ରାଉରକେଲା: ଅଶାନ୍ତ ହୋଇ ପଡିଛି ସ୍ମାର୍ଟ ସିଟି। କଥା କଥାକେ ସହରରେ ଫୁଟୁଛୁ ଗୁଳି। ସଞ୍ଜ ନଇଁଲେ ଜନଗହଳିପୂର୍ଣ୍ଣ ଜାଗାରେ ଅବାଧରେ ବୁଲୁଛନ୍ତି ଅପରାଧୀ। ଗଳିକନ୍ଦି ଓ ରିଙ୍ଗ ରୋଡ୍ରେ ପିସିଆର୍ ଇନୋଭା ଚକ୍କର କାଟୁଛି, କିନ୍ତୁ ଅପରାଧୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ। କେତେବେଳେ ହତ୍ୟା, ଲୁଟ୍ ତ ପୁଣି କେତେବେଳେ ଛିନ୍ତାଇ କରି ଚମ୍ପଟ ମାରୁଛନ୍ତି। ଟେର୍ ପାଉନି ପୁଲିସ। କେବଳ ଅନ୍ଧାରରେ ବାଡି ବୁଲାଉଛି ପୁଲିସ। ଗତ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଗୁଳିକାଣ୍ଡ, ହତ୍ୟା, ଲୁଟ୍ ପରେ ପୁଣି ଅସୁରକ୍ଷିତ ହୋଇ ପଡିଛି ସହର। ଗତ ୬ ଦିନ ତଳେ ବେଦବ୍ୟାସର ସୁନା ବ୍ୟବସାୟୀ ଗୁଳିକାଣ୍ଡରେ ଘଟଣାରେ ପୁଲିସ ହାତ ଖାଲି ଥିବାବେଳେ ଗତକାଲି ରାତିରେ ସହରର ଜନଗହଳିପୂର୍ଣ୍ଣ ଏସ୍ଟିଆଇ ଛକ ଓଭରବ୍ରିଜ୍ରେ ସମାନ ଧରଣର ଗୁଳିକାଣ୍ଡ ହୋଇଥିଲା। ତା’ ପୁଣି ପାନପୋଷ ଏସ୍ଡିପିଓଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରରେ। ଓଭରବ୍ରିଜ୍ ଅନ୍ଧାରର ଭରପୂର ଫାଇଦା ଉଠାଇଥିଲେ ତିନି ଅପରାଧୀ।
ଏସ୍ଟିଆଇ ଗଣେଶ ମାର୍କେଟ ‘ମା’ ବାସନ୍ତି ଦୁର୍ଗା’ ସୁନା ଦୋକାନର କର୍ମଚାରୀ ସରୋଜଙ୍କୁ ତାଙ୍କ ମାଲିକ ସମ୍ମୁଖରେ ଗୁଳି କରି ହତ୍ୟା କରିଥିଲେ। ପରେ ପ୍ରାୟ ୨୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଭର୍ତ୍ତି ଏୟାର ବ୍ୟାଗ୍ ଲୁଟ୍ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ପୁଲିସ ଅଦ୍ୟାବଧି କାହାକୁ ଗିରଫ କରି ପାରି ନାହିଁ। ତେବେ ଅପରାଧୀଙ୍କ ଟାର୍ଗେଟର ଏବେ ସହରର ସୁନା ବ୍ୟବସାୟୀ। ଯାହା ସହରର ଦୁଇଟି ଗୁଳିକାଣ୍ଡ ଘଟଣାରୁ ସ୍ପଷ୍ଟ ପ୍ରମାଣିତ। ହତ୍ୟା, ଲୁଟ୍, ଛିନ୍ତାଇ ଘଟଣାକୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ ଚାଲେଞ୍ଜ ହୋଇଛି। ସେପଟେ ହାଇଟେକ୍ ମେଡିକାଲ ଛକ୍ ଓଭରବ୍ରିଜ ଲାଗଥିବା ସିସିଟିଭି ଫୁଟେଜ୍, ସୁନା ଦୋକାନୀ ମାଲିକ ପୂର୍ଣ୍ଣଚନ୍ଦ୍ର, ମୃତ ସରୋଜ ସାହୁଙ୍କ ଭାଇଙ୍କ ଲିଖିତ ଏତଲା ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୁଲିସ ତଦନ୍ତ ଚଳାଇଛି। ଗୁଳିକାଣ୍ଡରେ ସମ୍ପୃକ୍ତ ତିନି ଅପରାଧୀକୁ ଧରିବାକୁ ଏସ୍ପିଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ସ୍ବତନ୍ତ୍ର ପୁଲିସ ଟିମ୍। ଯାହାର ନେତୃତ୍ବ ନେଇଛନ୍ତି ଅତିରିକ୍ତ ଏସପି ମୋହନପାଣି କାରୁଆ।
ସେ କହିଛନ୍ତି, ବେଦବ୍ୟାସ ଗୁଳିକାଣ୍ଡ ସହ ଏହି ଘଟଣାର ଲିଙ୍କ୍ ଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଦୁର୍ବୃତ୍ତମାନେ ଓଡ଼ିଆରେ କଥା ହେଉଥିବାରୁ ସେମାନେ ସ୍ଥାନୀୟ ଅପରାଧୀ ହୋଇଥାଇପାରନ୍ତି। ସୁନା ବ୍ୟବସାୟୀଙ୍କ ଲୁଟ୍ ସୁନା ୨୨ ଲକ୍ଷ ଟଙ୍କାର କି ନୁହେଁ ଷ୍ଟକ୍ ଯାଞ୍ଚ କରାଯାଉଛି। ଲୁଟ୍ ପାଇଁ ନାଁ ଅନ୍ୟ କୌଣସି କାରଣରୁ ସରୋଜକୁ ହତ୍ୟା କରାଯାଇଛି ସେ ଦିଗକୁ ମଧ୍ୟ ପୁଲିସ ଅନୁଧ୍ୟାନ କରାଯିବା ସହ ତଦନ୍ତରୁ ଜୋର୍ଦାର କରାଯାଇଛି। ସୁନା ଦୋକାନୀମାନେ ସୁନା, ଟଙ୍କା ନେଇ ବାହାରକୁ ବାହାରିଲା ପୂର୍ବରୁ ସ୍ଥାନୀୟ ଥାନାକୁ ଅବଗତ କରାଇବାକୁ ସମସ୍ତ ସମସ୍ତ ସୁନା ବ୍ୟବସାୟୀଙ୍କୁ କୁହାଯାଇଛି। ସେପଟେ ଆଜି ରଘୁନାଥପାଲୀ ପୁଲିସ ସରୋଜର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
କେମିତି ହେଲା ଲୁଟ୍
ବ୍ରହ୍ମପୁର ମୂଳବାସିନ୍ଦା ସରୋଜ ସାହୁ ଗଙ୍ଗାଧରପାଲୀରେ ନିଜ ମା’ଙ୍କ ପାଖରେ ରହୁଥିଲେ। ସେ ଏସ୍ଟିଆଇ ଗଣେଶ ମାର୍କେଟର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ‘ ମା ବାସନ୍ତି ଦୁର୍ଗା’ ସୁନା ଦୋକାନ ଗତ ୯ବର୍ଷ ଧରି ସେଲ୍ସ୍ ମ୍ୟାନ୍ ଭାବେ କାମ କରୁଥିଲେ। ପୂର୍ଣ୍ଣଚନ୍ଦ୍ର କୌଣସି କାମରେ ନିଜ ଗାଁ ବ୍ରହ୍ମପୁର ଯାଇଥିଲେ। ଗତକାଲି ରାଉରକେଲାରେ ପହଞ୍ଚିଥିଲେ। ସଂଧ୍ୟାରେ ଦୋକାନ ଅଳଙ୍କାର ଷ୍ଟକ ଯାଞ୍ଚ କରିବାକୁ ଆସିଥିଲେ। ଷ୍ଟକ୍ ଯାଞ୍ଚ କରିବା ପରେ ସେ ଓ ସରୋଜ ଦୁହେଁ ଏୟାର ବ୍ୟାଗ୍ ସୁନା ଅଳଙ୍କାରକୁ ଏୟାର ବ୍ୟାଗ୍ରେ ପୂରାଇଥିଲେ। ରାତି ପ୍ରାୟ ୯ଟା ୪୦ ରେ ଦୋକାନ ବନ୍ଦ କରି ଦୁହେଁ ଘରକୁ ବାହାରିଥିଲେ। ସରୋଜ ସୁନା ଭର୍ତ୍ତି ଏୟାର ବ୍ୟାଗ୍କୁ କାନ୍ଧରେ ଗଳାଇ ଆଗରେ ମୋଟରବାଇକ୍ରେ ଚାଲିଥିଲେ। ପଛରେ ପୂର୍ଣ୍ଣଚନ୍ଦ୍ର ଅନ୍ୟ ଏକ ମୋଟରବାଇକରେ ଚାଲିଥିଲେ। ଏସ୍ଟିଆଇ ଓଭରବ୍ରିଜ୍ ଚଢ଼ି କିଛି ବାଟଗଲା ପରେ ଅନ୍ଧାରିଆ ଜାଗା ପଡିଥିଲା। ଗୋଟିଏ ମୋଟରବାଇକ୍ରେ ତିନି ଅପରାଧୀ ମୁହଁରେ ମାସ୍କ, ମୁଣ୍ଡରେ ହେଲ୍ମେଟ୍ ଓ ଜାକେଟ୍ ପିନ୍ଧି