ଖୋର୍ଦ୍ଧା: ଦୁଇଦିନ ପୂର୍ବେ ବିଳମ୍ବିତ ରାତିରେ କୁହୁଡ଼ିର ଏକ ଘରୋଇ ଡାକ୍ତରଖାନା ପରିସରରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଏକ ଦୁଇମାସର ଶିଶୁକନ୍ୟାକୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅବସ୍ଥାପିତ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା କମିଟି ସୂଚନାନୁସାରେ, ଦୁଇଦିନ ପୂର୍ବେ ବିଳମ୍ବିତ ରାତିରେ ବେଳେ ସାଇ ସେବା ସଦନ ନାମକ ଏକ ଘରୋଇ ଡାକ୍ତରଖାନାର ଫାଟକ ସମ୍ମୁଖରେ ଏକ ଶିଶୁକନ୍ୟାଟି ପଡ଼ିଥିଲା। ଶିଶୁ କନ୍ୟାଟିକୁ ଦେଖି କୁକୁର ମାନେ ଭୋକିବା ପରେ ଶିଶୁଟି କାନ୍ଦିଥିଲା। ଏହାଶୁଣି ଡାକ୍ତରଖାନାର ସୁରକ୍ଷାକର୍ମୀ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାର କର୍ତୃପକ୍ଷଙ୍କୁ ଜଣାଇଥିଲେ। ଏନେଇ ଡାକ୍ତରଖାନା କର୍ତୃପକ୍ଷ ସ୍ଥାନୀୟ ପୁଲିସକୁ ଜଣାଇବା ପରେ ଡାକବାଜି ଯନ୍ତ୍ର ସହାୟତାରେ ଆଖପାଖ ଅଞ୍ଚଳରେ ଶିଶୁଟି ସମ୍ପର୍କରେ ପ୍ରଚାର କରାଯାଇଥିଲା।

Advertisment

ଦୁଇଦିନ ପରେ ମଧ୍ୟ କୌଣସି ବ୍ୟକ୍ତି ନଆସିବାରୁ ଡାକ୍ତରଖାନା ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷାଧିକାରୀ ବାଣିଶ୍ରୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ଖୋର୍ଦ୍ଧା ଚାଇଲ୍ଡ ଲାଇନର ଏକ ଟିମ୍ ଯାଇ ଶିଶୁଟିକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେହାଜର କରିଥିଲେ। ଶିଶୁଟିର ଯତ୍ନ ଓ ସୁରକ୍ଷା ନିମନ୍ତେ ଭୁବନେଶ୍ୱର ପାତ୍ରପଡ଼ା ସ୍ଥିତ ଆମଘର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅବସ୍ଥାପିତ କରାଯାଇଛି।