ସୁନା ଦୋକାନରୁ ଲୁଟ୍‌: ଜଣେ ଲୁଟେରାକୁ ଧରି ପୁଲିସ ନିକଟରେ ଜିମା ଦେଲେ ଲୋକେ, ୨ ଜଣ ଖସିଗଲେ

ଭଦ୍ରକ: ଧାମନଗର ଥାନା ବଡ଼ବଜାର ନିକଟରେ ଆଜି ଅପରାହ୍ନରେ ଏକ ସୁନା ଦେକାନରୁ ଗହଣା ଲୁଟ ହୋଇଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ଜଣେ ଲୁଟେରାଙ୍କୁ ଧରି ପୁଲିସ ନିକଟରେ ଜିମା ଦେଇଥିବା ବେଳେ ଅନ୍ୟ ୨ ଜଣ ଲୁଟେରା ଖସି ପଳାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଧାମନଗର ବଜାର ଠାରେ ଥବା ଏକ ସୁନା ଦୋକାନ ‘ସୁନାଖାଇ ଜ୍ୱେଲର୍ସ’ରୁ ଆଜି ଦୁର୍ବୃତ୍ତମାନେ ଗହଣା ଲୁଟ୍‌ କରିଛନ୍ତି। ତିନି ଜଣ ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ସୁନା ଦୋକାନକୁ ଏକ ବାଇକ୍‌ରେ ପହଞ୍ଚି ଥିଲେ। ବାଇକ୍‌ ଚାଳକ ଦୋକାନ ସମ୍ମୁଖରେ ଗାଡ଼ି ଚଳାଇ ଛିଡ଼ା ହୋଇଥିବା ବେଳେ ଅନ୍ୟ ୨ ଜଣ ଦୋକାନ ଭିତରକୁ ପଶି ଥିଲେ।

ଲୁଟେରାମାନେ ଦୋକାନୀଙ୍କୁ ସୁନା ଲକେଟ ଦେଖାଇବା ପାଇଁ କହିଥିଲେ। ଏହି ସମୟରେ ଜଣେ ଗ୍ରାହକ ଦେଖୁଥିବା ଗହଣାକୁ ଜଣେ ଲୁଟେରା ଝାମ୍ପି ନେବାକୁ ଉଦ୍ୟମ କରିଥିଲା। ତାକୁ ଦୋକାନୀ ଓ ଗ୍ରାହକମାନେ ଧରିପକାଇଥିଲେ। କିନ୍ତୁ ଏତିକି ବେଳେ ଅନ୍ୟ ଦୁର୍ବୃତ୍ତ ଦୋକାନରୁ କିଛି ଗହଣା ନେଇ ବାହାରକୁ ପଳାଇଯାଇଥିଲା। ଦୋକାନ ସମ୍ମୁଖରେ ଗାଡ଼ି ଷ୍ଟାର୍ଟ କରିଥିବା ଦୁର୍ବୃତ୍ତଙ୍କ ସହ ସେ ଫେରାର ହୋଇଯାଇଥିଲା।

ତେବେ ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରିଥିବା ବେଳେ ଲୁଟେରା ନିକଟରୁ କେତେକ କେମିକାଲ ମଧ୍ୟ ଉଦ୍ଧାର ହୋଇଛି। ଧରାପଡ଼ିଥିବା ଲୁଟେରାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଲୁଟ ହୋଇଥିବା ଦୋକାନ ନିକଟସ୍ଥ ସିସିଟିଭିରେ ଲୁଟେରାଙ୍କ ଗତିବିଧି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର