ଅନେକ ଦୂର ଶିକ୍ଷାନୁଷ୍ଠାନ, ପାଠପଢ଼ାରୁ ବଞ୍ଚିତ ୩୯ ପ୍ରତିଶତ ଗାଁର ଝିଅ
ବାଲେଶ୍ବର (ରୁଦ୍ରରଞ୍ଜନ ଶେଜପଡ଼ା): ଶିକ୍ଷା କ୍ଷେତ୍ରରେ ବାଲେଶ୍ବର ରାଜ୍ୟ ତାଲିକାର ଉପରକୁ ଆସେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ବି ଜିଲ୍ଲାର ଛାତ୍ରଛାତ୍ରୀ ମାନେ ଭଲ ପ୍ରଦର୍ଶନ କରନ୍ତି। ହେଲେ ଦୀପ ତଳ ଅନ୍ଧାର ଭଳି ଏଠାରେ ଏବେ ବି ଅନେକ ଗାଁ ଅଛି, ଯେଉଁ ଗାଁର ପିଲାମାନେ ଶିକ୍ଷାନୁଷ୍ଠାନର ଅଭାବ ଯୋଗୁ ଆବଶ୍ୟକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାର ପ୍ରତିକୂଳ ପ୍ରଭାବ ବିଶେଷ କରି ଝିଅ ମାନଙ୍କ ଉପରେ ପଡ଼ୁଛି ବୋଲି ବିଶେଷଜ୍ଞ ମାନେ କହୁଛନ୍ତି। ଗାଁ ନିକଟରେ ଶିକ୍ଷାପୁଷ୍ଠାନ ଉପଲବ୍ଧ ନ ହେବା ଯୋଗୁ ସେମାନେ ବିଭିନ୍ନ କାରଣ ପାଇଁ ଦୂରକୁ ପାଠ ପଢ଼ିବାକୁ ଯାଇ ପାରୁ ନାହାଁନ୍ତି କି ଜ୍ଞାନ ଆହୋରଣ କରି ପାରୁ ନାହାଁନ୍ତି। ଯେଉଁ ମାଟିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଭଳି ଯୋଗଜନ୍ମା ପୁରୁଷ ନାରୀଶିକ୍ଷାକୁ ନୂଆ ଦିଗ ଦେବାକୁ ଚାହୁଁଥିଲେ, ସେହି ମାଟିରେ ଏପରି ସ୍ଥିତି ଚିନ୍ତା କଲା ଭଳି। ଗାଁ ଗହଳିରେ ରହୁଥିବା ଅଶିକ୍ଷିତ ପରିବାର ଗୁଡ଼ିକର ବାପାମାଆ ମାନେ ଭଲ ବର ପ୍ରସ୍ତାବ ପାଇଲେ ଘରର ନାବାଳିକା ମାନଙ୍କ ବାହାଘର କରିଦେଉଥିବା ବେଳେ ଅଜ୍ଞତା ଓ ସଚେତନତାର ଅଭାବ କାରଣରୁ ନାବାଳିକା ମାନେ ମଧ୍ୟ ଏହାର ପ୍ରତିବାଦ କରିପାରୁ ନାହାଁନ୍ତି। ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ବୈଠକରେ ଅଧିକାରୀ ମାନେ ଯେଉଁ ତଥ୍ୟ ଦେଇଛନ୍ତି, ତାହା ଏ କଥାକୁ ପ୍ରମାଣିତ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଶାସନ ଦେଇଥିବା ତଥ୍ୟ ଅନୁସାରେ ଜିଲ୍ଲାର ପ୍ରତି ୪ଟି ବାହାଘର ମଧ୍ୟରୁ ଗୋଟିଏ ନାବାଳିକା ବାହାଘର ହେଉଛି। ଏପରି ସମୟରେ ଶିକ୍ଷାନୁଷ୍ଠାନ ଅଭାବରୁ ଝିଅ ମାନେ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଯେଉଁ ଅଭିଯୋଗ ଆସୁଛି। ତାହା କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାଲେଶ୍ବର