ଗୋଲକ ବିହାରୀ ଧଳ ଥିଲେ ଅନନ୍ୟ ଭାଷା ବିଜ୍ଞାନୀ

କେନ୍ଦ୍ର ସାହିତ୍ୟ ଅକା‌ଦେମି ପକ୍ଷରୁ ଜନ୍ମଶତବାର୍ଷିକ ସମାରୋହ

କଟକ: ଗୋଲକ ବିହାରୀ ଧଳ ଥିଲେ ଅନନ୍ୟ ଭାଷା ବିଜ୍ଞାନୀ। ଭାଷା ବିଜ୍ଞାନ ଗବେଷଣା କ୍ଷେତ୍ରରେ ସେ ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପରିଚିତ ଓ ପ୍ରତିଷ୍ଠିତ କରିପାରିଛନ୍ତି। କେନ୍ଦ୍ର ସାହିତ୍ୟ ଅକାଦେମି ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରଫେସର ଗୋଲକ ବିହାରୀ ଧଳ ଜନ୍ମଶତବାର୍ଷିକ ଆଲୋଚନାଚକ୍ର‌‌‌ରେ ଯୋଗଦେଇଥିବା ଅତିଥିମାନେ ଆଜି ଏହା କହିଛନ୍ତି।

ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ସେଭେନ୍ ପିଲାର୍ସ ଅଫ୍ ଉଇଜଡମ୍‌ରଠାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ଅସୀମା ସାହୁ ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ଭାଷାତତ୍ତ୍ୱବିଦ୍ ପ୍ରଫେସର୍‌ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ପ୍ରଫେସର୍‌ ଧଳ ଭାରତର ପ୍ରଥମ ଧ୍ୱନିବିଜ୍ଞାନ ଗବେଷକ ଏବଂ ସେ ଭାଷାବିଜ୍ଞାନ ଗବେଷଣା କ୍ଷେତ୍ରରେ ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପରିଚିତ ଓ ପ୍ରତିଷ୍ଠିତ କରିପାରିଛନ୍ତି।

ଭାରତ ସରକାରଙ୍କ ପ୍ରାକ୍ତନ ମୁଖ୍ୟ ସୂଚନା ଆୟୁକ୍ତ ସତ୍ୟାନନ୍ଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପ୍ରଫେସର ଧଳଙ୍କ ଭାଷାବିଜ୍ଞାନ ଗବେଷଣାଧାରାକୁ ନୂତନ ମାର୍ଗ ପ୍ରଦର୍ଶନ କରିଥିଲା। ପ୍ରଫେସର୍‌ ଧଳଙ୍କ ଝିଅ ମଞ୍ଜୁଶ୍ରୀ ଧଳ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଗୋଲକ ବିହାରୀ ଜଣେ ପ୍ରକୃତିପ୍ରେମୀ ଓ ସୌନ୍ଦର୍ଯ୍ୟର ଉପାସକ ଥିଲେ। ଏହି ଅଧିବେଶନରେ ପ୍ରଫେସର ବିଜୟ ଶତପଥୀ ମୂଳ ଭାଷଣ ପ୍ରଦାନ ପୂର୍ବକ ଗୋଲକ ବିହାରୀଙ୍କ ଜୀବନୀ ଓ ସାମଗ୍ରିକ କୃତି ଉପରେ ଭିତ୍ତିପ୍ରବନ୍ଧ ପାଠ କରିଥିଲେ। ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅକାଦେମିର ସଚିବ ଡ. କେ. ଶ୍ରୀନିବାସ ରାଓ ସ୍ୱାଗତ ଭାଷଣ ଦେଇଥିଲେ। ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗମୁଖ୍ୟ ଜ୍ଞାନୀ ଦେବାଶିଷ ମିଶ୍ର ଆଲୋଚନାଚକ୍ର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ପରେ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ବୈଷୟିକ ଅଧିବେଶନରେ ଡ. ବେଣୁଧର ପାଢ଼ୀ, ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ ଓ ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ପ୍ରଫେସର ଧଳଙ୍କ ସମ୍ପର୍କରେ ପ୍ରବନ୍ଧ ପାଠ କରିଥିଲେ। ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନ ଡ. କୈଳାସ ଚନ୍ଦ୍ର ଟିକାୟତରାୟ, ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡ. ରାଜା କୁମାର ନାଏକ, ଡ. ସଂଘମିତ୍ରା ବେହେରା ପ୍ରମୁଖ ଗୋଲକ ବିହାରୀଙ୍କ ଭାଷାବିଜ୍ଞାନ ଚର୍ଚ୍ଚାର ବିଭିନ୍ନ ଦିଗ ସଂପର୍କରେ ପ୍ରବନ୍ଧ ପାଠ କରିଥିଲେ।

ସଂଧ୍ୟାରେ ପ୍ରବାସୀମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ କାନାଡ଼ାର ବିଶିଷ୍ଟ ସମାଜସେବୀ ତଥା ସୁଲେଖିକା ସୁନନ୍ଦା ମିଶ୍ରପଣ୍ଡା ବକ୍ତବ୍ୟ ଦେଇ ବିଦେଶରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରବାସୀମାନଙ୍କର ବିଶେଷ ଆନ୍ତରିକତା ରହିଛି ବୋଲି କହିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତିର ମହିମା ସମଗ୍ର ବିଶ୍ୱରେ ଉପଲବ୍ଧ କରିହୁଏ ବୋଲି ସେ ମତବ୍ୟକ୍ତ କରିଥିଲେ। ଅକାଦେମି ସଚିବ ଡ. କେ. ଶ୍ରୀନିବାସ ରାଓ ପ୍ରଥମଥର ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ ଆସିଥିବାରୁ ଓଡ଼ିଆ ବିଭାଗ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠିତ ତିନୋଟି ଅଧିବେଶନରେ ଯଥାକ୍ରମେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ପାଠଚକ୍ର ସମ୍ପାଦକ ଦେବାଶିଷ ମୁଦୁଲି, ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ସଦସ୍ୟ ଡ. ପ୍ରଦୀପ୍ତ ପଣ୍ଡା ଏବଂ ଅଧ୍ୟାପକ ଡ. ଆଶିଷ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର