ଗୋପାଳପୁର, ତପ୍ତପାଣି ପାନ୍ଥ ନିବାସକୁ ଘରୋଇକରଣ ଯୋଜନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡ଼ିସି)ର ୩ଟି ପାନ୍ଥ ନିବାସ ରହିଛି। ୩ଟି ଯାକ ପାନ୍ଥ ନିବାସ ଉପଯୁକ୍ତ ପରିବେଶରେ ରହିଛି। ସେଥିମଧ୍ୟରୁ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଗୋପାଳପୁର ଓ ତପ୍ତପାଣି ଠାରେ ଥିବା ପାନ୍ଥ ନିବାସକୁ ସରକାର ଘରୋଇକରଣ କରି ଘରୋଇ ସଂସ୍ଥା ହାତକୁ ଟେକିଦେବାକୁ ଯୋଜନା କରୁଥିବା ଜଣାପଡ଼ିଛି। କ୍ଷତି ଚାଲୁଥିବାର ଆଳ ଦେଖାଇ ସରକାର ଏହି ପଦକ୍ଷେପ ନେଉଥିବା କୁହାଯାଉଛି। ଏହାକୁ ନେଇ ଜିଲ୍ଲାରେ ଅସନ୍ତୋଷ ତେଜିବାରେ ଲାଗିଛି।

‘ତପ୍ତପାଣି’ ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ। ସେଠାରେ ଥିବା ଉଷ୍ଣପ୍ରସବଣ ଓ ପ୍ରାକୃତିକ ଶୋଭାରାଜି ଲାଗି ଦେଶବିଦେଶର ପର୍ଯ୍ୟଟକମାନେ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପକ୍ଷରୁ ତପ୍ତପାଣି ଠାରେ ୧୯୭୬ ମସିହାରେ ପାନ୍ଥ ନିବାସ ପ୍ରତିଷ୍ଠା ହୋଇଥିଲା। ଏହି ପାନ୍ଥ ନିବାସରେ ୧୧ଟି କୋଠରୀ ‌ ରହିଛି। ସେଥିମଧ୍ୟରୁ ୭ଟି ଶୀତତାପ ନିୟନ୍ତ୍ରିତ। ଏହି କୋଠରୀଗୁଡ଼ିକରେ ରହିବା ଲାଗି ଦିନକୁ ୧୫ଶହ ଟଙ୍କା ଠାରୁ ୪ହଜାର ଟଙ୍କା ପର୍ଯ୍ୟନ୍ତ ‌ଭଡ଼ା ଦେବାକୁ ପଡ଼ିଥାଏ । ସେଠାରେ ରହୁଥିବା ପର୍ଯ୍ୟଟକମାନେ ଉଷ୍ଣପ୍ରସବଣରେ ସ୍ନାନ କରିବା ସାଙ୍ଗକୁ ପ୍ରାକୃତିକ ପର୍ଯ୍ୟଟନ(ଇକୋ-ଟୁରିଜିମ୍‌)ର ମଜ୍ଜା ନେଇଥାଆନ୍ତି । ଏହି ପାନ୍ଥ ନିବାସ ଏବେ ୯ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ପର୍ଯ୍ୟଟନ ଋତୁରେ ଏହି ପାନ୍ଥନିବାସର ଅକୁପ୍ୟାନ୍‌ସି ୫୦ ରୁ ୬୦ ପ୍ରତିଶତ ରହୁଛି। ଅନ୍ୟସମୟରେ ୨୫ ରୁ ୩୦ ପ୍ରତିଶତ ରହୁଛି।

ପାନ୍ଥନିବାସରେ ବାର୍ଷିକ ହାରାହାରି ଅକ୍ୟୁପାନ୍‌ସି ୪୦ ପ୍ରତିଶତ ରହୁଥିବା ଜଣାପଡ଼ିଛି। ଦେଶର ଏହା ପ୍ରଥମ ପାନ୍ଥ ନିବାସ ଯେଉଁଠି କି ଉଷ୍ଣପ୍ରସବଣରୁ ସିଧାସଳଖ ପାଣି ଆସୁଥିଲା। ପାନ୍ଥନିବାସରେ ରହୁଥିବା ପର୍ଯ୍ୟଟକମାନେ ଉଷ୍ଣପ୍ରସବଣକୁ ନ ଯାଇ ମଧ୍ୟ ପାନ୍ଥ ନିବାସରେ ଉଷ୍ଣପ୍ରସବଣର ପାଣିରେ ଗାଧୋଇବାର ମଜ୍ଜାଉଠାଉଥିଲେ। କିନ୍ତୁ ଗତ ୫ ବର୍ଷ ହେଲା କୌଣସି ସମସ୍ୟା ଲାଗି ଉଷ୍ଣପ୍ରସବଣରୁ ଏହି ପାନ୍ଥ ନିବାସକୁ ପାଣି ଆସୁନାହିଁ।

ଅନ୍ୟପକ୍ଷରେ ପାନ୍ଥ ନିବାସର ଆସବାବପାତ୍ର ପୁରୁଣା ଓ ନଷ୍ଟ ହୋଇଯିବା କାରଣରୁ ଗତ ଫେବ୍ରୁଆରି ମାସରେ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟରେ ଏସି, ଏଲଇଡି ଟିଭି, ଗିଜର, ଡାଇନିଙ୍ଗ ଟେବୁଲ, ବେଡ୍‌ ଆଦି ସବୁ କିଣାଯାଇ ଆଣାଯାଇଛି। ପ୍ରାକୃତିକ ପରିବେଶ ମଧ୍ୟରେ ଅନୁକୂଳ ସ୍ଥତିରେ ରହିଥିବା ପାନ୍ଥ ନିବାସକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ସେହିପରି ପର୍ଯ୍ୟଟନର ସହର ଗୋପାଳପୁରସ୍ଥିତ ସୁଦୀର୍ଘ ବେଳାଭୂମି ପ୍ରତି ଆକୃଷ୍ଟ ହୋଇ ଦେଶ ବିଦେଶ ପର୍ଯ୍ୟଟକ ଏଠାକୁ ଛୁଟି ଆସୁଛନ୍ତି। ପର୍ଯ୍ୟଟନଙ୍କ ଅଗାମନ ଓ ଚାହିଦାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୨୦୦୫ ମସିହା ଗୋପାଳପୁର ସମୁଦ୍ର କୂଳରେ ପାନ୍ଥ ନିବାସ ପ୍ରତିଷ୍ଠା ହୋଇଛି। ଏହି ପାନ୍ଥ ନିବାସରେ ୨୦ଟି ସୁଟ୍‌ ରହିଛି। ଏଥିମଧ୍ୟରେ କଟେଜ୍‌, ଡିଲକ୍ସ ଏସି, ନନ୍‌ଏସି ଓ ଡର୍ମିଟାରୀ ମଧ୍ୟ ରହିଛି। ଏଠାରେ ରହିବାକୁ ଦିନକୁ ୧୨ଶହ ଟଙ୍କାରୁ ୪ହଜାର ପର୍ଯ୍ୟନ୍ତ ଭଡ଼ା ରହିଛି। ଏହି ପାନ୍ଥ ନିବାସର ପରିଚାଳନା ଲାଗି ୧୩ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କର୍ମଚାରୀଙ୍କ ମଧ୍ୟରେ ଜଣେ ମ୍ୟାନେଜର, ସୁଇପର ୨ଜଣ, ୱେଟର ୨ଜଣ, ଓ୍ଵାଚ୍‌ମ୍ୟାନ ଜଣେ, ରୋଷେୟା ୨ଜଣ, ରିସପ୍ସନଷ୍ଟେ ଜଣେ, ଆକାଉଟାଣ୍ଟ ଜଣେ ଓ ଡ୍ରାଇଭର ଜଣେ ରହିଛନ୍ତି। ପାନ୍ଥ ନିବାସଟି ସମୁଦ୍ରକୂଳରେ ରହିଥିବାରୁ ଚାହିଦା ବି ରହିଛି। ଏହି ପାନ୍ଥ ନିବାସର ହାରାହାରି ଅକୁପ୍ୟାନ୍‌ସି ହାରାହାରି ୫୦ ପ୍ରତିଶତ ରହୁଛି।

ତପ୍ତପାଣି ପାନ୍ଥ ନିବାସ Photo: Yatra.com

ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଗୋପାଳପୁର ଓ ତପ୍ତପାଣି ପାନ୍ଥ ନିବାସ ସଂକ୍ରାନ୍ତରେ ପର୍ଯ୍ୟଟକ ଜାଣିପାରୁନାହାନ୍ତି। ପାନ୍ଥ ନିବାସ ଗୁଡ଼ିକର ସର୍ବେସର୍ବା ତଥା ହତାକର୍ତ୍ତା ହେଉଛନ୍ତି ମ୍ୟାନେଜର। ପର୍ଯ୍ୟଟନ ବିଭାଗ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ବରିଷ୍ଠ ଅଧିକାରୀଙ୍କ ଏହି ପାନ୍ଥ ନିବାସଗୁଡ଼ିକରେ ପାଦ ପଡ଼େନି କି ତାଙ୍କଏହାର ତଦାରଖ ହେଉନାହିଁ କି ପଦକ୍ଷେପ ନେଇ ପର୍ଯ୍ୟଟକମାନେ ଆକୃଷ୍ଠ ହେବେ ସେଥିପ୍ରତି ମଧ୍ୟ ଓଟିଡ଼ିସିର ଚିନ୍ତା ନାହିଁ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ତପ୍ତପାଣି ପାନ୍ଥ ନିବାସର ମୁଖ୍ୟ ଆକର୍ଷଣ ଥିଲା ପର୍ଯ୍ୟଟକମାନେ ସେଠାରେ ରାତି ରହିବା ସହିତ ପାନ୍ଥ ନିବାସରେ ହିଁ ଉଷ୍ଣପ୍ରସବଣ ପାଣିରେ ସ୍ନାନ କରୁଥିଲେ। ଏଥିଲାଗି ତପ୍ତପାଣି ପାନ୍ଥ ନିବାସରେ ପର୍ଯ୍ୟଟକମାନେ ରହିବାକୁ ଚାହୁଁଥିଲେ। ଦୀର୍ଘ ୫ବର୍ଷ ହେଲା ଏହା ବନ୍ଦ ହୋଇଥିଲେ ହେଁ ସେଥିପ୍ରତି ଓଟିଡ଼ିସି ପକ୍ଷରୁ ଦୃଷ୍ଟି ଦିଆଯାଇନାହିଁ। ନିଜର ଦୋଷ ଦୁର୍ବଳତାକୁ ଲଚୁାଇବାକୁ ଯାଇ ଏବିଁ କ୍ଷତିର ଆଳ ଦେଖାଇ ଏବେ ଜିଲ୍ଲାର ଦୁଇ ପାନ୍ଥ ନିବାସକୁ ଘରୋଇ ସିଁସ୍ଥା ହାତକୁ ଟେକି ଦେବାକୁ ଯୋଜନା ଚାଲିଛି।

ସମ୍ବନ୍ଧିତ ଖବର