ଜିଲ୍ଲାର ୨୫୫୭ଟି ଗାଁକୁ ନେଇ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ପ୍ରମାଣିତ ହୋଇଯାଉଛି। ଇଣ୍ଡିଆ ଡାଟା ପୋର୍ଟାଲ ମାଧ୍ୟମରେ ମିଳିଥିବା ଉକ୍ତ ସରକାରୀ ତଥ୍ୟ କହୁଛି, ୨୦୧୯ ମସିହା ସୁଦ୍ଧା ଜିଲ୍ଲାର ୨୫୫୭ ଟି ଗାଁ ମଧ୍ୟରୁ ୧୪୯୪ଟି ଗାଁର ଝିଅ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ପାଉଛନ୍ତି।
ସେହିପରି ୮୨୭ ଟି ଗାଁର ଝିଅ ମଧ୍ୟ ଇଂରାଜୀ ବିଦ୍ୟାଳୟ ଶିକ୍ଷା ପାଉଥିବା ବେଳେ ୪୪୯ଟି ଗାଁର ଝିଅ ଉଚ୍ଚବିଦ୍ୟାଳୟ, ୧୨୫ ଟି ଗାଁର ଝିଅ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ୭୪ ଟି ଗାଁର ଝିଅ ମହାବିଦ୍ୟାଳୟ ଶିକ୍ଷା ପାଇ ପାରୁଛନ୍ତି। ଅପରପକ୍ଷରେ ୧୦୦୨ ଟି ଗାଁର ଝିଅ ଆବଶ୍ୟକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହା ସର୍ଭେରେ ସାମିଲ ଥିବା ମୋଟ ଗାଁର ୩୯ ପ୍ରତିଶତରୁ ଅଧିକ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ, ଜିଲ୍ଲାରେ ହାତଗଣତି ମାତ୍ର ୫୯ ଟି ସର୍ବସାଧାରଣ ପାଠାଗାର ଉପଲବ୍ଧ ରହିଛି। ଯେଉଁ ଗୁଡ଼ିକ ମଧ୍ୟରୁ ଅଧିକାଂଶ ପାଠାଗାର ଠିକ୍ ଢଙ୍ଗରେ ଚାଲୁନାହିଁ। ଏପରି ସମୟରେ ୧୨ ଦଶନ୍ଧି ତଳେ ଅର୍ଥାତ୍ ୧୮୯୮ ମସିହାରେ ବ୍ୟାସକବି ଫକୀରମୋହନ ସେନାପତି ନିଜ ଗଳ୍ପ ‘ରେବତୀ’ ମାଧ୍ୟମରେ ନାରୀଶିକ୍ଷାର ପ୍ରଚାରପ୍ରସାର ପାଇଁ ଯେଉଁ ମହତ ଉଦ୍ୟମ କରିଥିଲେ, ତାହା ଆଜି ଯାଏ ବି ଯେ ସଫଳ ହୋଇ ନାହିଁ। ଏ କଥାକୁ ସ୍ବୀକାର କରିବାକୁ ପଡ଼ିବ।
ତେବେ ସମୟ ଆସିଛି, ସରକାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେବା ଉଚିତ। ଜିଲ୍ଲାର ସବୁ ଝିଅ ଯେପରି ଉପଯୁକ୍ତ ଶିକ୍ଷା ପାଇପାରିବେ, ସେନେଇ ଗାଁ ଗଣ୍ଡା ଗୁଡ଼ିକରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକର ଉପଲବ୍ଧତା ବଢ଼ାଇବାକୁ ହେବ। ଫଳରେ ବାଲେଶ୍ବର ପରି ଦେଶର ବିଭିନ୍ନ ଜିଲ୍ଲାରେ ଶିକ୍ଷା ଓ ସଚେତନତାର ଅଭାବରୁ ହେଉଥିବା ବାଲ୍ୟ ବିବାହକୁ ପରୋକ୍ଷରେ ରୋକାଯାଇ ପାରିବ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି।