ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ଅପହଞ୍ଚ ଅଂଚଳ ମଧ୍ୟରେ ଖଇରପୁଟ ବ୍ଲକର ବଣ୍ଡାଘାଟି ଅନ୍ୟତମ। ବଣ୍ଡାଘାଟିରେ ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ସମୁଦ୍ର ପତନ ଠାରୁ ପ୍ରାୟ ୫ ହଜାର ଫୁଟ ଉପରେ ଏହି ଜନଜାତି କାହିଁ କେଉଁ କାଳରୁ ନିଜର ପାରମ୍ପରିକ ଜୀବନଶୈଳୀରେ ବଂଚି ଆସୁଛନ୍ତି। ବଣ୍ଡାଘାଟିର ଦୁଇଟି ପଞ୍ଚାୟତରେ ପ୍ରାୟ ୩୨ଟି ଗ୍ରାମ ରହିଥିବା ବେଳେ ୭ ହଜାରର ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି।
ତେବେ ଘାଟି ଉପରେ ସବୁଠାରୁ ବଡ ସମସ୍ୟା ହେଲା ପାଣିର। ଏଠାରେ ପାନୀୟ ଜଳର ଉତ୍କଟ ସମସ୍ୟା ରହିଛି। ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଥିବା ନେଇ ଯେଉଁ ଡିଣ୍ଡିମ ପିଟୁଛି ତାହା ଏଠାକୁ ଆସି ନଦେଖିଲେ ବିଶ୍ବାସ କରିହେବ ନାହିଁ। ଲୋକେ ଅତି ଦୟନୀୟ ଭାବେ ଏଠାରେ ରହିଛନ୍ତି। ଚୁଆ ଏବଂ ଝରଣା ପାଣିରୁ ଶୋଷ ମେଣ୍ଟାଉଛନ୍ତି। ବର୍ଷା ଦିନ ହେଲେ ଏହି ପାଣି ପିଇବାକୁ ବାଧ୍ୟ ହେଉଥିବାରୁ ଏଠାରେ ପ୍ରତିବର୍ଷ ସଂକ୍ରାମକ ରୋଗରେ ପଡି ବହୁ ଲୋକଙ୍କ ଜୀବନହାନି ହେଉଛି। ଯାହାର ହିସାବ ନା ସରକାରଙ୍କ ନିକଟରେ ରହିଛି ନା ପ୍ରଶାସନ ପାଖରେ।
ମୁଦିଲିପଡା ପଞ୍ଚାୟତର ବାଣ୍ଡିଗୁଡା ଗ୍ରାମରେ ପାଣିର ଘୋର ସମସ୍ୟା ଦୀର୍ଘଦିନ ହେଲା ଲାଗି ରହିଛି। ଗ୍ରାମରେ ରହିଥିବା ଗୋଟିଏ ନଳକୂପ କାହିଁ କେଉଁ କାଳରୁ ଖରାପ ହୋଇ ପଡିଛି ଯେ ଏହାର ମରାମତି କରିବା ପାଇଁ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ତତ୍ପରତା ଦେଖାଉ ନାହିଁ। ଗ୍ରାମବାସୀ ବାଧ୍ୟ ହୋଇ ପ୍ରାୟ ଦୁଇରୁ ତିନି କିଲୋମିଟର ବାଟ ଯାଇ ଜଂଗଲ ପାଖରେ ଥିବା ଚୁଆ ଏବଂ ଝରଣାରୁ ପାଣି ସଂଗ୍ରହ କରି ଘରକୁ ଆଣି ନିଜର ନିତ୍ୟ ବ୍ୟବହାର୍ଯ୍ୟରେ ଲଗାଇବା ସହ ନିଜର ଗୃହପାଳିତ ପଶୁଙ୍କୁ ବ୍ୟବହାରରେ ମଧ୍ୟ ଲଗାଉଛନ୍ତି। ଏହି ଗ୍ରାମର ମାଳତୀ ଶିଶା। ଶିକ୍ଷାଗତ ଯୋଗ୍ୟତା ଏମ୍ଏ (ଏଜୁକେସନ)। ମାଳତୀ ହେଉଛନ୍ତି ବଣ୍ଡାଘାଟିର ପ୍ରଥମ ଏମଏ୍ ପଢିଥିବା ଝିଅ।
