କଳାହାଣ୍ଡିରେ ଅନାଥ ଆଶ୍ରମର ଶୌଚାଳୟରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ଥାନା ଅନ୍ତର୍ଗତ ଡ଼ଃ ବି ଆର ଆମ୍ବେଦକର ଅନାଥ ଆଶ୍ରମରେ ଏକ ଶୌଚାଳୟରେ ଏକ ଅନ୍ତେବାସୀ ଛାତ୍ରୀ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳି ଯାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଚିଚିଆ ପଂଚାୟତସ୍ଥିତ ପଣ୍ଡକୁଳ ଗ୍ରାମର ଡ଼ଃ ବି ଆର ଆମ୍ବେଦକର ଅନାଥ ଆଶ୍ରମରେ ଜଣେ ଅନ୍ତେବାସୀ ଛାତ୍ରଛାତ୍ରୀ ଶୌଚାଳୟରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ତେବାସୀ ଛାତ୍ରୀ ଜଣକ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଠନଟ ଗ୍ରାମର ହୋଇଥିବା ବେଳେ ଅନେକ ବର୍ଷ ତଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ମା’ ମଧ୍ୟ ଝିଅକୁ ଛାଡି କେଉଁଆଡ଼େ ଚାଲି ଯାଇଛନ୍ତି। ବାପା ମା’ ଛେଉଣ୍ଡ ହୋଇଥିବାରୁ ତାଙ୍କୁ ପରିବାର ଲୋକେ ଅନାଥ ଆଶ୍ରମରେ ଭର୍ତ୍ତି କରିଥିଲେ।

ବର୍ତ୍ତମାନ ଆଶ୍ରମରେ ଦଶପୁର ପୁଲିସ ଫାଣ୍ଡି ଅଧିକାରୀ ଓ ଗୋଳାମୁଣ୍ଡା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ଅନାଥ ଆଶ୍ରମର ଅଧ୍ୟକ୍ଷ ଆଗରୁ ମଧ୍ୟ ବହୁ ବାଦ ବିବାଦରେ ଛନ୍ଦି ହୋଇଥିଲେ। ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ପରେ ଅନାଥ ଆଶ୍ରମ ଏବେ ସନ୍ଦେହ ଘେରକୁ ଚାଲି ଆସିଛି। ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କଲେ ନା ହତ୍ୟା କରି ଆତ୍ମହତ୍ୟା ର ରୂପ ଦେବାକୁ ଉଦ୍ୟମ କରାଯାଉଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର