ଭଟଲି: ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମହାପ୍ରଭୁଙ୍କ ଘୋଷଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମରେ ମହାପ୍ରଭୁଙ୍କ ଯାତ୍ରା ସଂପନ୍ନ ହୋଇଛି। ପ୍ରଚଣ୍ଡ ଖରା ଏବଂ ଗୁୁଳୁଗୁଳି ଭକ୍ତଙ୍କ ଉଦ୍ଦୀପନାରେ କିଛି ପ୍ରଭାବ ପକାଇନଥିଲା। ଆଜି ମନ୍ଦିରରେ ମହାପ୍ରଭୁଙ୍କ ଦୈନିକ ପୂଜା ନୀତି, ପହଡ଼ଭଙ୍ଗ, ଦ୍ୱାରଫିଟା ନୀତି, ଅଖଣ୍ଡଦୀପ ପ୍ରଜ୍ବଳନ, ସୂର୍ଯ୍ୟପୂଜା, ଅବକାଶ ନୀତି, ଦ୍ୱାରପାଳ ପୂଜା, ରୋଷ ପୂଜା, ଷୋଡ଼ଶ ସକାଳ ଧୂପ ଗୋପାଳବଲ୍ଲଭ ଭୋଗ ଲାଗି କରାଯାଇଥିଲା।

Advertisment

ପରେ ମନ୍ଦିର ପୁରୋହିତଙ୍କ ଦ୍ବାରା ରଥ ପ୍ରତିଷ୍ଠା କରାଯାଇ ମହାପ୍ରଭୁଙ୍କ ପହଣ୍ଡି ବେଶ କରାଯାଇଥିଲା। ପହଣ୍ଡି ପୂଜା, ମଙ୍ଗଳ ଆଳତି, ମଙ୍ଗଳାର୍ପଣ କଲା ପରେ ମନ୍ଦିର ପୁରୋହିତଙ୍କ ଦ୍ବାରା ମହାପ୍ରଭୁଙ୍କୁ ରଥଯାତ୍ରା ପାଇଁ ଆଜ୍ଞା ମଗାଯାଇଥିଲା। ପ୍ରାର୍ଥନା କରିବା ପରେ ଦଧିବାମନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କୁ ସ୍ଥାନେ ସ୍ଥାନେ ଭକ୍ତମାନେ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ। ଘଣ୍ଟ, ଶଙ୍ଖ, ନାଗରା, ବାଦ୍ୟ, ବ୍ୟାଣ୍ଡ୍‌ ବାଜା, ସଂକୀର୍ତ୍ତନ୍ୟ, ଭକ୍ତଙ୍କ ହରିବୋଲ ହୁଳହୁଳି ମଧ୍ୟରେ ତିନିଥର ପରିକ୍ରମା କରିବା ପରେ ମହାପ୍ରଭୁଙ୍କୁ ରଥାରୂଢ଼ କରାଯାଇଥିଲା।

ଏହି ସମୟରେ ପରମ୍ପରା ଅନୁସାରେ ବିଭୀଷଣଙ୍କ ଦର୍ଶନ ଓ ପୁଷ୍ପ ବର୍ଷଣ କରାଯାଇଥିଲା। ରଥାରୂଢ଼ ପରେ ଶ୍ରୀଜିଉଙ୍କୁ ବଡ଼ସିଂହାରବେଶ କରାଯାଇ ପଞ୍ଚପଚାର ପୂଜା ପୂର୍ବକ ମଙ୍ଗଳ ଆଳତି, ବିଶେଷ ଗଜାମୁଗ ଭୋଗ କରାଯିବା ପରେ ନବଜାତ ଶିଶୁଙ୍କ ରଥଛୁଆଁ କାର୍ଯ୍ୟକ୍ରମ ତଥା ଭକ୍ତଙ୍କ ମାନସିକ ଆଳତି ଭୋଗ ଅର୍ପଣ କରାଯାଇଥିଲା। ଡାହୁକମାନଙ୍କୁ ମହାପ୍ରଭୁଙ୍କ ଆଜ୍ଞାମାଳ ଦେବା ପରେ ଡାହୁକଙ୍କ ଭକ୍ତିରସାତ୍ମକ ଗୀତ ଗାନ ସହ ରଥଟଣା ଆରମ୍ଭ ହୋଇଥିଲା। ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣି ଟାଣି ରଥଦାଣ୍ଡ ପଡିଆକୁ ନେଇଥିଲେ। ସେଠାରେ ନବଜାତ ଶିଶୁଙ୍କ ରଥଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ରଥରେ ମହାପ୍ରଭୁଙ୍କ ମହାସ୍ନାନ ପରେ ରଥରେ ସନ୍ଧ୍ୟା ଧୂପନୀତି ହୋଇଥିଲା। ଏଠାରେ ମହାପ୍ରଭୁ ବାମନରୂପେ ଦର୍ଶନ ଦେଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅଞ୍ଚଳର ତଥା ପଡ଼ୋଶୀ ଛତିଶଗଡ଼ ଅଞ୍ଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ସନ୍ଧ୍ୟାରେ ରଥଦାଣ୍ଡରୁ ବାହାରି ମହାପ୍ରଭୁ ରାତ୍ରିରେ ମାଉସୀ ମା' ମନ୍ଦିରରେ ପହଞ୍ଚିଥିଲେ।