ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଘୋଡାହଡ ନଦୀରେ ଗାଧୋଉଥିବା ବେଳେ ୫ମ ଶ୍ରେଣୀ ଛାତ୍ରକୁ ଏକ କୁମ୍ଭୀର ଟାଣି ନେଇଥିବା ବେଳେ ଏକ ଘଣ୍ଟା ପରେ ଗ୍ରାମବାସୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣକ ହେଲେ ଖମ୍ବାରୀ ଗାଁ ପଞ୍ଚାୟତ ସେବକ ଟିକରପଡା ଗ୍ରାମର ଶୁଭ୍ରାଂଶୁ କୁମାର ଗୈାଡ(୧୧) ବୋଲି ସୂଚନା ମିଳିଛି। ଖବର ଅନୁଯାୟୀ, ଶୁଭ୍ରାଂଶୁ ସୋମବାର ଦିନ ଅପରାହ୍ନ ୪ଟା ସମୟରେ ବିଦ୍ୟାଳୟରୁ ଆସି ଗ୍ରାମ ନିକଟରେ ବୋହି ଯାଇଥିବା ଘୋଡାହଡ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ଏକ କୁମ୍ଭୀର ଛାତ୍ରକୁ ପାଣି ଭିତରକୁ ଟାଣି ନେଇଥିଲା। ତେବେ ଶୁଭ୍ରାଂଶୁ ନ ଫେରିବା ଦେଖି ପରିବାର ଲୋକେ ନଦୀକୁ ଯାଇଥିଲେ।

Advertisment

ସେଠାରେ ତାଙ୍କ ଡ୍ରେସ୍ ଓ ଚପଲ ରହିଥିବାବେଳେ ଶୁଭ୍ରାଂଶୁ ନ ଥିଲେ। ଖବର ପ୍ରଚାରିତ ପରେ ନଦୀ ତୁଠଠାରୁ ଅଳ୍ପ ଦୂରରେ ଲୋକେ କୁମ୍ଭୀରକୁ ଦେଖିବା କ୍ଷଣି ଗ୍ରାମବାସୀ ଓ ସେଠାକାର କେଉଟ ଲୋକମାନେ ଡଙ୍ଗା ସାହାଯ୍ୟରେ କୁମ୍ଭୀରକୁ ଘେରାଇ ମାଛ ଜାଲ ଫୋପାଡି ଥିଲେ। ଯାହାଫଳରେ କୁମ୍ଭୀର ଶୁଭ୍ରାଂଶୁକୁ ଛାଡି ପଳାଇଥିଲା। ଏପଟେ ଶୁଭ୍ରାଂଶୁଙ୍କୁ ଗ୍ରାମବାସୀ ଉଦ୍ଧାର କରି ଡଙ୍ଗା ସାହାଯ୍ୟରେ ଆଣିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଗ୍ରାମରେ ଗ୍ରାମବାସୀଙ୍କ ଦ୍ବାରା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ବନ ବିଭାଗର ଅବହେଳା ଯୋଗୁଁ ଏଭଳି ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ କରି ଆସୁଛନ୍ତି। ଅପରପକ୍ଷରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚିବାବେଳକୁ ମୃତଦେହ ଉଦ୍ଧାର କରାଯାଇଥିଲା। ଅନ୍ୟପକ୍ଷରେ କେ. ନୂଆଗାଁ ପୁଲିସ ମଧ୍ୟ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିପାରିଛି।