ଝାଡାବାନ୍ତି ଭୟ ଗାଁକୁ ଯାଇ ନପାରି ଜୟପୁରରେ ରହୁଛନ୍ତି: ମାମାଲି

ଜୟପୁର: ‌ରାୟଗଡ଼ା ଜିଲ୍ଲାର କାଶୀପୁର ପରେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକକୁ ପୁଣି ଫେରିଛି ଝାଡ଼ାବାନ୍ତି। ଏଥିରେ ଲୋକେ ଆକ୍ରାନ୍ତ ହୋଇ ମୃତାହତ ହେଉଛନ୍ତି। ଏହା ଜାଣିବା ପରେ ଭୟରେ ଆର୍ନ୍ତଜାତୀୟ ଭଲିବଲ ଭାରତୀୟଦଳର ଖେଳାଳୀ ମାମାଲୀ ନାଗ ନିଜ ଗାଁ ଗିରିଲ୍ଲୀଗୁମ୍ମାକୁ ଫେରି ପାରୁ ନାହାଁନ୍ତି। ‌ଘରେ ମା’ ଝରା ନାଗ ଓ ଭାଇ ରାଜ ନାଗ ରହୁଛନ୍ତି। କଳିଙ୍ଗ ସ୍ପୋର୍ଟସ୍ ହଷ୍ଟେଲରୁ ୧୦ଦିନ ପାଇଁ ଛୁଟିରେ ଆସିଥିବା ମାମାଲି। ଦଶମନ୍ତପୁର ବ୍ଲକର ନିଜ ଗାଁ ସମେତ ପାଖ ପଡିଶା ଗାଁରେ ଝାଡ଼ାବାନ୍ତି ଏବଂ ଏଥିରେ ଲୋକେ ପୋକ ମାଛି ଭଳି ମରିବା ଦେଖିବା ଏବଂ ଶୁଣି ଶୁଣି ପିଲାଟି ବେଳରୁ ମନରେ ଭୟ ରହିଛି। ଗାଁକୁ ଦିନକ ପାଇଁ ଯିବା ପରେ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ଖବର ଶୁଣିବା ପରେ ଭୟଭୀତ ହୋଇ ଜୟପୁରରେ ରହୁଥିବା ଭଉଣୀ ଲକ୍ଷ୍ମୀଙ୍କ ଘରକୁ ପଳାଇ ଆସିଛନ୍ତି ମାମଲି। ଏଠାରେ କିଛିଦିନ ଛୁଟି କଟାଇ ଗାଁରେ ପରିସ୍ଥିତି ସୁଧିରିଲେ ଗାଁକୁ ଯିବେ। ନଚେତ ମା’ଙ୍କୁ ଜୟପୁର ଡକାଇ ତାଙ୍କୁ ଦେଖି ତା’ ପରେ ପୁଣି ଭୁବନେଶ୍ବର କ୍ରୀଡ଼ା ଛାତ୍ରବାସକୁ ଫେରିବେ ବୋଲି କହିଛନ୍ତି ମାମାଲି।

ମୟୁରଭଞ୍ଜର ରାଇରଙ୍ଗପୁରର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନିଶ୍ଚିତ ରୁପେ ତାଙ୍କୁ ଅଧିକା ପ୍ରେରଣା ଦେଇଛି ବୋଲି କହିଛନ୍ତି ମାମାଲି। ସେ ବି କ୍ରୀଡାରେ କୋରାପୁଟ ଜିଲ୍ଲାର ଦୁର୍ଗମ ଗାଁର ନାଁକୁ ବିଶ୍ବସ୍ତରରେ ସ୍ଥାପନ କରି ଦେଖାଇବା ଲକ୍ଷ୍ୟ ରଖିଥିବା କହିଛନ୍ତି। ବାପାଙ୍କ ମୃତ୍ୟୁ ପରେ ମା’ ଗାଁରେ ଛୋଟିଆ ଦୋକାନ କରି ମାମାଲିଙ୍କୁ ପଢ଼ାଉଥିଲେ। ସେ ୨୦୧୬ମସିହାରେ ୮ମରେ ପଡ଼ୁଥିବା ବେଳେ ଉଚ୍ଚ ଡିଆଁ(ଲଙ୍ଗ ଜମ୍ପ)ରେ ବିଦ୍ୟାଳୟ ଜିଲ୍ଲାସ୍ତରରେ କୃତିତ୍ବ ହାସଲ କରିଥିଲେ। ସେ ସମୟରେ କୋରାପୁଟରୁ ଆସିଥିବା ଜଣେ କ୍ରୀଡା ପ୍ରଶିକ୍ଷକ ଗୁପ୍ତ ତାଙ୍କୁ ଭଲିବଲ ଖେଳିବା ପାଇଁ ପ୍ରତ୍ସାହିତ କରିଥିଲେ। କୋରାପୁଟରେ ସ୍ପୋର୍ଟସ୍ ହଷ୍ଟେଲ ଚୟନରେ ସେ ଭାଗ ନେଇଥିଲେ। ଏଥିରେ ତାଙ୍କର ଚୟନ ହୋଇଥିଲା।

