ବିବାହ ପାଇଁ ଅଭାବ ଓ ଅସହାୟତାରେ କଲବଲ ହେଉଥିଲେ ଯୁବତୀ, ନୂଆ ସଂସାର ଗଢ଼ିଲେ ଶ୍ମଶାନବନ୍ଧୁ

ସୁନ୍ଦରଗଡ଼: ମାନବିକତାର ମନ୍ତ୍ର ପଢ଼ି ୪ ଶହରୁ ଅଧିକ ଅଛୁଆଁ, ଅଲୋଡ଼ା ମୃତଦେହର ଦାହ ସଂସ୍କାର କରି ବିରଳ ରେକର୍ଡ ଅର୍ଜନ କରିଛନ୍ତି ସୁନ୍ଦରଗଡ଼ର ଟିମ୍ ଶ୍ମଶାନବନ୍ଧୁ। ଏବେ ସେମାନଙ୍କ ମାନବିକତାର ଜୟଯାତ୍ରାରେ ଆଉ ଏକ ନୂଆ ପୃଷ୍ଠା ଯୋଡ଼ି ହୋଇଛି। ନିଜ ହାତରେ ଅଭାବ ଓ ଅସହାୟତାରେ କଲବଲ ହେଉଥିବା ଜଣେ ଯୁବତୀଙ୍କ ପାଇଁ ନୂଆ ସଂସାର ଗଢ଼ି ଦେଇଛନ୍ତି। ପାରମ୍ପରିକ ରୀତିନୀତିରେ ବିବାହ କରାଇ ଶ୍ବଶୁର ଘରକୁ ପଠାଇ ଦେଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ କନିକା ଗାଁର ଏକ ଛୋଟ କୁଡ଼ିଆରେ ରହୁଥିଲେ ତୁଳାବତୀ ସା ଓ ତାଙ୍କ ଝିଅ ପ୍ରୀତି(୨୪)। ପ୍ରୀତି ଜନ୍ମ ହେବା ପରେ ବାପା, ମା’-ଝିଅକୁ ଛାଡ଼ି କେଉଁଆଡ଼େ ଚାଲିଗଲେ ଯେ, ଫେରିବାର ନାଁ ନେଲେ ନାହିଁ। ଏହା ପରେ ମା’ ଝିଅଙ୍କୁ ସାହା ହେବାକୁ ଆଉ କେହି ନଥିଲେ। ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ବୃଦ୍ଧା ପରଘରେ ମୂଲ ଲାଗି ଯାହା ଆଣନ୍ତି ସେଥିରେ ମା’ଝିଅ ପେଟକୁ ହେଲେ ପିଠିକୁ ନାହିଁ ଭଳି କଷ୍ଟେମଷ୍ଟେ ଚଳୁଥିଲେ। ଅଭାବ ସତ୍ତ୍ବେ ପ୍ରୀତିକୁ ମାଟ୍ରିକ ଯାଏ ପଢ଼ାଇଥିଲେ ତୁଳାବତୀ। ଏହା ପରେ ଆଗକୁ ପଢ଼ାଇବାକୁ ସମ୍ବଳ ନଥିଲା, ତେଣୁ ପାଠରେ ଡୋରି ପଡ଼ିଲା। ଧିରେ ଧିରେ ପ୍ରୀତି ବିବାହ ବୟସରେ ଉପନୀତ ହେଲେ। କିନ୍ତୁ ଅଭାବ ପ୍ରୀତିଙ୍କ ନୂଆ ସଂସାର ଗଢ଼ିବାର ପଥକୁ ଓଗାଳି ଥିଲା।

ଝିଅ ସୁନ୍ଦରୀ ଥିବାରୁ ଅନେକ ପ୍ରସ୍ତାବ ଆସୁଥିଲା, କିନ୍ତୁ ଯାନିଯୌତୁକ ପାଇଁ ବର ମୁହଁ ଫେରାଇ ନେଉଥିଲେ। ଏପରିକି ବିବାହର ସାମାନ୍ୟ ଖର୍ଚ୍ଚ ତୁଲାଇବାକୁ ବି ସକ୍ଷମ ନଥିଲେ ତୁଳାବତୀ। ଏହା ମଧ୍ୟରେ ପଡ଼ୋଶୀ ଜିଲ୍ଲା ଝାରସୁଗୁଡ଼ାରୁ ଏକ ପ୍ରସ୍ତାବ ଆସିଥିଲା। ପ୍ରୀତିକୁ ଦେଖି ବର ବିନା ଯୌତୁକରେ ବିବାହ କରିବାକୁ ରାଜି ହୋଇଯାଇଥିଲେ। କିନ୍ତୁ ବରଘର ଲୋକଙ୍କ ପାଇଁ ଭୋଜି ସହ ଝିଅଜ୍ବାଇଁଙ୍କୁ କିଛି ନା କିଛି ଉପହାର ଦେବାକୁ ସକ୍ଷମ ନଥିବାରୁ କାନ୍ଦି ପକାଇଥିଲେ ତୁଳାବତୀ। ଏହି ସମୟରେ କନିକା ଗାଁର ଏକ ୱେବ୍ ଗଣମାଧ୍ୟମରେ ସାମ୍ବାଦିକତା କରୁଥିବା ଶିବାନୀ ଦେ ତୁଳାବତୀଙ୍କୁ ଦୁଃଖ ଶୁଣି ସହାୟତା ପାଇଁ ବିଭିନ୍ନ ସାମାଜିକ ସଂଗଠନଗୁଡ଼ିକୁ ନିବେଦନ କରିଥିଲେ। ଏହା ସହ ଟିମ୍ ଶ୍ମଶାନବନ୍ଧୁର ସଦସ୍ୟ ସିଦ୍ଧାନ୍ତ ପଣ୍ଡାଙ୍କ ସହଯୋଗ ଲୋଡ଼ିଥିଲେ। ସିଦ୍ଧାନ୍ତ ପଣ୍ଡା କନିକା ଯାଇ ତୁଳାବତୀଙ୍କୁ ଭେଟିବା ପରେ ପ୍ରୀତିଙ୍କୁ ନୂଆ ସଂସାର ଗଢ଼ିବାରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମର ଅନ୍ୟ ସଦସ୍ୟମାନଙ୍କ ସହ ଆଲୋଚନା କରି ବିବାହ ଆୟୋଜନରେ ଲାଗି ପଡ଼ିଥିଲେ ଶ୍ମଶାନବନ୍ଧୁ।

ନିଜେ ସିଦ୍ଧାନ୍ତଙ୍କ ସହ ଶିଶିର, ମନୋଜ, କମଲେଶ, ଦେବେନ ଓ ଚିଣ୍ଟୁ ସାମର୍ଥ୍ୟ ଅନୁସାରେ ଆର୍ଥିକ ସହାୟତା ଯୋଗାଇବା ସହ ସୁନ୍ଦରଗଡ଼ର ବ୍ୟବସାୟୀମାନଙ୍କୁ ସହାୟତା ମାଗିଥିଲେ। ଏ ଯାତ୍ରାରେ ବ୍ୟବସାୟୀ ନୀରଜ ଅଗ୍ରୱାଲ, ବୁଲୁ ଦାସ, ପଙ୍କଜ ଠାକୁର, ସମୀର ପଟ୍ଟନାୟକ, ପ୍ରଶାନ୍ତ ମହନ୍ତ, ଭେଡ଼ାବାହାଲ କଲେଜ ଅଧ୍ୟାପକ ପ୍ରିୟଦର୍ଶୀ ଅଶୋକ ବରାଇ ପ୍ରମୁଖ ସହଯୋଗର ହାତ ବଢ଼ାଇଥିଲେ। ୨୧ ତାରିଖରେ କନିକା ଗ୍ରାମସ୍ଥିତ ଶିବ ମନ୍ଦିର ପରିସରରେ ପାରମ୍ପରିକ ରୀତିରେ ପ୍ରୀତିଙ୍କ ବିବାହ କରାଇଥିଲେ। ଝିଅ ବିଦାକୀ ବେଳେ ପ୍ରୀତି ଓ ତାଙ୍କ ମା’ଙ୍କ ଆଖିରେ କୃତଜ୍ଞତାର ଲୁହ ଝରି ଯାଇଥିଲା । ଟିମ୍ ଶ୍ମଶାନବନ୍ଧୁଙ୍କ ପ୍ରତି ସବୁରି ମୁହଁରୁ ଝରି ପଡ଼ିଥିଲା ପ୍ରଶଂସା।

ସମ୍ବନ୍ଧିତ ଖବର