ଶିକ୍ଷକଙ୍କ ଘରୁ ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଧଉଳି: ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ଅଧୀନ ସ୍ଥାନୀୟ ଶିଶୁପାଳଗଡ଼ ଅଞ୍ଚଳରେ ରହୁଥିବା କୃପାସିନ୍ଧା ସେଠୀ ନାମକ ଜଣେ ଶିକ୍ଷକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ନଗଦ ୨୨ ହଜାର ଟଙ୍କା ସମେତ ଳକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ ହୋଇଯାଇଛି। ଲୁଟ ଅଳଙ୍କାର ମଧ୍ୟରେ ରହିଛି, ସୁନାଚେନ, ସୁନାହାର ଏବଂ ମୁଦି। ସୂଚନା ଅନୁସାରେ କୃପାସିନ୍ଧୁ ଗତ ୩ଦିନ ତଳେ ଏକ ଶୁଦ୍ଧକ୍ରିୟା କାମରେ ଯୋଗ ଦେବା ପାଇଁ ପରିବାର ଲୋକଙ୍କ ସହିତ ଶ୍ବଶୁର ଘର ପୁରୀ ପଳାଇଥିଲେ। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ପ୍ରାଚୀର ଡେଇଁ ବାହାରପଟ ଗ୍ରିଲ ଏବଂ କବାଟ ତାଲା ଭାଙ୍ଗି ଆଲମିରାରେ ଥିବା ଟଙ୍କା ସହିତ ସୁନା ଗହଣା ନେଇଯାଇଥିଲେ।

କୃପାସିନ୍ଧୁ ଆଜି ସକାଳେ ପଡ଼ୋଶୀ ଘର ଲୋକଙ୍କ ଠାରୁ ଘରୁ ଚୋରି ହୋଇଯାଇଥିବା ସଂପର୍କରେ ଖବର ପହଞ୍ଚି ଧଉଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ଆଖପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିଥିଲେ। ହେଲେ ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ଲୁଟେରାଙ୍କ ଟେର ପାଇପାରି ନାହିଁ। କୃପାସିନ୍ଧୁଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ନଂ ୬୦/୨୨ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର