କଟକ ଆଇଆଇଏଫ୍ଏଲ୍ ସୁନାଲୁଟର ପର୍ଦାଫାସ ପରେ ରାଉରକେଲାରେ ଆରମ୍ଭ ହେଲା ତଦନ୍ତ; କେବେ ହେବ ରହସ୍ୟ ଉନ୍ମୋଚନ ?

ରାଉରକେଲା: କଟକ ନୟାସଡ଼କଠାରେ ଥିବା ଆଇଆଇଏଫଏଲ୍ ସୁନା ଲୁଟ ଘଟଣାର ପର୍ଦାଫାସ କରିଛି କମିସନରେଟ ପୁଲିସ। ମାତ୍ର ସାତ ଦିନ ମଧ୍ୟରେ ପୁଲିସକୁ ଏହି ସଫଳତା ମିଳିଛି। ସଂସ୍ଥାର ଦୁଇ କର୍ମଚାରୀ ଅମ୍ରିତ ରାଏ, କିଷାନଙ୍କ ସମେତ ରଂଜନ ବେହେରା ଓରଫ ବାପୁ, ରାଜ କିଶୋର ସାହୁ, ପଦୁ ଓରଫ୍ ପବିତ୍ର ବେହେରା, ବିଜୁ ଓରଫ୍ ପ୍ରକାଶ ସାହୁ ଓ ବାପି ଓରଫ ସନ୍ତୋଷ ଭୋଇଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୨ କିଲୋ ସୁନା, ଦୁଇଟି ବାଇକ ଜବତ କରିଛି ପୁଲିସ। ଅମ୍ରିତ ହେଉଛି ଏହି ସୁନାଲୁଟ ଘଟଣାର ମାଷ୍ଟରମାଇଣ୍ଡ। ଅମ୍ରିତ କମିସନରେଟ ପୁଲିସ ଜାଲରେ ପଡିବା ପରେ ୪ ବର୍ଷ ତଳେ ରାଉରକେଲାରେ ଆଇଆଇଏଫଏଲ୍ ଘଟିଥିବା ସମାନ ଧରଣର ଲୁଟ ଉପରେ ନଜର ପଡିଛି ରାଉରକେଲା ପୁଲିସର। ଏହି ଘଟଣାର ତଦନ୍ତକୁ ପୁଣି ଥରେ ସକ୍ରିୟ କରାଯାଇଛି। ରାଉରକେଲା ପୁଲିସ ଅମ୍ରିତକୁ ରିମାଣ୍ଡରେ ଆଣି ପଚରା ଉଚରା କରିବାକୁ ଯୋଜନା କରୁଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

୨୦୧୬ ମସିହା ଜୁଲାଇ ମାସ ୮ ତାରିଖରେ ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଧୀନ ମଧୁସୂଦନମାର୍ଗରେ ଥିବା ଆଇଆଇଏଫଏଲରୁ ସମାନ ଧରଣର ଡକାୟତି ହୋଇଥିଲା। ୬ ମୁଖା ପିନ୍ଧା ଡକାୟତ ସଂଧ୍ୟା ସମୟରେ ସଂସ୍ଥା ଭିତରକୁ ପଶି ପାଖାପାଖି ୧୨ କୋଟି ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟି ନେଇଥିଲେ ।ଏ ନେଇ ସଂସ୍ଥା ମ୍ୟାନେଜର ଗୁରୁ ପ୍ରସାଦ ମହାନ୍ତି ଥାନାରେ ଅଭିଯୋଗ କରିଥିଲେ।

କଟକ ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି କି, ସୁନା ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଅମ୍ରିତ ଜଣେ ପେସାଦାର ଠକ। ୨୦୧୫ ମସିହାରେ ଅମ୍ରିତ ଓ ତାର ବଡ଼ ଭାଇ ଲାଲା କଟକ ବଜ୍ରକବାଟି ମାନ୍ନାପୁରମ ଗୋଲ୍ଡ ଲୋନ୍ ସଂସ୍ଥାରେ ଚାକିରି କରିଥିଲେ। କିନ୍ତୁ ସେଠାରେ ସୁନାଗହଣା ହେରଫେର ହେବା ପରେ ମଙ୍ଗଳାବାଗ ଥାନାରେ ଏତଲା ହୋଇଥିଲା। ପୁଲିସ ଲାଲାଙ୍କୁ ଗିରଫ କରିଥିଲା। ଅମ୍ରିତ କିନ୍ତୁ ହାଇକୋର୍ଟରୁ ଆଗୁଆ ଜାମିନ୍ ପାଇଥିଲେ। ଏହି ଘଟଣାର କିଛି ଦିନ ପରେ ଅମ୍ରିତ ଆଇଆଇଏଏଫଏଲ ସଂସ୍ଥାରେ ଚାକିରି ପାଇଥିଲେ। ସେ ସଂସ୍ଥାରେ ଚାକିରି କରିବା ପରେ ପ୍ରଥମେ ରାଉରକେଲା ଓ ପରେ ୨୦୧୯ ମସିହା ଜୁଲାଇ ମାସ ୩୧ ତାରିଖ ବ୍ରହ୍ମପୁର ବୈଦନାଥପୁର ଶାଖାରୁ ସମାନ ଢ଼ଙ୍ଗରେ ସୁନାଗହଣା ଲୁଟ୍ ହୋଇଥିଲା। ଆଉ ସପ୍ତାହକ ତଳେ କଟକର ଶାଖାରୁ ସୁନାଗହଣା ଲୁଟ ହୋଇଥିଲା।

ଏହି ଘଟଣାରେ କମିସନରେଟ ପୁଲିସକୁ ସଫଳତା ମିଳିବା ପରେ ଏବେ ରାଉରକେଲା ପୁଲିସ ମନରେ ଆଶା ଦେଖା ଦେଇଛି। ପ୍ଲାଣ୍ଟସାଇଟ ଥାନା ପୁଲିସର ଏକ ଟିମ୍ ମଧ୍ୟ କଟକ ଯାଇ ଅମ୍ରିତ ଓ ତାର ଅନ୍ୟ ସହଯୋଗୀମାନଙ୍କୁ ଜେରା କରିବାକୁ ଯୋଜନା କରିଛନ୍ତି। ପ୍ଲାଣ୍ଟ ସାଇଟର ଥାନା ଅଧିକାରୀ ଏ ସମ୍ପର୍କରେ ରାଉରକେଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ ଆରମ୍ଭ କରିଛନ୍ତି। ବରିଷ୍ଠ ଅଧିକାରୀ ଅନୁମତି ପ୍ରଦାନ କଲେ ରାଉରକେଲା ପୁଲିସ ଅମ୍ରିତ ଓ ତାର ସହଯୋଗୀଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ। ଫଳରେ ୪ ବର୍ଷ ହେବ ବନ୍ଦ ହୋଇ ପଡ଼ିଥିବା ଫାଇଲ ପୁଣି ଥରେ ଖୋଲିବ। ଏଥି ସହିତ ରାଉରକେଲାର ଏହି ଚର୍ଚ୍ଚିତ ଘଟଣାର ରହସ୍ୟ ଉନ୍ମୋଚନ ହୋଇ ପାରିବ।

ଏ ସମ୍ପର୍କରେ ରାଉରକେଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଆମେ କଟକ ପୁଲିସ ସହିତ ଯୋଗାଯୋଗରେ ଅଛୁ। ଆବଶ୍ୟକ ହେଲେ ଗୋଟିଏ ଟିମ୍ କଟକ ଯାଇ ଘଟଣାର ଅନୁଧ୍ୟାନ କରିବ।

ସମ୍ବନ୍ଧିତ ଖବର