ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସେବାୟତଙ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେଇ ଦିଲ୍ଲୀ ଫେରିଛନ୍ତି ଆମିକସ କ୍ୟୁରୀ, ୨୧ଦିନ ପରେ ପୁଣି ହେବ ଅନୁଧ୍ୟାନ

ପୁରୀ: ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ଆଲୋଚନା ପରେ ରବିବାର ଦିଲ୍ଲୀ ଫେରିଯାଇଛନ୍ତି ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ଏ ନେଇ ସେ ପୁରୀ ଶଙ୍କାରାଚାର୍ଯ୍ୟ, ଗଜପତି, ସେବାୟତଙ୍କ ସହ ଆଲୋଚନା କରିଥିଲେ । ବିଶେଷକରି ଆମିକସ କ୍ୟୁରୀ ମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ସେବାୟତଙ୍କ ବ୍ୟବହାର ଭଲ ହେବା ଜରୁରୀ। ଆଚାର, ବ୍ୟବହାର ଏବଂ ସମୟାନୁବର୍ତ୍ତିତା ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟଙ୍କ ଆମିକସ୍କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌ ଦିଲ୍ଲୀ ଫେରିବା ପୂର୍ବରୁ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କ କହିବା ମୁତାବକ ‘‘ଶ୍ରୀମନ୍ଦିର ସଂସ୍କାର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ମୁଖ୍ୟତଃ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଆଯାଇଛି। ଏନେଇ ମୁଁ ଗଜପତି ମହାରାଜ, ସେବାୟତ ଏବଂ ମନ୍ଦିର ପ୍ରଶାସନଙ୍କ ସହ ଆଲୋଚନା କରିଛି। ଏହାଛଡ଼ା ଶ୍ରୀମନ୍ଦିର ସେବାୟତଙ୍କ ଆର୍ଥିକ ଓ ସାମାଜିକ ଦିଗକୁ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଛି । ସମସ୍ତ ଦିଗକୁ ବିଚାର ବିମର୍ଶ କରି ୨୧ ଦିନ ପରେ ପୁଣି ଅନୁଧ୍ୟାନ ପାଇଁ ଆସିବେ ବୋଲି ଆମିକସ୍‌ କ୍ୟୁରୀ ସୁବ୍ରମଣ୍ୟମ କହିଛନ୍ତି ।

୩ସପ୍ତାହ ପରେ ପୁଣି ପୁରୀ ଆସି ପ୍ରଶାସନ , ସିସିଟିଭି ଯାଞ୍ଚ ଏବଂ ସେବକମାନଙ୍କୁ ଦେଇଥିବା ଟାସ୍କର ସ୍ଥିତି ଅନୁଧ୍ୟାନ କରିବେ ଆମିକସକ୍ୟୁରୀ । ଏହାପେର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ । ସୁପ୍ରିମକୋର୍ଟ ଦେଇଥିବା ବିଭିନ୍ନ ପ୍ରସ୍ତାବ ଉପରେ ଗୁରୁତ୍ୱ ଦେଇ ଶ୍ରୀମନ୍ଦିର ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରାଯିବ ବୋଲି କହିଛନ୍ତି ଆମିକସ୍‌ କ୍ୟୁରୀ।

ସମ୍ବନ୍ଧିତ ଖବର