ସମ୍ବଲପୁର: ବାହାରକୁ ବୁଲିବା ପାଇଁ ଯିବାକୁ ଚାହୁଛନ୍ତି ଯଦି ଅନ୍‌ଲାଇନ୍‌ ବୁକିଂ କରିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ନଚେତ ବୁଲିବା ବଦଳରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବ। ହୋଟେଲ୍‌ ବୁକିଂ ନାଁରେ ଏବେ ସାଇବର୍‌ ଠକେଇ ଚାଲିଛି। ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଏଭଳି ଠକେଇର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାରର ଅଭିଷେକ ତୁଲସିୟା ପରିବାର ସହ ମିଶି ମଧ୍ୟପ୍ରଦେଶର ଉଜ୍ଜୟିନୀ ଯାଇ ମନ୍ଦିର ଦର୍ଶନ କରିବାରୁ ଯୋଜନା କରିଥିଲେ। ସେଠାରେ ରହିବା ପାଇଁ ହୋଟେଲ୍‌ ବୁକିଂ କରିବାକୁ ସେ ଗୁଗୁଲ୍‌ରେ ସର୍ଚ୍ଚ କଲେ। ଏକ ମୋବାଇଲ୍‌ ନମ୍ବର ପାଇ ଯୋଗାଯୋଗ କରିଥିଲେ।

Advertisment

କଲ୍‌ ଉଠାଇଥିବା ବ୍ୟକ୍ତି ହୋଟେଲ୍‌ର ପରିଚାଳକ ବୋଲି ପରିଚୟ ଦେଇଥିଲା ଏବଂ ହୋଟେଲ୍‌ ବୁକିଂ ପାଇଁ ଆଗୁଆ ଟଙ୍କା ଦେବାକୁ କହିଥିଲା। ସେପ୍ଟେମ୍ବର ୧ ତାରିଖ ରାତି ରୁମ୍‌ ବୁକିଂ ପାଇଁ ଅଭିଷେକ ଫୋନ୍‌ ପେ’ ମାଧ୍ୟମରେ ୧୨ ଶହ ଟଙ୍କା ପୈଠ କରିଦେଲେ। ତାପରେ ହୋଟେଲ୍‌ର ପରିଚାଳକ ହ୍ବାଟ୍ସଆପ୍‌ରେ ଏକ ବୁକିଂ ଆଇଡି ପଠାଇଲା ଏବଂ ସେହି ଆଇଡିକୁ ଫୋନ୍‌ ପେ’ରେ ଟାଇପ୍‌ କରି ବୁକିଂ ନିଶ୍ଚିତ କରିବାକୁ କହିଥିଲା। କେମିତି କରିବେ ଫୋନ୍‌ରେ ବୁଝାଇଥିଲା। ସେ କହିବା ଅନୁଯାୟୀ, ଅଭିଷେକ ସବୁ କରିଚାଲିଲେ। କିଛି ସମୟ ମଧ୍ୟରେ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଯାଇଥିଲା। ଏକାଧିକ ଟ୍ରାନ୍‌ଜେକସନ୍‌ରେ ଆକାଉଣ୍ଟରୁ ୧ ଲକ୍ଷ ୮ହଜାର ୮୪୮ ଟଙ୍କା କଟି ଯାଇଥିଲା। ଅଭିଷେକଙ୍କର ସନ୍ଦେହ ହେବାରୁ ସେ ଟଙ୍କା ଫେରାଇବାକୁ କହିଥିଲେ। ସେ କିନ୍ତୁ ଫେରାଇବ ନାହିଁ ବୋଲି କହି, ଯାହା କରିବା ଅଛି କର ବୋଲି କହିଥିଲା। ଠକେଇର ଶିକାର ହେବା ପରେ ଅଭିଷେକ ସମ୍ବଲପୁର ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ଗୁରୁବାର କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।