ଦୁହିଁଙ୍କୁ ପିଛା କରିଥିଲେ। ଓଭରବ୍ରିଜ୍ର ଅନ୍ଧାରିଆ ଜାଗାରେ ତିନି ଅପରାଧୀ ଆଗକୁ ବଢ଼ି ସରୋଜଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେଇ ଅଟକିବାଲାଗି କହିଥିଲେ। ସରୋଜ ମୋଟରବାଇକ୍କୁ ଅଟକାଇବା ମାତ୍ରେ ଅପରାଧୀମାନେ ବନ୍ଧୁକ ଦେଖାଇ ସୁନାଭର୍ତ୍ତି ବ୍ୟାଗ୍ ଦେଇ ଦେବାକୁ ଧମକ ଦେଇଥିଲେ। ପଛରେ ଆସୁଥିବା ମାଲିକ ପୂର୍ଣ୍ଣଚନ୍ଦ୍ର ବନ୍ଧୁକ ଦେଖିବା ପରେ ସେ ମଧ୍ୟ ଭୟରେ ମୋଟରବାଇକ୍ ସହ ଛିଡା ହୋଇଥିଲେ। ଅପରାଧୀମାନେ ସରୋଜଙ୍କ ଠାରୁ ବ୍ୟାଗ୍ ଛଡାଇ ଥିଲେ। କିନ୍ତୁ ସେ ବ୍ୟାଗ୍ ନ ଦେବାରୁ ତିନି ଜଣଙ୍କ ମଧ୍ୟରୁ ଜଣେ ଗୋଟିଏ ରାଉଣ୍ଡ ଗୁଳି ତାଙ୍କ ପେଟକୁ ମାରିଥିଲେ। ସରୋଜ ମୋଟରବାଇକ୍ ସହ ତଳେ ପଡିଯିବା ପରେ ଅପରାଧୀମାନେ ଆଉ ଗୋଟିଏ ରାଉଣ୍ଡ ଗୁଳି ତାଙ୍କ ମୁଣ୍ଡକୁ ମାରିଥିଲେ। ସରୋଜ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବେହୋସ ହୋଇ ପଡିଯିବା ପରେ ଅପରାଧୀମାନେ ସୁନାଭର୍ତ୍ତି ବ୍ୟାଗ୍ ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଯୋଜନାବଦ୍ଧ ହତ୍ୟାକାଣ୍ଡ!
ସରୋଜଙ୍କୁ ଗୁଳି ମାରି ହତ୍ୟା ଓ ଲୁଟ୍ ପୂର୍ବ ପ୍ରାୟୋଜିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଏମିତ ଗୁରୁତର ଅଭିଯୋଗ ଆଣିଛନ୍ତି ମୃତ ସରୋଜଙ୍କ ବଡଭାଇ ସତ୍ୟ ନାରାୟଣ ସାହୁ। ସେ ରଘୁନାଥପାଲୀ ଥାନାକୁ ଦେଇଥିବା ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କ ଭାଇ ସରୋଜ (୨୪) ଗତ ୯ ବର୍ଷ ଧରି ‘ମା ବାସନ୍ତି ଦୁର୍ଗା’ ଗହଣା ଦୋକାନରେ ୯ ବର୍ଷ ଧରି ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ। ଗତକାଲି ମାଲିକ ପୂର୍ଣ୍ଣଚନ୍ଦ୍ରଙ୍କ ସହ ସୁନାଭର୍ତ୍ତି ବ୍ୟାଗ୍ ଧରି ଘରକୁ ଫେରୁଥିବାବେଳେ ଆକ୍ରମଣର ଶିକାର ହୋଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେଉଛି। ସୁନା ଦୋକାନ ମାଲିକଙ୍କ ଉପସ୍ଥିତିରେ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବାରୁ ମାଲିକଙ୍କ ଠାରୁ ଉପଯୁକ୍ତ କ୍ଷତିପୂରଣ ଆଦାୟ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃ୍ଢ଼ କାର୍ଯ୍ୟାନୁଷ୍ଠାନ ସେ ଦାବି କରିଛନ୍ତି।
କେବଳ ଲୁଟ୍ ଲକ୍ଷ୍ୟ ନଥିଲା!
