ସଂଗରୋଧ କେନ୍ଦ୍ରରେ ଥିବା ମହିଳା ଶିଶୁ କନ୍ୟା ଜନ୍ମ ଦେଲେ

ଖଡ଼ିଆଲ: ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଫରସରା ପଞ୍ଚାୟତ ବକୁଲିଖୁଣ୍ଟି ସଂଗରୋଧ କେନ୍ଦ୍ରରେ ରହୁଥିବା ଜଣେ ପ୍ରବାସୀ ଓଡିଆ ଶ୍ରମିକ ଏକ ଶିଶୁ କନ୍ୟା ଜନ୍ମ କରିଛନ୍ତି । ଗତ ୨୦ ତାରିଖରେ ହାଇଦ୍ରାବାଦରୁ ୬୫ ଜଣ ପ୍ରବାସୀ ଓଡିଆ ଶ୍ରମିକ ବୋଡେନ ବ୍ଲକକୁ ଆସିଥିଲେ । ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ଫରସରା ପଞ୍ଚାୟତର ବକୁଲିଖୁଣ୍ଟି ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା । ଏମାନଙ୍କ ମଧ୍ୟରେ ରୋକାଲ ଗାଁର ନରେନ୍ଦ୍ର ମାଝୀ ଓ ତାଙ୍କ ସ୍ତ୍ରୀ ଭାଗ୍ୟ ମାଝୀ ମଧ୍ୟ ଥିଲେ । ଭାଗ୍ୟ ଗର୍ଭବତୀ ଥିଲେ । କାଲି ସନ୍ଧ୍ୟାରେ ହଠାତ ତାଙ୍କର ପ୍ରସବ ଜନିତ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଆମ୍ବୁଲାନ୍ସରେ ବୋଡେନ ସରପଞ୍ଚ ଓ ଇଓ ବୋଡେନ ସରକାରୀ ମେଡିକାଲରେ ଥିବା ଆଇସୋଲେସନ୍ ୱାଡରେ ଭର୍ତ୍ତି କରିଥିଲେ । ରାତିରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଏବେ ମାଁ ଓ ଶିଶୁ ଦୁହେଁ ସୁସ୍ଥ ଅଛନ୍ତି ।

ସୂଚନାଯୋଗ୍ୟ, ଦିନକ ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ଜଣେ ମହିଳା ତେଲେଙ୍ଗାନାର ସିକିନ୍ଦରରାବାଦ ଠାରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ବଲାଙ୍ଗୀର ଆସୁଥିବା ବେଳେ ଶିଶୁପୁତ୍ର ଜନ୍ମ କରିଥିଲେ । ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ କମେଇମୁଣ୍ଡା ଗାଁର ଧୁବଲେ ନାଗ ତାଙ୍କ ପରିବାର ସହ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଲକଡାଉନ ପରେ ସେ ଫସି ରହିଥିଲେ । ସ୍ତ୍ରୀ କୁନ୍ତି ନାଗ ଗର୍ଭବତୀ ଥିବାରୁ ସେ ଚିନ୍ତିତ ଥିଲେ । ପଂଜିକରଣ କରାଇ ନିଜ ଗାଁକୁ ଫେରିବାକୁ ଉଦ୍ୟମ କରିଥିଲେ । ଗର୍ଭବତୀ ସ୍ତ୍ରୀ ସହ ଟ୍ରେନରେ ସେ ଆଜି ଫେରୁଥିବା ବେଲେ ହଠାତ ବଲାଙ୍ଗୀର ଷ୍ଟେସନ ପାଖାପାଖି ହେବା ପରେ ତାଙ୍କ ସ୍ତ୍ରୀଙ୍କ କଷ୍ଟ ବଢିଥିଲା ଓ ସେ ଟ୍ରେନରେ ହିଁ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଏହା ଜାଣିବା ପରେ ଟ୍ରେନରେ ଉପସ୍ଥିତ କର୍ମଚାରୀମାନେ ବଲାଙ୍ଗୀର ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଖବର କରିଥିଲେ ।

ସମ୍ବନ୍ଧିତ ଖବର