ବ୍ୟବସାୟୀଙ୍କ ଘରୁ ନଗଦ ଅର୍ଥ,୧୫ ଲକ୍ଷ ଟଙ୍କାର ସୁନାଗହଣା ଚୋରି

ରାଉରକେଲା: ସିଭିଲଟାଉନସିପ୍‌ର ଜଣେ ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃ୍ତ୍ତ। ତାଲା ଭାଙ୍ଗି ଘର ଭିତରୁ ୩୮୦ ଗ୍ରାମ୍‌ର ସୁନା (ପ୍ରାୟ ୧୫ ଲକ୍ଷ ଟଙ୍କା), ୮୦୦ ଗ୍ରାମ୍‌ର ରୁପା, ନଗଦ ୪୭ ହଜାର ଟଙ୍କା ଚୋରି କରି ନେଇଛନ୍ତି। ବ୍ୟବସାୟୀ ପ୍ରମୋଦ କୁମାର ଦାସ ଲିଖିତ ଏତଲା ଆଧାରରେ ରଗୁନାଥପାଲୀ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। କିନ୍ତୁ ଅଦ୍ୟାବଧି ଚୋରକୁ ଧରିବାରେ ସଫଳ ହୋଇ ନାହିଁ। ମିଳିଥିବା ସୂଚନା ମୁତାବକ ବ୍ୟବସାୟୀ ପ୍ରମୋଦ କୁମାର ଦାସ ପରିବାର ସହ ସିଭିଲଟାଉନସିପ୍‌ସ୍ଥିତ କ୍ୟୁକ୍ୟୁକ୍ୟୁ-୯ରେ ପରିବା ସହ ରହନ୍ତି। ନିଜ ଘରର ଉପର ମହଲାକୁ ଅନ୍ୟ ଜଣଙ୍କୁ ଭଡା ସୂତ୍ରରେ ଦେଇଛନ୍ତି।

ଗତ ୧୬ରେ ଘରର ତାଲା ମାରି ପରିବାର ସହ କୌଣସି ଏକ କାମରେ ଭୁବନେଶ୍ବର ଯାଇଥିଲେ। ଗତ ୨୧ ରେ ରାଉରକେଲାକୁ ଫେରିଥିଲେ। ଘରର ତାଲା ଭଙ୍ଗା ଯାଇଥିବା ଦେଖି ସନ୍ଦେହ ହୋଇଥିଲା। ଘର ଭିତରେ ଆଲମିରା ଭଙ୍ଗାଯାଇ ସୁନା, ରୁପା ଗହଣା, ନଗଦ ଟଙ୍କା ଚୋରି ହୋଇଥିବାରୁ ରଘୁନାଥପାଲୀ ଥାନା‌ରେ ଲିଖିତ ଏତଲା ଦେଇଥିଲେ। ସେପଟେ ବାରମ୍ବାର ଚୋରି, ଛିନ୍‌ତାଇ, ଲୁଟ୍‌ ହେଉଥିବାରୁ ସହରବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୫ରୁ ଅଧିକ ଇନୋଭା ପିସିଆର୍‌ ଗାଡି ଗଳି କନ୍ଦିରେ ‌ପେଟ୍ରୋଲିଂ କରୁଛି। ଅପରାଧୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ। ସେମାନେ ପୁଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଇ ହତ୍ୟା, ଲୁଟ୍‌ କରି ଚାଲିଛନ୍ତି। ସହରରେ ପୁଲିସର ଏଭଳି ସୁରକ୍ଷା ବ୍ୟବସ୍ଥାକୁ ନେଇ ସହରବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର