ଖଣି କାର୍ଯ୍ୟାଳୟ ସମ୍ମୁଖରେ ଡମ୍ପର ଧକ୍କାରେ ଝିଅ ମୃତ, ୩ ଜଣ ଆହତ ହେବା ପରେ ଉତ୍ତେଜନା ସୃଷ୍ଟି କଲେ ସ୍ଥାନୀୟ ଲୋକେ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ବାଦାମପାହାଡ଼ ଖଣି କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଡମ୍ପର ଧକ୍କାରେ ଜଣେ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ଉତ୍ତେଜିତ ଲୋକେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ନିସ୍ତୁକ ମାଡ଼ମାରିଥିବା ଜଣାପଡ଼ିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଘଟଣା ମୁତାବକ ଆଜି ୧୨ଟା ସମୟରେ ବାଦାମପାହାଡ ଶିଶୁ ମନ୍ଦିରରୁ ଛୁଟି ପରେ ଅଭିଭାବକ ଶିବ ମହାନ୍ତ ତିନି ଜଣ ଛାତ୍ରୀଙ୍କୁ ବାଇକ୍‌ ଯୋଗେ ଘରକୁ ଫେରିବା ସମୟରେ ମାଇନ୍‌ସ ଅଫିସ୍‌ ପାଖରେ ଏକ ଡମ୍ଫର (ଓଆର୍‌୦୯ ଇ ୪୯୮୮) ନମ୍ବର ଗାଡି ଧକ୍କା ଦେଇଥିଲା। ଏଥିରେ ଜଣେ ଛାତ୍ରୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଦୁଇ ଜଣ ଛାତ୍ରୀ ଓ ଅଭିଭାବକ ଆହତ ହୋଇଥିଲେ।

ଉକ୍ତ ଘଟଣାରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଥିଲେ । ଯାହା ଫଳରେ ଡ୍ରାଇଭର ମଧ୍ୟ ଗୁରୁତର ହୋଇ ଥିଲା। ତାକୁ ଗୁରୁତର ଅବସ୍ଥାରେ ୧୦୮ ଯୋଗେ ପ୍ରଥମେ ରାଇରଙ୍ଗପୁର ମେଡିକାଲ ଓ ସେଠାରୁ ବାରିପଦାସ୍ଥିତ ‘ପି.ଆର୍‌ ଏମ୍‌’କୁ ସ୍ଥାନାନ୍ତର କରାଯାଇଥିଲା। ଏପଟେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ମାଇନ୍‌ସ ଅଫିସ୍‌କୁ ପଶି ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ଜଟିଳ ହେବାରୁ କୁସୁମୀ ତହସିଲଦାର, ସୁଲେଇପାଟ୍‌ ଫାଣ୍ଡି ଅଧିକାରୀ ଅବନୀ କୁମାର ପଣ୍ଡା ଏବଂ ବିଭିନ୍ନ ଥାନା ଅଧିକାରୀ ଓ ପୁଲିସ ବାଟାଲିୟନ ଆସି ଘଟଣା ନିୟନ୍ତ୍ରଣ କରିଥିଲେ। ସ୍ଥାନୀୟ ଲୋକେ ମୃତ୍ୟୁ ଛାତ୍ରୀଙ୍କ ଦାବି ବାବଦରେ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ ଏବଂ ସ୍କୁଲ ସମୟରେ ଉକ୍ତ ରାସ୍ତାରେ ଗାଡି ଚଳାଚଳ ବନ୍ଦ ପାଇଁ ସ୍ଲୋଗାନ ଦେଇଥିଲେ।

ସମ୍ବନ୍ଧିତ ଖବର