ରାୟଗଡା: ଭି. ଗୋପାଳ କ୍ରିଷ୍ଣା। ଗୋପାଳ ଜନ୍ମ ହେଲା ବେଳେ ସବୁ ଠିକ ଥିଲା। କିନ୍ତୁ ଅଚାନକ ପୋଲିଓ ଗ୍ରାସ କରିବାରୁ ସେ ତାଙ୍କର ବାମ ଗୋଡ ସମ୍ପୂର୍ଣ୍ଣ ହରାଇଲେ। ଅର୍ଥାତ ବାମ ଗୋଡଟି କାମ କରୁ ନଥିବା ସେ କହନ୍ତି।କେବଳ ଡାହାଣ ଗୋଡରେ ସେ ଚଲାବୁଲା କରିବା ସହ ଗୋଟିଏ ଜାଗାରେ ଛିଡା ହୋଇପାରନ୍ତି। ଗୋପାଳ ଛୋଟ ଥିଲା ବେଳେ ବାପା ଭାସ୍କର ରାଓ ତାଙ୍କୁ ଛାଡି ଆରପାରିକୁ ଚାଲିଗଲେ। ପିଲାଟି ଦିନରୁ ସେ କଷ୍ଟ କରି ଆସୁଛି। ଘରେ ଅର୍ଥିକ ଅନାଟନ ଲାଗି ରହିଥିଲା। ତେଣୁ ସେ ମାତ୍ର ଦଶମ ପର୍ଯ୍ୟନ୍ତ ପଢି ପାରିଥିଲେ। ଗୋପାଳର ଆଉ ଜଣେ ଭାଇ ଥିଲେ ମଧ୍ୟ ସେ ତାଙ୍କୁ ପଚାରୁନଥିବା କହିଥିଲେ। ଘରେ ବୁଢି ମାଆ, ପତ୍ନୀ ଏବଂ ଦୁଇ ପିଲା ଅଛନ୍ତି। ପରିବାରକୁ ପୋଷିବା ପାଇଁ ସେ ରାୟଗଡାର ହନ୍ତୁମାନ ମନ୍ଦିର ନିକଟରେ ଏକ ଚାହା ଦୋକାନ ପକାଇଛନ୍ତି। ଭିନ୍ନକ୍ଷମ ହେଲେ ମଧ୍ୟ ସେ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ସ୍ବାଭିମାନ ଗୋପାଳ କାହା ଆଗରେ ହାତ ନ ପତାଇ ନିଜେ ଗୋଟିଏ ଗୋଡରେ ଛିଡା ହୋଇ ଚାହା ବିକନ୍ତି। ଦିନକୁ ପ୍ରାୟ ସେ ୪୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି।ସେତିକିରେ ପରିବାର ଚଳାଇବା ସହ ପିଲାଙ୍କୁ ପାଠ ମଧ୍ୟ ପଢାନ୍ତି। ତେବେ ଗୋଟିଏ ଗୋଡରେ ଦିନ ତମାମ ଛିଡା ହୋଇ କାମ କରିବା ଦ୍ବାରା ସେ ଅସୁସ୍ଥ ହୋଇ ପଡନ୍ତି। କିଛିଦିନ ବିଶ୍ରାମ ନେବା ପରେ ପୁଣି ସେ ଦୋକାନ ଖୋଲନ୍ତି।

Advertisment

publive-image Sambad

ତେବେ ସେ ଅସୁସ୍ଥ ହେବା ସମୟରେ ତାଙ୍କ ପତ୍ନୀ ଏବଂ ମାଆ ଆସି ଦୋକାନ ଖୋଲନ୍ତି। କାରଣ ଦୋକାନ ନ ଖୋଲିଲେ ପରିବାର ଚଳାଇବା କଷ୍ଟକର ହୋଇ ପଡୁଥିବା ଗୋପାଳ କହନ୍ତି। ତେବେ ଗୋପାଳଙ୍କ ଚାହା ପିଇବାକୁ କୋଣ ଅନୁକୋଣରୁ ଲୋକେ ଏଠାକୁ ଆସନ୍ତି। କ୍ଷୀର ଚାହା, ନାଲି ଚାହା ସହ କଫି ଇତ୍ୟାଦି ସେ ପ୍ରସ୍ତୁତ କରି ଗ୍ରାହକଙ୍କ ମନପସନ୍ଦର ଚାହା ଦିଅନ୍ତି। ତେଣୁ ଲୋକେ ଏହି ଚାହା ଦୋକାନରେ ଭିଡ ଜମାଉଥିବା କହନ୍ତି। ସ୍ଥାନୀୟ ଜଣେ ଗ୍ରାହକ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ ଗୋପାଳ ଜଣେ ସ୍ବାଭିମାନୀ ପିଲା। ତାଙ୍କର ଚାହା ଅନ୍ୟ ଚାହା ଦୋକାନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ତେଣୁ ତାଙ୍କର ଚାହା ପିଇବା ସହ ତାଙ୍କୁ ସହଯୋଗ କରିବା ଆମର କର୍ତ୍ତବ୍ୟ ବୋଲି ସେ କହନ୍ତି। ଶରୀରର ଓଜନ ବଢୁଥିବାରୁ ଗୋଟିଏ ଗୋଡ ଉପରେ ସମସ୍ତ ଭାର ଲଦି ହେଉଥିବାରୁ ସେହି ଗୋଡ ବେଳେ ବେଳେ ଫୁଲିଯାଏ। ନିଜର ବୋଲି ଘର ଖଣ୍ଡିକ ନାହିଁ। ଏବେ ବି ଭଡା ଘରେ ହିଁ ଗୋପାଳ ରୁହନ୍ତି।ପ୍ରଶାସନ ତରଫରୁ କେବଳ ଭତ୍ତା ହିଁ ମିଳୁଛି। ପରିବାରରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମିଳୁଥିବାରୁ ସେ ଆଗକୁ ବଢିବାରେ ସାହସ ଜୁଟାଇପାରୁଥିବା କହନ୍ତି। ଗୋପାଳ ଅନ୍ୟ ଭିନ୍ନକ୍ଷମ ଭାଇମାନଙ୍କ ପାଇଁ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।