ଏବେ ମଧ୍ୟ ସେ ବେକାର ରହିଛନ୍ତି। ସେ ଜନ୍ମ ହେବା ଠାରୁ ଗ୍ରାମରେ ପିଇବା ପାଣିର ସମସ୍ୟା ରହିଥିବା ସେ କହନ୍ତି। ତେବେ ଖରାଦିନରେ ଗ୍ରାମକୁ ଆସିଥିବା ବେଳେ ଗ୍ରାମରେ ଉତ୍କଟ ପାଣିର ସମସ୍ୟା ଦେଖିଥିଲେ। ପାଣି ପାଇଁ ମାଇଲ ମାଇଲ ବାଟ ମହିଳାମାନେ ଚାଲି ଚାଲି ଯାଇ ଆଣୁଥିବା ଦେଖିବାକୁ ପାଇଥିଲେ। ତେବେ ବହୁ ସମୟରେ ପାଣି ପାଇଁ ଯିବା ବେଳେ ବନ୍ୟପ୍ରାଣୀଙ୍କ ହାବୁଡରେ ପଡି ଆହତ ମଧ୍ୟ ହେଉଥିବା କହନ୍ତି। ତେବେ ମାଳତୀ ଗ୍ରାମରେ ଗୋଟିଏ କୂଅ ଖୋଳିବା ପାଇଁ ନିଷ୍ପତ୍ତି ନେଲେ। ଏଥିପାଇଁ ପ୍ରଶାସନର କୌଣସି ସହଯୋଗ ନେଲେ ନାହିଁ। ନିଜେ କୋଦାଳ ଓ ଶାବଳ ଧରି କୂଅ ଖୋଳିବା ଆରମ୍ଭ କଲେ। ଏହା ଦେଖି ତାଂକର ତିନି ଭଉଣୀ ମଧ୍ୟ ସହଯୋଗ ପାଇଁ ଆଗେଇ ଆସିଲେ। ପାଞ୍ଚଦିନ ମଧ୍ୟରେ ଏକ ବଡ କୂଅକୁ ଖୋଳିଦେଲେ ମାଳତୀ।
ଏବେ ଏହି କୂଅରେ ପାଣି ଭର୍ତ୍ତି ରହିଥିବା ଦେଖିବାକୁ ମିଳିଛି। ମାଳତୀଙ୍କ ପରିବାର ସମେତ ଗ୍ରାମବାସୀ ମଧ୍ୟ ଏହି କୂଅରୁ ପାଣି ନେଇ ଉପକୃତ ହେଉଥିବା ମାଳତୀ କହନ୍ତି। ଏବେ ଜିଲ୍ଲାରେ ବଣ୍ଡାଘାଟିର ବିହାର ଦଶରଥ ମାନଝୀ ବୋଲି ମାଳତୀଙ୍କୁ ଡାକୁଛନ୍ତି। ଏନେଇ ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ। ମାଳତୀଙ୍କ ଏଭଳି ସାହସୀକତା ଦେଖି ଗ୍ରାମର ଅନ୍ୟ ଭାଇମାନେ ମଧ୍ୟ ନିଜ ଘର ପାଖରେ କୂଅ ଖୋଳିବା ନେଇ ଆଗେଇ ଆସୁଥିବା ମାଳତୀ କହନ୍ତି। ଏବେ ଗ୍ରାମରେ ପାଣିର କୌଣସି ସମସ୍ୟା ନଥିବା ସେ କହନ୍ତି। ପ୍ରଶାସନ ଚାହିଁରେ ଏଠାରେ ଏଭଳି କୂଅ ଖୋଳି ଏହି ସଂପ୍ରଦାୟର ଲୋକଙ୍କୁ ସହଯୋଗର ହାତ ବଢାଇ ପାରିଥାନ୍ତା କିନ୍ତୁ ପ୍ରଶାସନର ଉଦାସୀନତା ଯୋଗୁଁ ଲୋକେ ଏଠାରେ ଦୟନୀୟ ଜୀବନଯାପନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/WhatsApp-Image-2021-09-30-at-7.28.03-PM.jpeg)