ଛେଳି ଚୋରି କରିବାକୁ ଆସିଥିଲେ, ଦୁଇ ଛେଳି ଚୋରଙ୍କୁ କାବୁକଲେ ଗ୍ରାମବାସୀ 

ବାଲିପାଟଣା : କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଛେଳି, ମେଣ୍ଢା ଚୋର ପୁଣି ଉତ୍ପାତ କଲେଣି | ଗତକାଲି ବିଳମ୍ବିତ ରାତିରେ ୨ ଜଣ ଚୋରଙ୍କୁ ଗ୍ରାମବାସୀ କାବୁ କରିଛନ୍ତି | ସେମାନେ ହେଲେ ଗଣେଷ ବେହେରା ଓ ରାକେଶ ପଣ୍ଡା | ସୂଚନା ପାଇ ପୁଲିସ ପିସିଆର ହାବିଲଦାର ସୌମେନ୍ଦ୍ର ପାତ୍ର ଏବଂ ଟିମ ଘଟଣା ସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣି ଅଟକ ରଖିଛି | ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାରହଳ ଗ୍ରାମର ଅଲ୍ଲୀ ଜାନ୍ ଖାନ, ଅବଦୁଲ ହସନତ ଖାନ, ରାହିଲ ଖାନ ରାତି ଡିୟୁଟି ସାରି ଫେରୁଥିଲେ | ଗାଁ ମୁଣ୍ଡ ରାସ୍ତାରେ ୨ ଜଣ ଯୁବକ ଠିଆ ହୋଇଥିବା ଦେଖିଥିଲେ |

ସେମାନଙ୍କ ବାଇକରେ ଛେଳିଟିଏ ଥିବାର ଦେଖି ସନ୍ଦେହ ହୋଇଥିଲା | ସେମାନଙ୍କୁ ପଚାରଉଚରାବେଳେ ଚୋର ୨ ଜଣ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରିଥିଲେ | ଯୁବକମାନେ ସାହସ ଜୁଟାଇ ସେମାନଙ୍କୁ କାବୁ କରି ନେଇଥିଲେ | ସେମାନେ ହେଲେ ବାଲିପାଟଣା ଥାନା ବିଶ୍ୱାଳପଡା ଗ୍ରାମର ଗଣେଷ ବେହେରା ଓରଫ ମଣ୍ଟୁ (୨୫ ) ଏବଂ ନିମାପଡା ଥାନା ବିଅଁଳ ଗ୍ରାମର ରାକେଶ ପଣ୍ଡା (୨୯) | ବିଶ୍ୱାଳପଡା ଗ୍ରାମର କୈଳାଶ ବେହେରାଙ୍କ ଛେଳି ଚୋରି କରିଥିବା ଚୋରମାନେ ଗ୍ରାମବାସୀଙ୍କ ଆଗରେ ମାନିଥିଲେ | ପୂର୍ବରୁ କୈଳାଶଙ୍କ ୪ ଟି ଛେଳି ଚୋରି ହୋଇଛି | ପୁଲିସ ଘଟଣାସ୍ଥଳକୁ ଯାଇ ୨ ଚୋରଙ୍କ ସମେତ ସେମାନେ ବ୍ୟବହାର କରୁଥିବା ବାଇକକୁ ଜବତ କରି ଥାନାକୁ ଆଣିଛି |

କୈଳାଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଧରା ପଡ଼ିଥିବା ଚୋରମାନେ ପୂର୍ବରୁ ଅନେକ ଚୋରି କରିଥିବା ମଧ୍ୟ ସ୍ୱୀକାର କରିଛନ୍ତି | ଲୋକେ ଛେଳି,ମେଣ୍ଢା ଚୋରଙ୍କୁ ଧରି ପୁଲିସ ଜିମା ଦେଉଛନ୍ତି | ହେଲେ ପୁଲିସ ସେମାନଙ୍କୁ ବାନ୍ଧି କୋର୍ଟ ଚାଲାଣ କରି କାମ ସାରିଦେଉଛି | ଅଥଚ ଚୋରମାନଙ୍କ ବୟାନ ଆଧାରରେ ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟମାନଙ୍କୁ କାହିଁକି ଧରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି |

ସମ୍ବନ୍ଧିତ ଖବର