ପୁଣି କଳା ପଲସର ଆତଙ୍କ: ମହିଳାଙ୍କ ବେକରୁ ଲୁଟିନେଲେ ସୁନା ଚେନ  

ଫୁଲନଖରା: କଟକର ସଦର ଥାନା ଅନ୍ତର୍ଗତ ବମ୍ଫକୁଦଠାରେ ଜଣେ ମହିଳାଙ୍କଠାରୁ ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନଙ୍କ ମଧ୍ୟରୁ ଜଣେ ଧରା ପଡ଼ିଥିବାବେଳେ ଅନ୍ୟ ଜଣେ ଫାଙ୍କା ଗୁଳି ଚଳାଇ ଫେରାର ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ, ଶନିବାର ସଂଧ୍ୟାରେ କଟକ ବିଡ଼ାନାସୀ ଅଞ୍ଚଳର ସତ୍ୟରଞ୍ଜନ ନାୟକ ନିଜ ମା’ଙ୍କୁ ବାଇକରେ ବସାଇ ଭୁବନେଶ୍ବରରୁ କଟକ ଫେରୁଥିଲେ। ଏକ କଳା ରଙ୍ଗର ବଜାଜ ପଲସରରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରି ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ଠାରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ କଟକ ଆଡ଼କୁ ଦ୍ରୁତ ଗତିରେ ପଳାଇଥିଲେ।

ଗୋପାଳପୁରଠାରୁ ବାମ ପଟ ତାରିଣୀ ବିଦ୍ୟାପୀଠ ରାସ୍ତାରେ ଜୋରରେ ଯିବାବେଳେ ଲୋକଙ୍କ ସନ୍ଦେହ ହୋଇଥିଲା। କିଛି ଯୁବକ ଉକ୍ତ ବାଇକକୁ ପିଛା କରିବାରୁ ବାଇକ ଚାଳକ ଦ୍ରୁତ ବେଗରେ ଯିବାକୁ ଉଦ୍ୟମ କରି ପଡ଼ିଯାଇଥିଲେ । ଫଳରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିନେଇଥିଲେ। କିନ୍ତୁ ଅନ୍ୟ ଜଣକ ଫାଙ୍କା ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଥିଲା। ଖବର ପାଇ ସଦର ଥାନା ପୁଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚୁରା ଚଳାଇଛି।

ଲୁଟର ଶିକାର ହୋଇଥିବା ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ତ୍ବରାନ୍ବିତ ହୋଇଛି। ତେବେ ଖସିଯାଇଥିବା ଦୁର୍ବୃତ୍ତ ନାମରେ ଏକାଧିକ ସଂଗୀନ ମାମଲା ସଦର ଥାନାରେ ରହିଥିବା ଓ ସେ ଜଣେ ପେସାଦାର ଚେନ ଲୁଟେରା ବୋଲି ପୁଲିସ ଜାଣିବାକୁ ପାଇଛି। ତାକୁ ଗିରଫ କରିବାକୁ ଜୋରଦାର ଅଭିଯାନ ଆରମ୍ଭ ହୋଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର