ସ୍ଥପତି ପାଠ୍ୟକ୍ରମରେ ‘କିଟ୍’ରୁ ସୁନ୍ଦରଗଡ଼ ଝିଅ ପାଇବେ ସ୍ବର୍ଣ୍ଣପଦକ

ସୁନ୍ଦରଗଡ଼: ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟର ସ୍ଥପତି ବିଦ୍ୟା ସ୍ନାତକ ଡିଗ୍ରିରେ ସୁନ୍ଦରଗଡ଼ର ଝିଅ ଆରଫିନ୍ ସଇଦ ପାଇବେ ସ୍ବର୍ଣ୍ଣ ପଦକ। ବିଶ୍ବବିଦ୍ୟାଳୟରେ ୩ ବର୍ଷର ସ୍ଥପତି ପାଠ୍ୟକ୍ରମରେ ପ୍ରଥମ ଥର ପାଇଁ ଏହି ପଦକ ପ୍ରଦାନ କରାଯିବାକୁ ଥିବା ବେଳେ ଆରଫିନ୍ ଏହି ସୌଭାଗ୍ୟ ହାସଲ କରିଛନ୍ତି। ୧୪ ତାରିଖରେ ଭୁବନେଶ୍ବରସ୍ଥିତ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଏହା ପ୍ରଦାନ କରାଯିବ। ସୁନ୍ଦରଗଡ଼ ସୁନାରିପଡ଼ାର ବ୍ୟବସାୟୀ ପିତା ଅବଦୁଲ ସଇଦ ଓ ମା ନିଖାତ ସଇଦଙ୍କ ଝିଅ ଆରଫିନ୍ଙ୍କ ଏହି ସଫଳତା ଜିଲ୍ଲାକୁ ଉଲ୍ଲସିତ କରିଛି। ସୂଚନାଯୋଗ୍ୟ, ଆରଫିନ୍ଙ୍କ ବଡ଼ ଭଉଣୀ ତାହେରିନ୍ ସଇଦ ପୂର୍ବରୁ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଗୀତରେ ପିଏଚଡି କରିଛନ୍ତି। ଜଣେ ମୁସଲମାନ ସମ୍ପ୍ରଦାୟର ଝିଅ ନିଜ ପିଏଚଡି ପାଠ୍ୟକ୍ରମ ପାଇଁ ହିନ୍ଦୁ ଧର୍ମର ଶ୍ରେଷ୍ଠ ଗ୍ରନ୍ଥ ଗୀତାକୁ ବାଛିବା ଚହଳ ସୃଷ୍ଟି କରିଥିଲା। ସେତେବେଳେ ସେ ବହୁ ପ୍ରଶଂସା ସାଉଁଟିଥିଲେ। ଏବେ ସାନ ଭଉଣୀଙ୍କ ସଫଳତା ପୁଣି ଥରେ ତାହେରିନଙ୍କ କଥା ଚର୍ଚ୍ଚାକୁ ଆସିଛି।

ସମ୍ବନ୍ଧିତ ଖବର