ବସ୍‌ ଚାପା‌ରେ ଯୁବତୀଙ୍କ ଗୋଡ଼ ଛିଣ୍ଡିଲା 

ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳ ୟୁକୋ ବ୍ୟାଙ୍କ ସମ୍ମୁଖରେ ବୁଧବାର ଏକ ବସ୍‌ ଚାପାରେ ଜଣେ ଯୁବତୀ ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ପଦ୍ମପୁରରୁ ପାଇକମାଳ ଆସୁଥିବା ଶତାବ୍ଦୀ ନାମକ ଘରୋଇ ବସ୍‌ (ଓଡି ୧୭କ୍ୟୁ-୨୭୧୧)ରେ ପାଇକମାଳର ବିହାରୀଲାଲ ପଟେଲଙ୍କ ଝିଅ କଳ୍ପନା (୨୬) ଆସି ସ୍ଥାନୀୟ ୟୁକୋ ବ୍ୟାଙ୍କ୍‌ ସମ୍ମୁଖରେ ଓହ୍ଲାଇଥିଲେ। ଓହ୍ଲାଇବା ପରେ ସେ ବସ୍‌ ସାମ୍‌ନା ଦେଇ ରାସ୍ତା ପାରି ହେବାକୁ ଚେଷ୍ଟା କରୁଥିବା ବେଳେ ବସ୍‌ ଚାଳକ ଜାଣି ନ ପାରି ଗାଡ଼ି ଆଗକୁ ବଢ଼ାଇ ଦେଇଥିଲେ। ଫଳରେ କଳ୍ପନା ଚକ ତଳେ ପଡ଼ିଯିବାରୁ ତାଙ୍କ ବାମ ଗୋଡ଼ ଉପରେ ଗାଡ଼ି ମାଡ଼ି ଯାଇଥିଲା। ଗୋଡ଼ଟି ଛିଣ୍ଡିଯିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗି ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ସାମ୍ବାଦିକ ବଡ଼ ଶତପଥୀ, ମୁଜାଫର ହୁସେନ, ସୋନୁ ହୁସେନ, ଓଡ଼ିଶା ମୋଟର ଚାଳକ ସଂଘର ଉଗ୍ରସେନ ସାହୁ, ଟିକୁ ପ୍ରଧାନ ଓ ହିମାଂଶୁ ପ୍ରମୁଖ ତାଙ୍କୁ ଉଦ୍ଧାର କରି ପାଇକମାଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେ‌ଳେ ପାଇକମାଳ ଥାନାଧିକାରୀ ବିଶ୍ବଜିତ ମନବୋଧ ପହଞ୍ଚି ପରିସ୍ଥିତି ସମ୍ଭାଳିବା ସହ ବସ୍‌ଟିକୁ ଜବତ କରି ଥାନାକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ କଳ୍ପନାଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ଓ ପରେ ବୁର୍ଲା ପଠାଯାଇଥିବା ଜଣାପଡ଼ିଛି। ପ୍ରକାଶଥାଉ କି, ବିହାରୀଲାଲ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ଏକ ଛୋଟ ଠେଲାରେ ବିଭିନ୍ନ ସାମଗ୍ରୀ ବିକି ପରିବାର ଚଳାନ୍ତି। ଏଭଳି ସ୍ଥିତିରେ ଝିଅର ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ତୁରନ୍ତ କଳ୍ପନାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର