ବିବାହ ଭୋଜିରେ ପଶି ଲୁଟ୍‌ପାଟ୍‌, ମାଡମାରି ନେଇଗଲେ ସୁନାଗହଣା

ରାଉରକେଲା: ଉଦିତନଗର ବିରଜାପାଲି କୋର୍ଟ ନିକଟ ମାହେଶ୍ବରୀ ଭବନରେ ଚାଲିଥିବା ବିବାହ ଭୋଜିରେ ଲୁଟ୍‌ପାଟ୍‌ ହୋଇଛି। କିଛି ଅସାମାଜିକ ଯୁବକ ଜୋରଜବରଦସ୍ତ ପଶି ଉଭୟ ପୁରୁଷ ଓ ମହିଳାଙ୍କୁ ମାଡମାରି ଭୟଭୀତ କରିଥିଲେ। ଲାଠି, ଭୁଜାଲି ଦେଖାଇ ସୁନାଗହଣା ଲୁଟି ନେଇଥିଲେ। ଉଦିତନଗର ପୁଲିସ ପହଞ୍ଚି ଘଟଣାରେ ଯାଞ୍ଚ କରିଥିଲେ ହେଁ ଅଦ୍ୟାବଧି କାହାକୁ ଗିରଫ କରି ପାରି ନାହିଁ। ଲକ୍ଷ୍ମୀ ନାରାୟଣ ସଙ୍କ ଲିଖିତ ଏତଲା, ମାହେଶ୍ବରୀ ଭବନରେ ଲାଗିଥିବା ସିସିଟିଭ ଫୁଟେଜ୍‌ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ଅସାମାଜିକ ଯୁବକଙ୍କ ଏଭଳି ଉନ୍ମକ୍ତକାଣ୍ଡକୁ ନେଇ ପୁଲିସ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୁଚନା ମୁତାବକ ସିଭିଲଟାଉନ୍‌ସିପ୍‌ ଜେଜେଜେ-୧୦ର ଲକ୍ଷ୍ମୀନାରାୟଣ ସ ଭଜଣାଙ୍କର ବିବାହ ଭୋଜି ମାହେଶ୍ବରୀ ଭବନରେ ଅନୁଷ୍ଠିତ ହୋଇଥିଲା। ରାତି ପ୍ରାୟ ୯ଟାରେ ବିବାହ ଭୋଜି ଚାଲିଥିବା ବେଳେ ୧୦ରୁ ଅସାମାଜିକ ଯୁବକ ଏକ କାର୍‌ରେ ଆସି ମାହେଶ୍ବରୀ ଭବନ ନିକଟରେ ପହଞ୍ଚିଥିଲେ। ପ୍ରାୟ ଅଧିକାଂଶ ହାତରେ ଲାଠି, ଭୁଜାଲି ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଥିଲା। ସେମାନେ ଜଣେ ପରେ ଜଣେ ଜୋରବରଦସ୍ତ ବିବାହ ଭୋଜି ଭିତରୁ ପଶିଥିଲେ।

ପ୍ରଥମେ ଲକ୍ଷ୍ମୀନାରାୟଣଙ୍କ ଭାଇ ଫୁଲଚନ୍ଦ ସ’ଙ୍କ ବେକରୁ ୫୬ ଗ୍ରାମର ସୁନା ଚେନ୍ ଲୁଟି ନେଇଥିଲେ। ବିବାହ ଭୋଜିରେ ଯୋଗଦେଇଥିବା ଲକ୍ଷ୍ମୀନାରାୟଣଙ୍କ ସମ୍ପର୍କୀୟମାନେ ଚୋର ଚୋର ବୋଲି ପାଟି କରିଥିଲେ। କିଛି ଲୋକ ସୁନା ଚେନ୍‌ ଲୁଟ୍‌ କରିଥିବା ଯୁବକଙ୍କୁ କାବୁ କରିବାରୁ ପାଟିତୁଣ୍ଡ ‌ହୋଇଥିଲା। ଯୁବକଙ୍କ ଅନ୍ୟ ସହଯୋଗୀମାନେ ଲାଠିରେ ଲକ୍ଷ୍ମୀନାରାୟଣଙ୍କ ସମ୍ପର୍କୀୟ ଲୋକଙ୍କୁ ମାଡ ମାରିଥିଲେ। ଭୂଜାଲି ଦେଖାଇ ମାରି ଦେବାକୁ ଧମକ ଚମକ ଦେଇଥିଲେ। ଜୀବନ ବଞ୍ଚାଇବା ଭୟରେ ବିବାହ ଭୋଜିରେ ଯୋଗଦେଇଥିବା ଅତିଥିମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ। ସେପଟେ କେହି କିଛି ନ କହି ଚୁପ୍‌ ରହିଥିଲେ। କିଛି ଅତିଥି ଏ ସଂକ୍ରାନ୍ତରେ ଉଦିତନଗର ପୁଲିସକୁ ସୂଚନା ଦେଇଥି‌ଲେ। ପୁଲିସ ପହଞ୍ଚିବା ପୂର୍ବରୁ ସେମାନେ କାର୍‌ରେ ପଶି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର