଗାଁରେ ଥିବା ସୁବାସିନୀଙ୍କ ସମ୍ପର୍କୀୟ ଭଉଣୀ ଘରକୁ ଆସିଥିଲେ। ସେଠାରେ ୫ଦିନ ରହି ୬ତାରିଖ ସକାଳେ କାମ ଖୋଜିବାକୁ ଭୁବନେଶ୍ୱର ଯାଉଛନ୍ତି, ଭଡ଼ାଘର ଠିକ୍‌ କରି ଆସି ତାଙ୍କୁ ନେଇଯିବେ ବୋଲି କହି ଯାଇଥିଲେ।

ତେବେ ଏହାପରେ ଭରତ ତାଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ କରି ଦେଇଥିଲେ। ସୁବାସିନୀ ଭରତଙ୍କ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା। ୭ ତାରିଖରେ ସେ ମୋବାଇଲ୍‌ ଖୋଲିବା ପରେ ସୁବାସିନୀ ତାଙ୍କୁ ଫୋନ୍‌ କରିବାରୁ ସେ ନିଜ ଗାଁକୁ ଚାଲି ଆସିଛନ୍ତି ଓ କାମ କରିବାକୁ ତାମିଲନାଡୁ ଯିବେ ବୋଲି କହିଥିଲେ। ତାଙ୍କୁ ଘରେ (ଭରତଙ୍କ ଘରେ) ଛାଡ଼ିଦେଇ ଯିବାକୁ ସୁବାସିନୀ କହିବାରୁ ଏଥିପାଇଁ ଲକ୍ଷେ ଟଙ୍କା ନେଇକି ଆସିବାକୁ ଭାରତ ତାଙ୍କୁ କହିଥିଲେ। ଏହାପରେ ସେ ଆଉ ସୁବାସିନୀଙ୍କ ଫୋନ ଉଠାଇ ନଥିଲେ। ଶେଷରେ ଗୁରୁବାର ଅପରାହ୍ନରେ ସୁବାସିନୀ ଅନୁଗୁଳ ଠାକୁରଗଡ଼ ଥାନାରେ ପହଞ୍ଚି ଭରତଙ୍କ ଏହି ପ୍ରତାରଣା ସମ୍ପର୍କରେ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିବା ସହ ପତ୍ନୀର ମାନ୍ୟତା ଦାବି କରି ଭରତଙ୍କ ଘରେ ପହଞ୍ଚିଥିବା ଜଣାପଡ଼ିଛି।