ଫୁଲୁଛି ଗୋଦାବରୀ; ରାସ୍ତା ଉପରେ ପାଣି ଚାଲୁଥିବା ଦେଖି ଲୋକେ ଭୟଭୀତ

ମାଲକାନଗିରି: ଲଗାଣ ବର୍ଷା ହେତୁ ଦକ୍ଷିଣ ଓଡ଼ିିଶାର ଉବୁଟୁବୁ ଅବସ୍ଥା ରହିଛି। ଗୋଦାବରୀରେ ପାଣି ବଢିବା କାରଣରୁ ସାବେରୀ ଓ ସିଲେରୁ ନଦୀ ଫୁଲି ଉଠିଥିବାରୁ ମାଲକାନଗିରିର ବିଭିନ୍ନ ଗ୍ରାମାଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଅଛି। ଏପଟେ ଉପକୂଳ ଅଂଚଳରେ ମଧ୍ୟ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଯାଇଛି। କିଛି ସ୍ଥାନରେ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରିବାକୁ ପଡିଛି। ରାଜ୍ୟ ସରକାର ମଧ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ୧୯ ତାରିଖରେ ଆଉ ଏକ ଲଘୁଚାପ ଆସୁଥିବାରୁ ପରିସ୍ଥିତି ଉପରେ ନଜର ରଖିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଲଗାଣ ବର୍ଷାର ପ୍ରଭାବରେ ଅଶାନ୍ତ ହୋଇ ଉଠିଛି ଗୋଦାବରୀ । ଚାରିଆଡେ କେବଳ ପାଣି, ଆଉ ପାଣି । ଗୋଟିଏ ପଟେ ବର୍ଷା ଜଳ ନିଷ୍କାସିତ ହୋଇ ପାରୁ ନଥିବା ବେଳେ ଆଉ ଗୋଟିଏ ପଟେ ଗୋଦବରୀର ପଛୁଆ ପାଣି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଆକାଶମାର୍ଗରୁ ଗୋଦାବରୀର ଦୃଶ୍ୟ ଦେଖିଲେ ଯେ କେହି ଭୟଭୀତ ହୋଇଯିବ। ଗୋଦାବରୀର ଏହି ଦୃଶ୍ୟ ମାଲକାନଗିରି ଜିଲ୍ଲାବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଗୋଦାବରୀରେ ଜଳସ୍ତର ଧିରେ ଧିରେ ବଢିବାରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପଟେ ମଧ୍ୟ ଜାତୀୟ ରାଜପଥ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ତେଣୁ ପୁରା ଦକ୍ଷୀଣ ଭାରତ ସହ ଓଡିଶାର ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇ ପଡିଛି।

ଗୋଦାବରୀ ନଦୀର ଜଳ ସ୍ତର ବୃଦ୍ଧି ପାଇବା ଯୋଗୁଁ ମୋଟୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୋଟୁ ତହସିଲର ଅନେକ ଗାଁ ଏବେ ଜଳମଗ୍ନ ରହିଛି। ବାହ୍ୟ ଜଗତରୁ ଏକପ୍ରକାର ବିଛିନ୍ନ ହୋଇଯାଇଛି । ଏଭଳି ସ୍ଥିତିରେ ଜଳବନ୍ଦୀ ହୋଇ ରହିଥିବା ତଳିଆଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ମୋଟୁ ମୁଗି ପଏଣ୍ଟ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛି।

ସମ୍ବନ୍ଧିତ ଖବର