ଗ୍ୟାଙ୍ଗଷ୍ଟର୍‌ ସକିଲର ପ୍ରେମିକା ନସରିନ୍‌କୁ ଗିରଫ କଲା ପୁଲିସ, ଜେଲରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲା କୁଖ୍ୟାତ ଅପରାଧୀ

କଟକ: ଚୌଦ୍ୱାର ଜେଲ୍‌ ଭିତରେ ସଢୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ମହମ୍ମଦ ସକିଲର ପ୍ରେମିକା ନସରିନ୍‌ ଖାନ୍‌କୁ ପୁଲିସ ଗିରଫ କରିଛି। ନସରିନ୍‌କୁ ଗିରଫ କରିବା ପରେ ପୁଲିସ ଜାଣିବାକୁ ପାଇଁଛି ଯେ, ଉଭୟ ପ୍ରେମିକ-ପ୍ରେମିକା ମିଶି ଅପରାଧ ପାଇଁ ବ୍ଲୁ -ପ୍ରିଣ୍ଟ ରଚୁଥିଲେ। ସକିଲକୁ ତା’ର ପ୍ରେମିକା ବାରମ୍ବାର ଜେଲରେ ଭେଟୁଥିଲା। ଜେଲ ଭିତରେ ପ୍ରେମିକ ଓ ଜେଲ୍‌ ବାହାରେ ପ୍ରେମିକା ଥାଇ ଉଭୟ ବ୍ୟବସାୟୀ ଓ ବଡ଼ ବଡ଼ ଧନୀ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଥିଲେ। କୁଖ୍ୟତ ଅପରାଧୀ ସକିଲ୍‌ ଚୌଦ୍ୱାର ସର୍କଲ ଜେଲ ଭିତରୁ ଭିଡିଓ କଲ୍‌ କରି ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲା। ବ୍ୟବସାୟୀ ଓ ବଡ଼ ବଡ଼ ଲୋକଙ୍କର ମୋବାଇଲ୍‌ ନମ୍ବରଗୁଡ଼ିକ ପ୍ରେମିକା ନସରିନ୍‌ ଯୋଗାଇ ଦେଉଥିଲା।

ସୂଚନାଯୋଗ୍ୟ, ଜେଲ ଭିତରେ ବିଚାରାଧିନ କଏଦୀ ଭାବେ ଥିବା ହାର୍ଡକୋର ଅପରାଧୀ ମହମ୍ମଦ ସକିଲ କିଛି ଦିନ ତଳେ କଟକ ବକ୍ସିବଜାରସ୍ଥିତ ଆନନ୍ଦ ସ୍ପୋର୍ଟସ୍‌ ମାଲିକ ଯୋଗେଶ ଅଗ୍ରୱାଲଙ୍କୁ ଭିଡିଓ କଲ୍‌ କରି ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ବଟି ନ ମିଳିଲେ ଗୁଳି ମାରି ଉଡ଼ାଇ ଦେବାକୁ ଧମକ ଦେଇଥିଲା। ଏ ନେଇ ଯୋଗେଶ ଅଗ୍ରଓ୍ଵାଲ ଥାନାରେ ଏତଲା ଦେଇଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ସକିଲର ସହଯୋଗୀ ଟାଇଗର ସମେତ ୫ ଜଣଙ୍କୁ ଗିରଫ କରିଥିଲା। ତେବେ ଏହି ଅପରାଧର ଚେର୍‌ ଖୋଜୁ ଖୋଜୁ ସକିଲ୍‌ ଗାର୍ଲଫେଣ୍ଡ ନସରିନ୍‌ ଖାନ୍‌ଙ୍କ ନିକଟରେ ପହଁଚିଥିଲା ପୁଲିସ। ଖୋଳତାଡ଼ରୁ ଜଣାପଡିଛି, ସକିଲ୍‌ ଗ୍ୟାଙ୍ଗକୁ ଚୋରା ବନ୍ଧୁକ ଦେବା ଠାରୁ ଆରମ୍ଭ କରି ଜେଲକୁ ମୋବାଇଲ ପହଁଚାଇବା ପର୍ଯ୍ୟନ୍ତ ସବୁଥିରେ ରହିଛି ନସରିନ୍‌ଙ୍କ ହାତ।

କଟକ ଡିସିପି ଅଖଳେଶ୍ୱର ସିଂହ କହିଛନ୍ତି, ଜେଲ ଭିତରୁ ଭିଡିଓ କଲ୍‌ କରି ବଟି ମାଗିବା ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। କମିସନରେଟ ପୁଲିସ ଏ ନେଇ ସର୍ତକ ରହିବା ପାଇଁ ଜେଲ୍‌ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲା । ସକିଲର ଗାର୍ଲଫେଣ୍ଡ ଗିରଫ ହୋଇଥିବା ବେଳେ ଅପରାଧର ଏହି ପୂରା ପ୍ରକ୍ରିୟା ଭିତରେ ଜେଲ କର୍ମଚାରୀଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲାଗିଛି ବୋଲି ଡିସିପି ଶ୍ରୀ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର