ବାଲିଅନ୍ତା ଅଞ୍ଚଳରେ ଚୋରଙ୍କ ଉତ୍ପାତ, ରାତିକ ମଧ୍ୟରେ ନେଇଗଲେ ୨୭ ଛେଳିମେଣ୍ଢା

ବାଲିଅନ୍ତା : କିଛିଦିନର ନିରବତା ପରେ ବାଲିଅନ୍ତା ଥାନା ଅଞ୍ଚଳରେ ମେଣ୍ଢା ଓ ଛେଳି ଚୋରଙ୍କ ଉତ୍ପାତ ପୁଣି ବୃଦ୍ଧି ପାଇଛି । ଗତରାତିକ ମଧ୍ୟରେ ସ୍ଥାନୀୟ ଅଞ୍ଚଳରୁ ୨୭ଟି ଛେଳିମେଣ୍ଢା ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । ଲୁଟ ହୋଇଯାଇଥିବା ଗୃହପାଳିତ  ପ୍ରାଣୀଙ୍କର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଦୁର୍ବୃତ୍ତମାନେ ଗୁହାଳ ତାଲା ଭାଙ୍ଗି  ଛେଳିମେଣ୍ଢାଙ୍କ ମୁହଁରେ ନିଶା ସ୍ପ୍ରେ କରି ବେହୋସ କରାଇବା ପରେ ଏକ ଟାଟା ଏସ ଗାଡ଼ିରେ ଉଠାଇ ନେଇଥିବା ଜଣାପଡ଼ିଛି ।

ଏ ସଂପର୍କରେ ସଂପୃକ୍ତ ମେଣ୍ଢା ଏବଂ ଛେଳି ପାଳକମାନେ ଆଜି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାସ୍ତାପାର୍ଶ୍ବରେ ଏକ ବ୍ୟବସାୟ ପ୍ରତିଷ୍ଠାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜରେ ଏହା କଏଦ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଭିଙ୍ଗାରପୁର ପଞ୍ଚାୟତ ଅଧୀନ ଇଚ୍ଛାଦେଇପାଟଣା ଗ୍ରାମର ବୈରାଗି ଦାସଙ୍କ ଗୁହାଳ ତାଲା ଭାଙ୍ଗି ୧୭ଟି ମେଣ୍ଢା  ଲୁଟ ହୋଇଯାଇଛି । ସେହିପରି ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ବେତେଣ୍ଡା ଗ୍ରାମର ଶଙ୍କର ଭୋଇଙ୍କ ୧୦ଟି ଛେଳି ଚୋରିଯାଇଛି । ଅଭିଯୋଗ ଓ ସିସି କ୍ୟାମେରା ଫୁଟେଜ ଆଧାରରେ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି । ହେଲେ ରିପୋର୍ଟ ଲେଖା ହେବା ବେଳକୁ ଲୁଟେରାଙ୍କ ଟେର ମିଳିପାରି ନାହିଁ ।

ସମ୍ବନ୍ଧିତ ଖବର