Sambad

ସେ ଭୁବନେଶ୍ବର କଳିଙ୍ଗ କ୍ରୀଡା ଛାତ୍ରାବାସରେ ଅନ୍ତେବାସୀ ଭାବେ ରହି ଭଲିବଳର କୋଚ ସୁଷମା ନନ୍ଦ ଓ ସତ୍ୟନାରାୟଣ ସେନାପତି ୪ବର୍ଷ କାଳ ମାମାଲିଙ୍କୁ କୋଚିଂ ଦେଇଥିଲେ। ଏହାରି ମଧ୍ୟରେ ସେ ତାଙ୍କ ମଧ୍ୟରେ ରହିଥିବା କ୍ରୀଡା ନୈପୁଣ୍ୟତାକୁ ପ୍ରଦର୍ଶନ କରି ଜୁନିୟର ନ୍ୟାସନାଲ, ୟୁଥ, ସିନିୟର ନ୍ୟାସନାଲ୍ , ଫେଡରେସନ୍ କଫ, ମିନି ନ୍ୟାସନାଲ ୨୦୧୯,୨୦୨୦ , ୨୦୨୨ମସିହାରେ ଓଡିଶା ଦଳରେ ସାମିଲ ହୋଇ ନିଜର ଶ୍ରେଷ୍ଟତା ପ୍ରତିପାଦନ କରିଥିଲେ। ଫେଡରେସନ୍ କଫରେ ତାଙ୍କୁ ପୁରସ୍କୃତ ବି କରାଯାଇଥିଲା। କାଜିକାସ୍ଥାନରେ ଅନୁଷ୍ଠିତ ହୋଇଥିବା ଏସିଆନ୍ ନ୍ୟାସନାଲ୍ କଫ ପାଇଁ ଭାରତ ଦଳ ପାଇଁ ତାଙ୍କୁ ଚୟନ କରାଯାଇଥିଲା।

କାଜିକାସ୍ଥାନ, ଉଜବେକିସ୍ଥାନକୁ ଭାରତ ଦଳ ହରାଇବା ସହ ଇରାନ, ଜାପନ ଓ ଚାଇନା-ତାଇପେଇ ସହ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ହାରିଯାଇଥିଲେ। ଏହି ୫ଟି ଯାକ ମ୍ୟାଚରେ ମାମଲି ନିଜର ଶ୍ରେଷ୍ଟ ଖେଳ ପ୍ରଦର୍ଶନ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା କୁଇନ୍ସ୍ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟରେ ଭାରତ ଦଳରେ ପୁଣି ନିଜ ସ୍ଥାନ ବଜାୟ ରଖିବା ପାଇଁ ସଂପ୍ରତି ପ୍ରସ୍ତୁତି ଚଳାଇଛନ୍ତି। କୋରାପୁଟ ଜିଲ୍ଲାର କ୍ରୀଡାବିତ୍ ମାନଙ୍କ ମଧ୍ୟରେ ବି ବିଭିନ୍ନ ଖେଳକୁଦ କରିବାର କ୍ଷମତା ରହିଛି। ତେବେ ଏଠାରେ ଅନୁସଙ୍ଗିକ ଭିତ୍ତିଭୁମି, ବୈଷୟିକ ତାଲିମ ପ୍ରଦାନ ଏବଂ ଉତ୍ତମ ମାର୍ଗ ଦର୍ଶନ ମିଳି‌ଳେ ବଣର ମଲ୍ଲୀ ବ‌ଣରେ ପୁଟି ବଣରେ ଝଡ଼ି ଯିବ ନାହିଁ ବୋଲି କହିଛନ୍ତି ମାମାଲି। କୋରାପୁଟ ଜିଲ୍ଲାରେ ମହିଳା ଭଲିବଲ ଟିମ୍ ନଥିବାରୁ ଏହା ଗଠନ କରାଯାଉ ବୋଲି କହିଛନ୍ତି ମାମାଲି। ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାର ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରନ୍ତୁ ବୋଲି ଅନୁରୋଧ କରିଛନ୍ତି ମାମାଲି।

ସମ୍ବନ୍ଧିତ ଖବର