ପୁଣି ମାତିଲେଣି ଛେଳିମେଣ୍ଢା ଚୋର; କାର ଲଗାଇ ନେଇଗଲେ ୮ ମେଣ୍ଢା

 ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ପୁଣି ମାତିଲେଣି ଛେଳିମେଣ୍ଢା ଚୋର | କିଛି ଦିନର ନିରବତା ପରେ ଚୋର ପୁଣି ସକ୍ରିୟ ହେଲେଣି | ଏହି ଚୋରି ସବୁର ଲମ୍ବା ତାଲିକାରୁ ପୁଲିସ ଗୋଟିଏ ବି ମାମଲାର ପର୍ଦାଫାଶ କରି ପାରୁନାହିଁ |

ଗତ ଗୁରୁବାର ରାତିରେ ପୂର୍ବଗଡ଼ ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ୮ଟି ମେଣ୍ଢା ଚୋର ନେଇଯାଇଛନ୍ତି | ସୁରେନ୍ଦ୍ର ଗତକାଲି ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ସୂଚନା ଅନୁସାରେ, ଗୁରୁବାର ରାତି ପାଖାପାଖି ସାଢେ ୩ ଟା ହେବ କିଛି ଶବ୍ଦ ଶୁଣି ସୁରେନ୍ଦ୍ର ଉଠି ଘର ବାହାରକୁ ଆସିଥିଲେ | ଘର ସାମ୍ନାରେ ଗୋଟିଏ ନାଲି ଏବଂ ଧଳା ରଙ୍ଗର କାର ଛିଡା ହୋଇଥିବା ଦେଖିଥିଲେ | କାର ପାଖରେ କିଛି ଯୁବକ ମୁହଁରେ କପଡା ଓ ଗାମୁଛା ବାନ୍ଧି ଛିଡା ହୋଇଥିଲେ | ସୁରେନ୍ଦ୍ର ପାଖପଡୋଶୀଙ୍କୁ ଡାକିବାର ଦେଖି ଚୋରମାନେ ଘଟଣାସ୍ଥଳରୁ କ୍ଷୀପ୍ର ଗତିରେ ଗାଡି ନେଇ ଚାଲି ଯାଇଥିଲେ | ଗତ ବର୍ଷ ମଧ୍ୟ ତାଙ୍କ ଗୁହାଳରୁ ମେଣ୍ଢା ଚୋରି ହୋଇଥିଲା | ଏହି ସପ୍ତାହରେ ବଦଳା ପଣ୍ଡୁଆ ସାହି ଅଞ୍ଚଳରୁ ମଧ୍ୟ ମେଣ୍ଢା ଚୋରି ହୋଇଥିବା ଜଣାପଡିଛି |

ଏହି ଥାନା ଅଞ୍ଚଳରେ ଛେଳିମେଣ୍ଢା ଚୋରି ତାଲିକା ବେଶ ଲମ୍ବା | ସରାଟ ମଦନ ବେହେରାଙ୍କ ଗୁହାଳରୁ ୨୩ ମେଣ୍ଢା,ଚଣାହାଟ ଗ୍ରାମର ଭାଗବତ ଭୋଇଙ୍କ ୧୨ ଛେଳି, ଜୟଦେବ ପଞ୍ଚାୟତ ସାହେବ ନଗର ଗ୍ରାମର ସୁକାନ୍ତ ବାରିକଙ୍କ ୩୨ ମେଣ୍ଢା, ସିଙ୍ଗିରି ଶାସନ ପ୍ରଶାନ୍ତ ବେହେରା ଓ ପ୍ରକାଶ ବେହେରାଙ୍କ ୫୧ ମେଣ୍ଢା, ବିଶୁନିଆପଡା ବାବାଜୀ ମଠିଆ, ଚକ୍ରଧର ବେହେରା ଏବଂ ପ୍ରଫୁଲ ପରିଡାଙ୍କ ୩୧ ମେଣ୍ଢା ଚୋରି ସମ୍ପର୍କରେ ଥାନାରେ ମାମଲା ହୋଇଛି |
ବାରମ୍ବାର ଚୋରି ହେବା ପରେ ଛେଳିମେଣ୍ଢା ଚାଷୀମାନେ ସର୍ବଶାନ୍ତ ହୋଇପଡୁଛନ୍ତି | ଅଥଚ ପୁଲିସ ଗୁହାଳ ଖାଲି କରିଦେଉଥିବା ଚୋରମାନଙ୍କୁ ଧରିବାରେ ବିଫଳ ହେଉଛି | ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁଙ୍କ ସୂଚନା ଅନୁସାରେ, ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ପୁଲିସ ଯାଇ ତଦନ୍ତ କରିଛି |

ସମ୍ବନ୍ଧିତ ଖବର