ବୃଦ୍ଧ ଦମ୍ପତିଙ୍କ ଠାରୁ ୧୬ ଭରି ସ୍ୱର୍ଣ୍ଣ ଅଳଙ୍କାର ଲୁଟ୍‌ ଅଭିଯୋଗ

ନବରଙ୍ଗପୁର: ଟାଉନ ଥାନା ଅନ୍ତର୍ଗତ ଦଶରାପଦା ଅଞ୍ଚଳର ବରିଷ୍ଠ ନାଗରିକ ପି.ଲକ୍ଷ୍ମଣ ରାଓ (୭୪) ଓ ତାଙ୍କ ସ୍ତ୍ରୀ ପି.ଜୟଲକ୍ଷ୍ମୀ(୭୦)ଙ୍କ ଠାରୁ ୧୬ ଭରି ସ୍ୱର୍ଣ୍ଣ ଅଳଙ୍କାର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବୃଦ୍ଧ ଦମ୍ପତି ଥାନରେ ପୁଲିସକୁ ଜଣାଇଛନ୍ତି।

ସୂଚନା ଅନୁସାରେ ଲକ୍ଷ୍ମଣ ଓ ଜୟଲକ୍ଷ୍ମୀ ସବୁ ଦିନ ଭଳି କନିକା ପରମେଶ୍ୱରୀ ମନ୍ଦିରକୁ ନିଜ ସ୍କୁଟିରେ ଆଜି ମଧ୍ୟ ବାହାରିଥିଲେ। ଏହି ସମୟରେ ସେମାନଙ୍କୁ ପଛରୁ ୨ ଜଣ ଦୁର୍ବୃତ୍ତ ଅନୁସରଣ କରୁଥିଲେ। ଦୁର୍ବୃତ୍ତମାନେ ନିଜକୁ ପୁଲିସ ଅଧିକାରୀ ବୋଲି ପରିଚୟ ଦେଇ ଗାଡ଼ି ଅଟକାଇବା ସହ ସୁନା ଚୋରି ନେଇ ପୁଲିସ ତଦନ୍ତ କରୁଛି ବୋଲି କହିଥିଲେ। ସେମାନେ ପିନ୍ଧିଥିବା ସୁନା ଅଳଙ୍କାର ସବୁ ବାହାର କରି ଡିକିରେ ରଖିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ।

ତେବେ ନକଲି ପୁଲିସର ପରାମର୍ଶରେ ବୃଦ୍ଧ ମହିଳା ଜଣଙ୍କ ନିଜେ ପିନ୍ଧିଥିବା ୧୬ ଭରି ସ୍ୱର୍ଣ୍ଣ ଅଳଙ୍କାର ବାହାର କରି ଥିଲେ। ଏହି ସମୟରେ ନକଲି ପୁଲିିସ ନିଜେ ଗାଡ଼ିର ଡିକିରେ ରଖିଦେବା କହି ହାତ ସଫେଇ କରି ସ୍ୱର୍ଣ୍ଣ ଅଳଙ୍କାର ନେଇ ଚାଲିଯାଇଥିଲେ। ବୃଦ୍ଧ ଦମ୍ପତି ମନ୍ଦିରକୁ ଯାଇ ଡିକି ଖୋଲିବା ପରେ ଡିକିରେ ସ୍ୱର୍ଣ୍ଣ ଅଳଙ୍କାର ନଥିଲା। ବୃଦ୍ଧ ଦମ୍ପତି ନବରଙ୍ଗପୁର ଥାନାରେ ଏ ନେଇ ଏକ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ନକଲି ପୁଲିସ ବେଶରେ ନବବରଙ୍ଗପୁର ଜିଲ୍ଲାରେ ପୂର୍ବରୁ ୨ ଥର ସୁନା ଲୁଟ ହୋଇଥିଲା। ଦୀର୍ଘ ଦେଢ଼ ବର୍ଷ ମଧ୍ୟରେ ଏହା ଥିଲା ତୃତୀୟ ଘଟଣା। ପୂର୍ବରୁ ଷ୍ଟେଟବ୍ୟାଙ୍କ ନିକଟରେ ରହୁଥିବା ବୃଦ୍ଧାଙ୍କ ପାଖରୁ ପ୍ରାୟ ୫ ଭରି ସୁନା ଓ ରାଜୁସାହିରୁ ଜଣେ ବୃଦ୍ଧାଙ୍କ ଠାରୁ ଅନୁରୂପ ଭାବେ ୪ ଭରି ସୁନା ଲୁଟି ନେଇଥିଲେ ଦୁର୍ବୃତ୍ତ।

ସମ୍ବନ୍ଧିତ ଖବର