ମମିତା ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ହାଜର ହେଲା ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁ

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଣ୍ଟାବାଞ୍ଜି କୋର୍ଟରେ ହାଜର କରାଯାଇଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରୁ ଚାର୍ଟସିଟ ଦାଖଲ ହେବାପରେ ମାମଲାର ବିଚାର କଣ୍ଟାବାଞ୍ଜି ଏଡ଼ିଜେ କୋର୍ଟକୁ ସ୍ଥାନାନ୍ତରୀତ ହୋଇଛି।  ଆଜିଠାରୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମଙ୍କୁ ହାଜର କରାଯାଇଥିବାବେଳେ ନିଜ ଓକିଲ ମଧ୍ୟ ବଦଳାଇଛନ୍ତି ଗୋବିନ୍ଦ।

ଭବାନୀପାଟଣାର ବରିଷ୍ଠ ଆଇନଜୀବୀ ଦୁର୍ଗା ପାଢ଼ୀ ଲଢ଼ୁଥିବା ବେଳେ ଗୋବିନ୍ଦ ସାହୁଙ୍କ ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୧ତାରିଖରେ ହେବ ବୋଲି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀଙ୍କ କହିବା ଅନୁସାରେ ଗୋବିନ୍ଦ ସାହୁଙ୍କ ମାମଲାର ବିଚାର ଆଜିଠାରୁ କଣ୍ଟାବାଞ୍ଜି ଏଡ଼ିଜେ କୋର୍ଟରେ ଆରମ୍ଭ ହୋଇଛି |

ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଅକ୍ଟୋବର ୮ ତାରିଖ ଦିନ ମମିତା ହତ୍ୟାକାଣ୍ଡ ଘଟିଥିଲା। ଏହି ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହୋଇଥିଲା । ପୁଲିସ ଅକ୍ଟୋବର ୧୫ ତାରିଖ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଥିଲା । ହେଲେ ଟିଟିଲାଗଡ ପୁଲିସ ବାରାକରୁ ଗୋବିନ୍ଦ ଫେରାର ମାରିଥିଲା । ପରେ ପୁଲିସ ୧୯ ତାରିଖ ଗୋବିନ୍ଦକୁ ଧରିବାରେ ସଫଳ ହୋଇଥିଲା । ଆଉ ୨୦ ତାରିଖ କୋର୍ଟଚାଲାଣ କରିଥିଲା । ସେହିପରି ଗୋବିନ୍ଦକୁ ହତ୍ୟା ସମୟରେ ସହାୟତା କରିଥିବା ତାର ଡ୍ରାଇଭର ରାଧେକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ଉଭୟ ଅଭିଯୁକ୍ତ ଏବେ କଣ୍ଟାବାଞ୍ଜି ଜେଲରେ ଅଛନ୍ତି |

ସୂଚନା ମୁତାବକ ମମିତାଙ୍କ ହତ୍ୟାକାଣ୍ଡ ଅକ୍ଟୋବର ୮ ତାରିଖ ଘଟିଥିଲା। କିନ୍ତୁ ଗୋବିନ୍ଦ ମର୍ଡର ପ୍ଲଟ୍‌ର ବ୍ଲୁପ୍ରିଣ୍ଟ ତିଆରି କରିଥିଲା ଅକ୍ଟୋବର ୭ ତାରିଖରେ। ୭ ତାରିଖ ଅପରାହ୍ଣରେ ଧଳା ସ୍କୁଟିରେ ମହାଲିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା ଗୋବିନ୍ଦ। ସେଠି ଜେସିବି ଚଳାଉଥିବା ପୁଷ୍କର ଭୋଇଙ୍କୁ ନିର୍ଦେଶ ଦେଇଥିଲା ଷ୍ଟାଡିୟମର ଏକ କୋଣରେ ଗାତ ଖୋଲିବା ପାଇଁ। ଆଉ ସଂଧ୍ୟାରେ ଷ୍ଟାଡିୟମର ଜଗୁଆଳିଙ୍କୁ ସ୍କୁଲର ପୁରୁଣା ଚେୟାର ଟେବୁଲକୁ ଗାତ ପାଖରେ ପକାଇଦେବାର ନିର୍ଦେଶ ଦେଇଥିଲା ଗୋବିନ୍ଦ। ଏପରିକି ୮ ତାରିଖ ଅପରାହ୍ନରେ ଷ୍ଟାଡିୟମରେ ପହଞ୍ଚି କିଛି କାଠ ଗାତ ପାଖରେ ରଖିଦେବାର ନିର୍ଦେଶ ଦେଇଥିଲା। ନିଜ ସହଯୋଗୀ ରାଧେ ଚଣ୍ଡୀକୁ ପୁରୁଣା ଟାୟାର ଆଣିବା ପାଇଁ ନିର୍ଦେଶ ଦେଇଥିଲା। ଆଉ ସଂଧ୍ୟା ୮ଟାରେ ଷ୍ଟାଡିୟମର ସେହି ଗାତ ପାଖରେ ହୁତୁହୁତୁ ହୋଇ ନିଆଁ ଜଳିବାର ଦେଖିଥିଲେ ଷ୍ଟାଡିୟମରେ କାମ କରୁଥିବା ଶ୍ରମିକମାନେ। ଏଭଳି ଭାବେ ନିଜ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ଲଗାଇ ମମିତାଙ୍କ ଶବକୁ ପୋଡ଼ି ଦେଇ ପୋତି ଦେଇଥିଲା ଗୋବିନ୍ଦ।

ସମ୍ବନ୍ଧିତ ଖବର