ପ୍ରଥମ ଗୁଳି ପେଟରେ ବାଜିବାପରେ ସରୋଜ ବାଇକ୍ ସହିତ ତଳେ ପଡ଼ି ଯାଇଥିଲେ। ଅପରାଧୀମାନେ ସେତିକିରେ ହିଁ ତାଙ୍କଠାରୁ ବ୍ୟାଗ୍ ଛଡ଼ାଇ ନେଇ ପାରିଥା’ନ୍ତେ। କିନ୍ତୁ ତା’ପରେ ମଧ୍ୟ ସେମାନେ ପୂର୍ବରୁ ଆହତ ହୋଇ ତଳେ ପଡ଼ିଥିବା ସରୋଜଙ୍କ ମୁଣ୍ଡକୁ ଆଉ ଗୋଟିଏ ରାଉଣ୍ଡ ଗୁଳି ମାରିଥିଲେ। ସେଥିରୁ ସନ୍ଦେହ ସୃଷ୍ଟି ହେଉଛି ଯେ କେବଳ ଲୁଟ୍ କରିବା ସେମାନଙ୍କର ଲକ୍ଷ୍ୟ ନଥିଲା, ହୁଏତ ଜୀବନରୁ ମାରିଦେବା ମଧ୍ୟ ଉଦ୍ଦେଶ୍ୟ ଥିଲା! ତେବେ କାହିଁକି?
ହତ୍ୟାକାରୀ ବାହାରର ଲୋକ ନୁହନ୍ତି!
ଇସ୍ପାତ ସହରର ଭୌଗଳିକ ସ୍ଥିତିର ଫାଇଦା ଉଠାଇ ଝାଡ଼ଖଣ୍ଡର ଅନେକ ଅପରାଧୀ ଏଠାରେ ଅପରାଧ ଘଟାଇ ଅଳ୍ପ ସମୟ ଭିତରେ ସୀମା ପାର ହୋଇ ଫେରାର ହୋଇ ଯାଉଥିବାର ଉଦାହରଣ ତଥା ପୁରୁଣା ରୀତି ରହି ଆସିଛି। କିନ୍ତୁ ଏହି ଘଟଣାରେ ଲୁଣ୍ଠନକାରୀ ହତ୍ୟାକାରୀମାନେ ଓଡ଼ିଆ ଭାଷାରେ ସରୋଜଙ୍କୁ ଗାଳି ଦେଇଥିବା କୁହା ଯାଉଛି। ତେଣୁ ସେମାନେ ଝାଡ଼ଖଣ୍ଡର ହୋଇ ନଥିବା ଆଲୋଚନା ହେଉଛି। ଯଦି ସେମାନେ ରାଉରକେଲାର, ତେବେ ପୁଲିସର କାମ ଅପେକ୍ଷାକୃତ ସହଜ ହୋଇପାରେ!
ଅପରାଧୀଙ୍କୁ ଗିରଫ ଦାବିରେ ମାର୍କେଟ ବନ୍ଦ
ସରୋଜ ହତ୍ୟାକାଣ୍ଡର ସମ୍ପୃକ୍ତ ତିନି ଅପରାଧୀକୁ ଗିରଫ ଦାବିରେ ଆଜି ବ୍ୟବସାୟୀଙ୍କ ପକ୍ଷରୁ ଗଣେଶ ମାର୍କେଟ ବନ୍ଦ କରାଯାଇଛି। ବ୍ୟବସାୟୀମାନେ ରଘୁନାଥପାଲୀ ଥାନା ଅଧିକାରୀଙ୍କୁ ଭେଟି ହତ୍ୟାକାଣ୍ଡ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ସହ ତିନି ଅପରାଧୀକୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି। ଅପରାଧୀଙ୍କୁ ତୁରନ୍ତ ଗିରଫ କରା ନଗଲେ ବ୍ୟବସାୟୀମାନେ ଥାନାରେ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।
ଦୁଇ ସପ୍ତାହରେ ହତ୍ୟା, ଲୁଟ୍, ଛିନ୍ତାଇ
ଗତ ଦୁଇ ସପ୍ତାହ ମଧ୍ୟରେ ସହରରେ ଦୁଇ ଦୁଇଟି ଗୁଳିକାଣ୍ଡ ହୋଇଛି। ଗୋଟିଏ ବେଦବ୍ୟାସ ସିଂହଟୋଲାରେ। ସୁନା ବ୍ୟବସାୟୀ ବର୍ତ୍ତି ଯାଇଥିଲାବେଳେ ତାଙ୍କ ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତ୍ତି ହୋଇଛନ୍ତି। ବନ୍ଧମୁଣ୍ଡାରେ ଜଣେ ଆର୍ଏସ୍ପି କର୍ମଚାରୀ ଓ ଗତକାଲି ବିଳମ୍ବିତ ରାତିରେ ରେଲୱେ କର୍ମଚାରୀଙ୍କୁ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଛି। ଅନୁରୂପ ଭାବେ ବିଶ୍ରା ପେଟ୍ରୋଲ ପମ୍ପରୁ ଜଣେ ସ୍କ୍ରାପ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ବାସନ୍ତି କଲୋନି ଓ ସେକ୍ଟର-୬ ଅଞ୍ଚଳରେ ଦୁଇଜଣ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେଟ୍ ଲୁଟି ନେଇଥିଲେ।