ମହିଳାଙ୍କ ବେକରୁ ଝାମ୍ପିନେଲେ ୭ ଭରି ସୁନା ଚେନ୍

ସପ୍ତାହକରେ ତୃତୀୟ ଘଟଣା, ଟେର୍ ପାଉନି ପୁଲିସ୍

ରାୟଗଡ଼ା: ସିଗାରେଟ୍ କିଣିବା ବାହାନାରେ ଦୋକାନକୁ ଆସି ମହିଳାଙ୍କ ବେକରୁ ୭ ଭରି ସୁନା ଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଦିନ ଦି ପହରରେ ସହରର ଇନ୍ଦିରା ନଗର ୪ର୍ଥ ଲାଇନରେ ଲୁଟ୍ ଘଟାଇ ଆଖି ପିଛୁଳାକେ ବାଇକ୍ ଯୋଗେ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି ଦୁର୍ବୃତ୍ତ। ଲୁଟ୍ କରିଥିବା ୩ ଦୁର୍ବୃତ୍ତଙ୍କ ଫଟୋ ସିସିଟିଭିରେ କଏଦ ହୋଇଥିବା ବେଳେ ଦୁର୍ବୃତ୍ତଙ୍କୁ କାବୁ କରିବା ପାଇଁ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। ଇନ୍ଦିରା ନଗର ୪ର୍ଥ ଲାଇନରେ ରହୁଥିବା ତାଙ୍ଗୁଡୁ ରମାମଣି ତାଙ୍କ ସାନ ଭଉଣୀ ଭି. ଅରୁଣାଙ୍କ ଘରକୁ ବୁଲିବାକୁ ଆସିଥିଲେ। ଦୁଇ ଭଉଣୀ ଘର ସମ୍ମୁଖ ଦୋକାନରେ ବସିଥିବା ବେଳେ ୩ ଦୁର୍ବୃତ୍ତ ଧଳା ରଙ୍ଗର ଆପାଚି ବାଇକରେ ଆସି ସିଗାରେଟ୍ ମାଗିଥିଲେ। ଅରୁଣା ସିଗାରେଟ୍ ପ୍ୟାକେଟ୍ ଦୋକାନରୁ ବାହାର କରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଥିଲେ। ଦୁବୃତ୍ତଙ୍କୁ ଧରିବା ପାଇଁ ଦୁଇ ଭଉଣୀ ପାଟି କରିଥିଲେ ମଧ୍ୟ କ୍ଷଣକ ମଧ୍ୟରେ ଲୁଟ୍ ଘଟାଇଥିବା ୩ ଦୁର୍ବୃତ୍ତ ଫେରାର୍ ହୋଇଯାଇଥିଲେ।

ଲୁଟ୍ ସୁନା ଚେନର ଓଜନ ୭୦ ଗ୍ରାମ। ମୂଲ୍ୟ ୩ ଲକ୍ଷ ୫୯ ହଜାର। ଅଭିଯୋଗ ପରେ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ସପ୍ତାହକ ମଧ୍ୟରେ ଦୁର୍ବୃତ୍ତମାନେ ସହରର ୩ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେବା ଘଟଣା ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଗତ ୧ ତାରିଖରେ ରାୟଗଡ଼ା ସହରର ଟ୍ରେଜେରି ଲାଇନରେ ସକାଳ ୭ଟାରେ ସଂଯୁକ୍ତା ବକ୍ସିପାତ୍ର ଫୁଲ ତୋଳୁଥିବା ବେଳେ ଦୁର୍ବୃତ୍ତମାନେ ବାଇକରେ ଆସି ସାଢ଼େ ୩ ଭରିର ସୁନା ଚେନ୍ ଲୁଟି ନେଇଥିଲେ। ଉକ୍ତ ଦିନ ସହରର ଆଉ ଜଣେ ମହିଳାଙ୍କ ନିକଟରୁ ମଧ୍ୟ ସୁନା ଚେନ୍ ଲୁଟି ନେଇଥିଲେ ଦୁର୍ବୃତ୍ତ। ସହରରେ ଚୋରି ବଢ଼ିବାରେ ଲାଗିଥିବାରୁ ପୁଲିସ୍ ପାଟ୍ରୋଲିଂକୁ କଡାକଡି କରିବା ସହ ପୁଣି ଥରେ ସହରର ୩ ପ୍ରବେଶ ପଥରେ ନାକା ଲଗାଇ ଅପରାଧିଙ୍କ ଉପରେ କଡା ନଜର ରଖିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର